ପ୍ରଥମେ ଛଟେଇ ପରେ ଦରମା ହ୍ରାସ, ଏବେ କର୍ମଚାରୀଙ୍କୁ ଚା’ ଜଳଖିଆ ଦେବା ବନ୍ଦ କରିଦେଲା Google
1/04/2023 at 9:05 PM

ୱାଶିଂଟନ ଡିସି: ଗୁଗଲକୁ ଘୋର ଅର୍ଥାଭାବ ଦେଖା ଦେଇଛି। ପ୍ରଥମେ ଛଟେଇ କଲା, ପରେ ଦରମା ହ୍ରାସ କଲା। ଏବେ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦେଉଥିବା କିଛି ସୁବିଧା ଓ ଭତ୍ତା ମଧ୍ୟ ବନ୍ଦ କରିଦେଇଛି କମ୍ପାନୀ।
ମିଡିଆ ରିପୋର୍ଟ ଅନୁସାରେ, ଗୁଗଲ ମାଗଣା ଚା ଜଳଖିଆ, ଲଣ୍ଡ୍ରି ସେବା, ମସାଜ, ମଧ୍ୟାହ୍ନ ଭୋଜନ ଆଦି ସବୁ ବନ୍ଦ କରିଦେଇଛି। ଏବେ କର୍ମଚାରୀମାନେ ଏସବୁ ଖର୍ଚ୍ଚ ନିଜ ହାତରୁ ଉଠାଇବେ। କେବଳ ସେତିକି ନୁହେଁ କମ୍ପାନୀ ନିଯୁକ୍ତି ଦେବା ମଧ୍ୟ ହ୍ରାସ କରାଯାଇଛି। ଖର୍ଚ୍ଚ କାଟ କରିବାକୁ ଏପରି କରିଛି କମ୍ପାନୀ।
ବିଜ୍ନେସ୍ ଇନ୍ସାଇଡର ରିପୋର୍ଟ ଅନୁସାରେ, ଗୁଗଲ ମୁଖ୍ୟ ବିତ୍ତୀୟ ଅଧିକାରୀ ରୁଥ ପୋରାତ୍ କହିଛନ୍ତି ଯେ ଗୁଗଲ ଏବେ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ନୂଆ ନିଯୁକ୍ତି କମ କରିବା ସହ ପୁରୁଣା ଟିମ୍କୁ ଅଧିକ ଦାୟିତ୍ୱ ଦେବ।
ସେହିପରି ଲ୍ୟାପଟ୍ପ୍ ଭଳି ବ୍ୟକ୍ତିଗତ ସୁବିଧାକୁ କମ୍ପାନୀ ବନ୍ଦ କରିଦେବ। ସେହିଭଳି ଅଫିସ୍ର ଦୂରତାକୁ ବିଚାର କରି ଭତ୍ତା ଯୋଗାଇବା ନେଇ ସ୍ଥିର କରାଯିବ ବୋଲି ପୋରାଟ କହିଛନ୍ତି। ଭତ୍ତାରେ ହ୍ରାସ କରିବା ଖର୍ଚ୍ଚକାଟ କରି ଅନ୍ୟ ମେସିନାରୀ ଉପରେ ନିବେଶ କରିବା ଉଦ୍ଦେଶ୍ୟର କରାଯାଇଛି ବୋଲି ପୋରାଟ କହିଛନ୍ତି।
ସୂଚନା ଥାଉକି ଚଳିତ ବର୍ଷ ଆରମ୍ଭରୁ ଛଟେଇ କଥା କହିଥିଲେ କମ୍ପାନୀ ସିଇଓ ସୁନ୍ଦର ପିଚାଇ। କମ୍ପାନୀ ପାଖାପାଖି ଏହାର ୬ ପ୍ରତିଶତ ପାଖାପାଖି ୧୨ ହଜାର କର୍ମଚାରୀ ଛଟେଇ କରିବ ବୋଲି କମ୍ପାନୀ ପିଚାଇ କହିଥିଲେ।