ରାଜନୈତିକ ବିଜ୍ଞାପନ ସହ ଜଡିତ ସୂଚନା ହେବ ସାର୍ବଜନୀନ ; କେଉଁ ଦଳ ନିର୍ବାଚନରେ କେତେ ଖର୍ଚ୍ଚ କଲା କହିବ ଗୁଗୁଲ

Published By : Prameya-News7 Bureau | January 22, 2019 IST

ଦିଲ୍ଲୀ ୨୨/୧ : ଆସନ୍ତା ଲୋକସଭା ନିର୍ବାଚନରେ ଅନଲାଇନ ରାଜନୈତିକ ବିଜ୍ଞାପନରେ ସ୍ବଚ୍ଛତା  ଆଣିବା ପାଇଁ ଗୁଗୁଲ ଯୋଜନା କରୁଛି | ଯାହାଫଳରେ ଗୁଗୁଲ ପ୍ଲାଟଫର୍ମରେ ନିର୍ଵାଚନ ବିଜ୍ଞାପନ ପାଇଁ କିଏ କେତେ ସ୍ଥାନ ଓ ସମୟ କିଣୁଛି ଏବଂ କେତେ ଟଙ୍କା ଖର୍ଚ୍ଚ କରୁଛି, ସେ ସମ୍ବନ୍ଧୀୟ ସୂଚନା ମିଳିବ | ଗୁଗୁଲ ଅନୁଯାୟୀ, ୨୦୧୯ ମାର୍ଚ୍ଚ ମାସରେ ଅନଲାଇନ ଆଡ଼ ଲାଇବ୍ରେରୀ ଆରମ୍ଭ କରାଯିବ | ଏହାକୁ ସାଧାରଣ ଜନତା ମଧ୍ୟ ସର୍ଚ୍ଚ କରିପାରିବେ । ଅନଲାଇନ ରାଜନୈତିକ ବିଜ୍ଞାପନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସାଧାରଣ ଲୋକ ମଧ୍ୟ ଜାଣିପାରିବେ | ସୂଚନାଯୋଗ୍ୟ ଯେ, ଗୁଗୁଲ ନିଜ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ୟୁଟ୍ୟୁବ, ସର୍ଚ୍ଚ ପେଜ, ଆଡ଼ ୱାର୍ଡ ଏବଂ ଆଡ଼ ସେନ୍ସ ଜରିଆରେ ବିଜ୍ଞାପନ ଦେଇଥାଏ |

{"id":76891,"width":586,"height":469}

ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଗୁଗୁଲ ତାର ନିର୍ବାଚନ ନୀତିକୁ ମଧ୍ୟ ଅପଡେଟ କରିଛି | ଯାହାଫଳରେ ଗୁଗୁଲ ପ୍ଲାଟଫର୍ମରେ ନିର୍ବାଚନୀ ବିଜ୍ଞାପନ ଦେବା ପାଇଁ ବିଜ୍ଞାପନ କମ୍ପାନୀକୁ ନିର୍ବାଚନ ଆୟୋଗ କିମ୍ବା ନିର୍ବାଚନ ଆୟୋଗଙ୍କ ଅଧିକୃତ କୌଣସି ଅଧିକାରୀଙ୍କ ଠାରୁ ପ୍ରି-ସାର୍ଟିଫିକେଟ ନେବା ଆବଶ୍ୟକ | ଏଥିପାଇଁ ଭେରିଫିକେସନ ପ୍ରକ୍ରିୟା ଫେବୃଆରୀ ୧୪ ତାରିଖରୁ ଆରମ୍ଭ ହେବ |

{"id":76889,"width":589,"height":330}

ଗୁଗୁଲ ଇଣ୍ଡିଆ ପବ୍ଲିକ ପଲିସୀର ନିର୍ଦେଶକ ଚେତନ କୃଷ୍ନାସ୍ୱାମୀ କହିଛନ୍ତି ଯେ, ୨୦୧୯ରେ ୮୫ କୋଟିରୁ ଅଧିକ ଲୋକ ଭୋଟ ଦେବେ | ଏଥିପାଇଁ ନିର୍ବାଚନୀ ବିଜ୍ଞାପନରେ ସ୍ବଚ୍ଛତା ଆଣିବା ସହ ଏ ସମ୍ପର୍କିତ ତଥ୍ୟ ଦେବା ତାଙ୍କ ଦାୟିତ୍ୱ | ସେ ଆହୁରି କହିଛନ୍ତି ଯେ, ଭାରତ ଛଡା ସେ ଦୁନିଆର ସବୁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମର୍ଥନ କରୁଛନ୍ତି | ସେଥିପାଇଁ ଅନଲାଇନ ନିର୍ବାଚନ ବିଜ୍ଞାପନରେ ସ୍ବଚ୍ଛତା ଅଣାଯାଉଛି |

ଡିଜିଟାଲ ବିଜ୍ଞାପନ ଖର୍ଚ୍ଚ ଉପରେ ରିପୋର୍ଟ ପ୍ରଦାନ କରିଥିବା ଏଜେନ୍ସି ନେଟୱାର୍କ ଅନୁସାରେ, ବର୍ତ୍ତମାନ ଅନଲାଇନ ବିଜ୍ଞାପନରେ ୧୦,୮୧୯ କୋଟି ଟଙ୍କାର କାରବାର ହେଉଛି | ଏହା ବିଜ୍ଞାପନ ଇଣ୍ଡଷ୍ଟ୍ରିର ମୋଟ କାରବାରର ୧୭ ପ୍ରତିଶତ | ୨୦୧୯ରେ ଏହି କାରବାର ବୃଦ୍ଧି ହୋଇ ୧୪,୨୮୧ କୋଟି ହେବ ବୋଲି ଆଶା କରାଯାଉଛି | ଏହା ବିଜ୍ଞାପନ ଇଣ୍ଡଷ୍ଟ୍ରିର ମୋଟ କାରବାରର ୩୧.୯ ପ୍ରତିଶତ ହେବ |

{"id":76890}

ଗୁଗୁଲ ପୂର୍ବରୁ ଫେସବୁକ ମଧ୍ୟ ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜ୍ଞାପନ ନୀତିରେ ପରିବର୍ତନ ଆଣିଥିଲା | ଫେସବୁକ ନିର୍ବାଚନୀ ସମ୍ବନ୍ଧୀୟ ବିଜ୍ଞାପନ ପାଇଁ ଫେବୃଆରୀ ମାସରୁ ଅନଲାଇନ ଲାଇବ୍ରେରୀ ତିଆରି କରିବ | ଏହି ଲାଇବ୍ରେରୀରେ ବିଜ୍ଞାପନ ଦେଉଥିବା ଲୋକଙ୍କ ସମ୍ପୂର୍ଣ ଡାଟା ରହିବ | ଏହାସହ ଯେଉଁମାନେ ବିଜ୍ଞାପନ ଦେବେ ତାଙ୍କୁ ମଧ୍ୟ ନିଜର ପ୍ରମାଣପତ୍ର ଦେବାକୁ ହେବ | ନୂଆ ନିୟମ ଅନୁସାରେ ଫେସବୁକରେ ବିଜ୍ଞାପନ ପ୍ରସାରଣ ପାଇଁ ସରକାରଙ୍କ ତରଫରୁ ମିଳିଥିବା ପରିଚୟ ପତ୍ରର କପି ଦେବାକୁ ପଡିବ | ଏହାସହ ଲୋକେସନ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଦେବାକୁ ପଡିବ | ତେବେ ଦେଶ ବାହାରେ ନିର୍ବାଚନୀ ବିଜ୍ଞାପନ ଦିଆଯାଇପାରିବ ନାହିଁ | ଫେସବୁକ ନିର୍ବାଚନୀ ବିଜ୍ଞାପନ ସମ୍ବନ୍ଧୀୟ ତଥ୍ୟ ଆସନ୍ତା ୭ ବର୍ଷ ପର୍ଯ୍ୟନ୍ତ ମହଜୁଦ ରଖିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.