ଗୁଗୁଲରେ ଛଟେଇକୁ ସିଇଓଙ୍କ ସ୍ପଷ୍ଟୋକ୍ତି, ସୁନ୍ଦର ପିଚାଇ କହିଲେ କଠିନ ସମୟରେ ଟିପ୍ପଣୀ ଦେବା ସମ୍ଭବ ନୁହେଁ
14/12/2022 at 12:35 PM

ନୂଆଦିଲ୍ଲୀ: ଗୁଗୁଲରେ ଛଟେଇକୁ ନେଇ ସ୍ପଷ୍ଟ କଲେ ସିଇଓ ସୁନ୍ଦର ପିଚାଇ । ଏବେ କଠିନ ସମୟ, କର୍ମଚାରୀଙ୍କୁ ଛଟେଇ ନେଇ କହିବା ମୁସ୍କିଲ । ଭବିଷ୍ୟତକୁ ନେଇ କିଛି କହିବା ସମ୍ଭବ ନୁହେଁ ବୋଲି ସୁନ୍ଦର ପିଚାଇ କହିଛନ୍ତି । ଏହା ପୂର୍ବରୁ ମିଡିଆ ରିପୋର୍ଟରେ କମ୍ପାନୀ ୨୦୨୩ ଆରମ୍ଭରୁ ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରିବ ବୋଲି କୁହାଯାଉଥିଲା ।
ବିଜନେସ୍ ଇନସାଇଡର ରିପୋର୍ଟ ଅନୁଯାୟୀ, ଗୁଗୁଲରେ ନୂତନ ବର୍ଷ ଆରମ୍ଭରୁ ବଡ଼ ପରିବର୍ତ୍ତନ ନେଇ କୁହାଯାଉଛି । ବିଶ୍ବରେ ଜାରି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ କମ୍ପାନୀ କିଛି ଜରୁରୀ ପରିବର୍ତ୍ତନ କରିବାକୁ ଯାଉଛି ବୋଲି ସିଇଓ ସୁନ୍ଦର ପିଚାଇ ଷ୍ଟାଫ୍ ମିଟିଂରେ ସୂଚନା ଦେଇଥିଲେ । ତେବେ କର୍ମଚାରୀ ଛଟେଇକୁ ନେଇ ଗୁଗୁଲ ସିଇଓଙ୍କୁ ପଚାରିବାରୁ, ଏବେ ବିଶ୍ବରେ କଠିନ ପରିସ୍ଥିତି ଜାରି ରହିଛି, ତେଣୁ ଭବିଷ୍ଯତକୁ ନେଇ କିଛି ଟିପ୍ପଣୀ ଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ବିଶ୍ବରେ ଅର୍ଥନୈତିକ ତୁଫାନ ଜାରି ରହିଛି । ଗତ କିଛି ମାସ ହେଲା ଏହାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି । ଏବେ ଜରୁରୀ ନିଷ୍ପତ୍ତି ନେବା ସହିତ ଅନୁଶାସନର ସମୟ । ଆମକୁ ପ୍ରଥମ ପ୍ରଥମିକତା ଉପରେ ଧ୍ୟାନ ଦେବାକୁ ପଡ଼ିବ । ମାନ୍ଦା ଅବସ୍ଥାରେ ସମସ୍ତେ ନିଜର ବେଷ୍ଟ୍ ଦେବାକୁ ଚେଷ୍ଟା କରିବା ବୋଲି ସୁନ୍ଦର ପିଚାଇ କହିଛନ୍ତି ।
ଗତ ନଭେମ୍ବର ମାସରେ ଏକ ମିଡିଆ ରିପୋର୍ଟ ଆସିଥିଲା । ଯେଉଁଥିରେ ଗୁଗୁଲ ମେସେଞ୍ଜରରେ ଖରାପ ପ୍ରଦର୍ଶନ କରୁଥିବା ୯ ପ୍ରତିଶତ ଅର୍ଥାତ୍ ୧୦ ହଜାର କର୍ମଚାରୀଙ୍କୁ ନୂତନ ବର୍ଷ ପ୍ରାରମ୍ଭରୁ ଛଟେଇ କରାଯିବ ପ୍ରକାଶ ପାଇଥିଲା ।