ଗ୍ୟାରେଜ୍ରୁ ଆରମ୍ଭ, ଦିନେ ବନ୍ଦ ହେବାକୁ ଯାଉଥିଲା, ବଦଳିଗଲା ଭାଗ୍ୟ, ଏବେ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍
27/09/2023 at 2:29 PM

ନୂଆଦିଲ୍ଲୀ ୨୭।୦୯: ଗୁଗୁଲ୍ । ଏ ନାଁ ଆଜିକା ଦିନରେ ସମସ୍ତଙ୍କ ମୁହଁରେ । ଛୋଟ ହେଉ କି ବଡ କାମ ସବୁଥି ପାଇଁ ଆବଶ୍ୟକ ଗୁଗୁଲ୍ । ଦୁନିଆର କୋଣ ଅନୁକୋଣରେ ଏକ ସର୍ଚ୍ଚ ଇଞ୍ଜିନ୍ ଭାବେ ପରିଚିତ ଗୁଗୁଲ୍ । ଇଣ୍ଟରନେଟ୍ରେ କିଛି ବି ସର୍ଚ୍ଚ କରିବାକୁ ହେଲେ ଦରକାର ପଡେ ଗୁଗୁଲ୍ । ହେଲେ ଏମିତି ସମୟ ଥିଲା ଗୁଗୁଲ୍କୁ ବିକ୍ରି କରିବାକୁ ନିଷ୍ପତି ନେଇଥିଲେ ପ୍ରତିଷ୍ଠାତା । ଆଜି ନିଜର ୨୫ତମ ଜନ୍ମଦିନ ପାଳନ କରୁଛି ଗୁଗୁଲ୍ । ଅଫିସିଆଲି ଲଞ୍ଚ୍ ହେବା ପୂର୍ବରୁ ଏହାର ନାଁ ‘Backrub’ ରହିଥିଲା । ଯାହା ପରିବର୍ତ୍ତନ କରାଯାଇ ରଖାଯାଇଥିଲା ଗୁଗୁଲ୍।

କମ୍ପାନୀ ଆରମ୍ଭରୁ ଅନେକ ଆହ୍ବାନର ସାମ୍ନା କରିଛି । ବର୍ତ୍ତମାନ ଦୁନିଆରେ ଗୁଗୁଲ୍ର ଯେଉଁ ପରିଚୟ ରହିଛି, ତାକୁ ଏମିତି ହିଁ ମିଳିଯାଇନି । ଏହାର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ୍ ଏଥିପାଇଁ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି । ଏତେ ପରେ ହିଁ ଯାଇ ଗୁଗୁଲ୍ ଏ ସ୍ଥାନରେ ପହଞ୍ଚି ପାରିଛି । ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ୍ ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟିର ଛାତ୍ର । ୧୯୯୮ରେ ଉଭୟ ଗୁଗୁଲ୍ର କରିଥିଲେ ଉଦ୍ଭାବନ ।

ଗୁଗୁଲ ତ ନିର୍ମାଣ ହୋଇଗଲା କିନ୍ତୁ ଏହାକୁ ଏକ ସକ୍ସେସ୍ ବିଜନେସ୍ ମଡେଲ୍ କରିବା ଥିଲା ଏକ ବଡ ଆହ୍ବାନ୍ । ବ୍ରିନ୍ ଏବଂ ଲ୍ୟାରିଙ୍କ ପାଇଁ ପ୍ରଥମେ ଅଡୁଆ ହୋଇଥିଲା ଗୁଗୁଲ୍ର ହେଡ୍କ୍ବାଟର ଖୋଜିବା । ସେମାନେ କାଲିଫର୍ନିଆର ମେନଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜରୁ ଆରମ୍ଭ କରିଥିଲେ ଗୁଗୁଲ । ଅନେକ ସଂଘର୍ଷ ପରେ ୧୯୯୮ରେ କମ୍ପାନୀ କେବଳ ୮ ଜଣ କର୍ମଚାରୀଙ୍କୁ ନେଇ ନିଜ ଅଫିସ୍ କାଲିଫର୍ନିଆର ପାଲୋ ଆଲ୍ଟୋକୁ ସ୍ଥାନାନ୍ତର କରିଥିଲା ।

କମ୍ପାନୀ ତ ଆରମ୍ଭ ହୋଇଗଲା, କିନ୍ତୁ ଏବେ ଚିନ୍ତା ଥିଲା ଫଣ୍ଡିଙ୍ଗ୍ । କାରଣ ସର୍ଗି ବ୍ରିନ୍ ଏବଂ ଲ୍ୟାରି ପେଜ୍ ପାଖରେ ନଥିଲା ଟଙ୍କା । ବିନା ଫଣ୍ଡିଙ୍ଗରେ ସେମାନେ ନିଜ ପ୍ରୋଜେକ୍ଟ ପାଇଁ ଜରୁରୀ ଡାଟା ସର୍ଭର ତିଆରି କରିବାରେ ସଫଳ ହୋଇ ହୋଇପାରି ନଥାନ୍ତେ । ଏହି ସମୟରେ ଗୁଗୁଲ୍କୁ ସମର୍ଥନ କରିଥିଲେ ସନ୍ ମାଇକ୍ରୋ ସିଷ୍ଟମର ସହ-ପ୍ରତିଷ୍ଠାତା ଆଣ୍ଡି ବେଚଟୋଲସାଇମ୍ । ସେ ପ୍ରାୟ ୮ କୋଟି ୩୨ ଲକ୍ଷ ଟଙ୍କା ଫଣ୍ଡିଙ୍ଗ୍ ଦେଇଥିଲେ ।

କମ୍ ବିଜନେସ୍ ଆଇଡିଆ ଏବଂ ଅନ୍ୟ କାରଣରୁ ଗୁଗୁଲ୍ ୫ ବର୍ଷ ଯାଏଁ ନିବେଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଥିଲା । ଏହାପରେ କମ୍ପାନୀ ଜନସାଧାରଣଙ୍କଠାରୁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଅଗଷ୍ଟ ୨୦୦୪ରେ ଏକ ଇନିସିଆଲ୍ ପବ୍ଲିକ୍ ଅଫରିଙ୍ଗ୍ ବା IPO ଜାରି କରିଥିଲା । ଗୁଗୁଲର IPO କୁ ସମର୍ଥନ କରିଥିଲେ ୱାରେନ୍ ବଫେଟ୍ । ଏମିତି ସମୟ ଆସିଥିଲା ଯେତେବେଳେ ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ ଗୁଗୁଲ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।

୧୯୯୯ରେ ଗୁଗୁଲ୍କୁ ଇଣ୍ଟରନେଟ୍ ପୋର୍ଟାଲ୍ କମ୍ପାନୀ Excite ୧ ମିଲିୟନ୍ ଡଲାରରେ ବିକ୍ରି କରିବାକୁ ଚେଷ୍ଠା କରିଥିଲେ । ଯଦିଓ ଏକ୍ସାଇଟ୍ ସିଇଓ ଜର୍ଜ ବେଲ ଏହି ଡିଲକୁ ଗ୍ରହଣ କରିନଥିଲେ । ଏହାପରେ କମ୍ପାନୀ ଚ୍ୟାଲେଞ୍ଜଗୁଡିକ ସାମ୍ନା କରି ଆଗକୁ ବଢି ଚାଲିଥିଲା । ଆଉ ଏବେ ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ହେଉଛି ବିଶ୍ବର ସବୁଠୁ ବଡ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ।
You Can Read: