ଭାରତୀୟ ଦଳ ପାଇଁ ଖୁସିର ଖବର, ଯଶପ୍ରୀତ ବୁମରାଙ୍କ ପିଠି ସର୍ଜରୀ ସଫଳ, ଖେଳି ପାରନ୍ତି ବିଶ୍ଵକପ୍
8/03/2023 at 8:36 PM

ନୂଆଦିଲ୍ଲୀ: ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ପିଠି ସର୍ଜରୀ ସଫଳ ହୋଇଛି। ଭାରତୀୟ ଦଳ ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆଶ୍ଵସ୍ତିକର ଖବର ଯେ, ବୁମରା ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ଵକପ୍ରେ ଦଳର ପ୍ରତିନିଧିତ୍ଵ କରି ପାରନ୍ତି। ରିପୋର୍ଟ ଅନୁଯାୟୀ, ଦ୍ରୁତ ବୋଲର ଯଶପ୍ରୀତ ବୁମରା ସୋମବାର ନ୍ୟୁଜିଲାଣ୍ଡରେ ନିଜ ପିଠିର ସର୍ଜରୀ କରାଇଛନ୍ତି। ସେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ରହିବେ। ବିସିସିଆଇର ଯୋଜନା ଅନୁଯାୟୀ, ବୁମରା ଅଗଷ୍ଟରେ ବିଶ୍ଵକପ୍କୁ ଦୃଷ୍ଟିରେ ରଖି ସେ ଧିରେ ଧିରେ ଅଭ୍ୟାସ୍ ଆରମ୍ଭ କରିବେ।
ଉଲ୍ଲେଖଯୋଗ୍ୟ, ବୁମରା ୨୦୨୨ ସେପ୍ଟେମ୍ବରରେ ଶେଷ ଥର କ୍ରିକେଟ୍ ଖେଳିଥିଲେ। ଏହା ପରେ ପିଠିରେ ଆଘାତ ଯୋଗୁଁ ଦଳରୁ ବାହାରିଥିଲେ। ସେ ଏସିଆ କପ୍ ୨୦୨୨ ପରେ ଟି-୨୦ ବିଶ୍ଵକପ୍ ୨୦୨୨ ମଧ୍ୟ ଖେଳି ପାରିନଥିଲେ। ବୁମରା ଆଇପିଏଲ୍ ସହିତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ବି ଖେଳିବେ ନାହିଁ।
ଏ ଖବର ପଢନ୍ତୁ- ଭାରତକୁ ବିଶ୍ଵ କପ୍ ଜିତିବାର ଅଛି ତ, ଦଳରେ ବୁମରା ରହିବା ଜରୁରୀ: ବ୍ରେଟଲି
ଏହା ପୂର୍ବରୁ ଗତ ନଭେମ୍ବରରେ ବୁମରା ଏନସିଏରେ ରିହାବ ଦେଇ ଗତି କରିଥିଲେ। ସେ ଡିସେମ୍ବରରେ ବୋଲିଂ ଅଭ୍ୟାସ୍ ଆରମ୍ଭ କରି ଦେଇଥିଲେ। ତାଙ୍କର ପ୍ରଗତିକୁ ଦେଖି ଚୟନକର୍ତ୍ତା ତାଙ୍କୁ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପାଇଁ ଦଳରେ ସାମିଲ୍ କରିଥିଲା। ତେବେ ବିସିସିଆଇ ସତର୍କତା ପୂର୍ବକ ବୁମରାଙ୍କୁ ଉକ୍ତ ଶୃଙ୍ଖଳାରୁ ବାଦ୍ ଦେଇଥିଲା। ବୁମରା ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରୁ ମଧ୍ୟ ବାଦ୍ ପଡିଛନ୍ତି।