ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ରେ ପର୍ଥରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ସିରିଜରେ ଅଗ୍ରଣୀ ହାସଲ କରିଛି। ଏହା ପରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ବ୍ୟକ୍ତିଗତ କାରଣରୁ ଭାରତ ଫେରି ଆସିଥିଲେ। ଭାରତୀୟ ଦଳ ଡିସେମ୍ବର ୬ରେ ଆଡିଲେଡ୍ରେ ପିଙ୍କ ବଲ୍ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ଏଥିପାଇଁ ଆଜି ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି ଭାରତୀୟ ପ୍ରଶିକ୍ଷକ। ସେ ଆସନ୍ତାକାଲି ଦଳରେ ଯୋଗ ଦେବେ।
ପରିବାରର କୌଣସି ସଦସ୍ୟଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗମ୍ଭୀର ନଭେମ୍ବର ୨୬ରେ ଭାରତ ଆସିଥିଲେ। ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଆଡିଲେଡ୍ ଟେଷ୍ଟରେ ଭାରତୀୟ ଦଳରେ ଯୋଗ ଦେବେ ଗମ୍ଭୀର। ଏହା ପରେ ଦ୍ଵିତୀୟ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ ତାଙ୍କ ପାଇଁ ବଡ଼ ଆହ୍ଵାନ ସୃଷ୍ଟି କରିପାରେ। ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରୋହିତ ଶର୍ମା। ଅଭ୍ୟାସ୍ ମ୍ୟାଚ୍ରେ ଶୁଭମନ ଗିଲ୍ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି।
ତେବେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ପରେ ସବୁଠୁ ବଡ଼ ପ୍ରଶ୍ନ ଆଡିଲେଡରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ କିଏ ଇନିଂସ ଓପନ କରିବ ? ରୋହିତଙ୍କ ଅନୁପସ୍ଥିତିରେ ଯଶସ୍ଵୀ ଓ କେଏଲ ରାହୁଲ ଓପନିଂ କରିଥିଲେ। ଉଭୟ ପର୍ଥ ଟେଷ୍ଟରେ ଦ୍ଵିତୀୟ ଇନିଂସରେ ଓପନିଂରେ ୨୦୧ ରନ ଯୋଡ଼ିଥିଲେ।ରାହୁଲ ପର୍ଥରେ ୭୭ ରନର ନିଂସ ଖେଳି ସଭିଙ୍କୁ ପ୍ରଭାବିତ କରିଛନ୍ତି। ଅଭ୍ୟାସ ମ୍ୟାଚ୍ରୁ ଏହି ସଙ୍କେତ ମିଳିଛି ଯେ, ରାହୁଲ ବାମହାତୀ ଜୟସ୍ଵାଲଙ୍କ ସହ ଓପନିଂ ଜାରି ରଖିବେ। ଦେଖିବାକୁ ବାକି ରହିଲା ରୋହିତ କେଉଁ କ୍ରମରେ ବ୍ୟାଟିଂ କରିବେ।