କଂଗ୍ରେସ ଲାଗି ଗୁଡ୍ ନ୍ୟୁଜ୍, ୬ ମାସରେ UPAର ବଢି ଯାଇଛି ୨୮ ସିଟ୍, ସର୍ଭେରୁ ଜଣା ପଡିଲା ଭୋଟ ସେୟାରିଂ ବି ବଢିଛି
18/02/2023 at 9:13 PM

ନୂଆଦିଲ୍ଲୀ ୧୮।୨: ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଏବେ ପାଖାପାଖି ବର୍ଷଟିଏ ସମୟ ଅଛି। ତେବେ ଏହା ପୂର୍ବରୁ ଚଳିତବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ୯ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି, ଯାହାକୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି ବିଚାର କରାଯାଉଛି। ଯେଉଁଥି ଲାଗି ଶାସକ ବିଜେପି ସମେତ ସବୁ ରାଜନୈତିକ ଦଳ ପୁରା କ୍ଷମତାର ସହ ମୈଦାନକୁ ଓହ୍ଲାଇବା ନିମନ୍ତେ ଏବେ ପ୍ରସ୍ତୁତିରେ ଲାଗିପଡିଛନ୍ତି।
ନିକଟରେ ରାହୁଲ ଗାନ୍ଧିଙ୍କ କନ୍ୟାକୁମାରୀରୁ କାଶ୍ମୀର ପଦ ଯାତ୍ରା ବିରୋଧୀଙ୍କ ମନରେ ଆଶା ସଞ୍ଚାର କରିଛି। ଏଥିରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣି ଲୋକସଭା ନିର୍ବାଚନରେ ବିଜୟୀ ହେବ ବୋଲି ଆଶା ବାନ୍ଧିଛି। ଇତିମଧ୍ୟରେ ହୋଇଥିବା ତାଜା ସର୍ଭେରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଲାଗି ଭଲ ଖବର ଆସୁଛି। ଯେଉଁଥିରେ ୟୁପିଏର ସିଟ୍ ବଢୁଥିବା ଓ ଏନଡିଏର କମୁଥିବା ଜଣାପଡିଛି। ଇଣ୍ଡିଆ ଟୁଡେ ଓ ସି-ଭୋଟର ଏହି ସର୍ଭେ କରିଛନ୍ତି।

ସର୍ଭେକ୍ଷଣ ଅନୁସାରେ ଗତ ୬ ମାସରେ ଏନଡିଏ ଆସନ ସଂଖ୍ୟା କମୁଥିବା ଜଣାପଡିଛି। ଅଗଷ୍ଟ ୨୦୨୨ରେ ବିଜେପି ନେତୃତ୍ୱାଧୀନ ଏନଡିଏ ଖାତାକୁ ୩୦୭ ଆସନ ଯାଉଥିବା ଅନୁମାନ କରାଯାଉଥିଲା। ତେବେ ଜାନୁୟାରୀ ୨୦୨୩ରେ ଏହି ଆସନ ସଂଖ୍ୟା ହ୍ରାସ ହୋଇ ୨୯୮ ହୋଇଯାଇଛି। ଏହା ସତ୍ତ୍ୱେ ମଧ୍ୟ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଦେଖାଯାଉଛି। ତେବେ ୨୦୨୨ ଜାନୁୟାରୀରେ ହୋଇଥିବା ସର୍ଭେରେ ଏନଡିଏକୁ ୨୯୬ ଆସନ ଦିଆଯାଉଥିଲା। ଏଥିରେ ଭୋଟ ସେୟାରିଂରେ ଏନଡିଏକୁ ୪୧ ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ଥିଲା। ତେବେ ଏହା ୨୦୨୩ ଜାନୁୟାରୀରେ ବଢି ୪୩ ପ୍ରତିଶତ ହୋଇଯାଇଛି।
ଏହି ହିସାବରେ ଏନଡିଏକୁ ୨ ପ୍ରତିଶତ ଅଧିକ ଭୋଟ ମିଳୁଥିବା ବେଳେ ଆସନ ସଂଖ୍ୟା କିନ୍ତୁ କମୁଥିବା ଜଣାପଡୁଛି। ଯଦିଓ ସର୍ଭେରେ ବିଜେପିର ଏନଡିଏକୁ ପୂର୍ଣ୍ଣ ବହୁମତ ମିଳୁଥିବାର ଦେଖାଯାଉଥିବା ବେଳେ ଗତ ବର୍ଷକରେ କଂଗ୍ରେସର ୟୁପିଏ ସିଟ ମଧ୍ୟ ଧିରେ ଧିରେ ବଢୁଥିବାର ଦେଖାଯାଉଛି। ଜାନୁୟାରୀ ୨୦୨୨ରେ ୟୁପିଏକୁ ୨୮ ପ୍ରତିଶତ ଭୋଟ ମିଳୁଥିବା ଦେଖାଯାଇଥିଲା। ତେବେ ୨୦୨୩ ଜାନୁୟାରୀ ବେଳକୁ ଏହି ଭୋଟ ସେୟାରିଂ ୨୯ ପ୍ରତିଶତକୁ ବଢୁଥିବା ଦେଖାଯାଉଛି।

ସେହିପରି ଆସନର କଥା କହିବାକୁ ଗଲେ ଜାନୁୟାରୀ ୨୦୨୨ରେ ୟୁପିଏକୁ ୧୨୭ଟି ସିଟ୍ ମିଳୁଥିବାର ଦେଖାଯାଇଥିଲା। ତେବେ ଅଗଷ୍ଟ ୨୦୨୨ ବେଳକୁ ଏହା ୧୨୫କୁ ଖସିଆସିଥିଲା। ଜାନୁୟାରୀ ୨୦୨୩ ସର୍ଭେକ୍ଷଣ ଅନୁସାରେ ୟୁପିଏକୁ ୧୫୩ ଆସନ ମିଳୁଥିବା ଦେଖାଯାଉଛି। ଏହି ହିସାବରୁ ଗତ ୬ ମାସରେ କଂଗ୍ରେସ ମେଣ୍ଟ ମଜଭୁତ ହେଉଥିବା ଦେଖାଯାଉଛି। ହୁଏତ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ପୁଣି ଫେରି ନ ପାରେ ହେଲେ ଆସନ ସଂଖ୍ୟା ପାଖାପାଖି ୨୮ ବଢି ଯାଉଥିବା ଦେଖାଯାଉଛି। ଏବେ ଲୋକସଭା ନିର୍ବାଚନକୁ ବର୍ଷଟିଏ ବାକି ଅଛି, ଯଦି ଏହିଟ୍ରେଣ୍ଡ ଜାରି ରହେ ତେବେ କଂଗ୍ରେସ ନିର୍ବାଚନରେ ଭଲସ୍ଥିତିକୁ ଆସିଯିବ ବୋଲି ଆଶା କରାଯାଉଛି।