ଉଦଯାପନୀ ସମାରୋହରେ ତ୍ରିରଙ୍ଗା ଧରିଲେ ଗୋଲ୍ଡେନ ଗାର୍ଲ ଅବନୀ ଲେଖରା, ଭାରତ ପାଇଁ ସବୁଠୁ ସଫଳ ରହିଲା ପାରା ଅଲିମ୍ପିକ୍ସ
5/09/2021 at 6:35 PM

ଟୋକିଓ ୦୫।୦୯: ସମାପନ ହେଲା ଟୋକିଓ ପାରା ଅଲିମ୍ପିକ୍ସ। ଉଦଯାପନୀ ସମାରୋହରେ ଭାରତ ପକ୍ଷରୁ ଜାତୀୟ ପତାକା ବହନ କରିଛନ୍ତି ଅବନି ଲେଖରା। ଟୋକିଓ ପାରା ଅଲିମ୍ପିକ୍ସ ଭାରତ ପାଇଁ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି। ଅବନୀ ଏସଏଚ୧ କାଟାଗୋରୀର ୧୦ ମିଟର ଏୟାର ପିସ୍ତଲରେ ସ୍ଵର୍ଣ୍ଣ ପଦକ ଓ ୫୦ ମିଟର ରାଇଫଲ ଥ୍ରୀ ପଜିସନରେ କାଂସ୍ୟ ପଦକ ଜିତିଛନ୍ତି। ୧୯ ବର୍ଷୀୟ ଏହି ସୁଟର ପାରା ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ସହ ଦୁଇଟି ପଦକ ଜିତିଛନ୍ତି। ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୯ ପଦକ ଜିତିବାରେ ସଫଳ ହୋଇଛି।
ଅବନୀଙ୍କ ବ୍ୟତୀତ ସିଂହରାଜ ଟୋକିଓ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ଏବଂ ୫୦ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ଜିତିଛନ୍ତି। ପ୍ରଥମ ଥର ପାରା ଅଲିମ୍ପିକ୍ସରେ ସାମିଲ୍ ବ୍ୟାଡମିଣ୍ଟନରେ ଓଡିଆ ପୁଅ ପ୍ରମୋଦ ଭଗତ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି।
ଭାଗ ନେଲେ ୧୧ ଆଥଲେଟ୍
ଉଦଯାପନୀ ସମାରୋହରେ ଭାରତର ୧୧ ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି। ଅଗଷ୍ଟ ୨୪ରେ ଉଦଘାଟନୀ ଉତ୍ସବରେ ୫ ଆଥଲେଟ୍ ଭାଗ ନେଇଥିଲେ। ସଟ୍ପୁଟର ଚେକଚନ୍ଦ ଧ୍ଵଜବାହକ ଥିଲେ। ପାରା ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଦଳ ୧୯ ପଦକ ଜିତି ତାଲିକାର ଶୀର୍ଷ ୨୫ରେ ରହିଛି। ଭାରତ ୫ ସ୍ଵର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ଜିତି ଇତିହାସ ରଚିଛି।
Change begins with sports… First time a woman para athlete marches with the National Flag.. thank you @AvaniLekhara .. you so richly deserve this honor. You have in true sense won hearts of Indians. #Tokyoparalympics2020 #closingceremony Oh it’s farewell time already. Sayonara pic.twitter.com/Zi6VaZdQRI
— Deepa Malik (@DeepaAthlete) September 5, 2021
ବ୍ୟାଡମିଣ୍ଟନରେ ୭ ଖେଳାଳି, ଜିତିଲେ ୪ ପଦକ
ବ୍ୟାଡମିଣ୍ଟନକୁ ପ୍ରଥମ ଥର ଅଲିମ୍ପିକ୍ସରେ ସାମିଲ୍ କରାଯାଇଥିଲା। ଏଥିରେ ଭାରତର ୭ ଖେଳାଳି ବିଭିନ୍ନ ବର୍ଗରେ ଭାଗ ନେଇଥିଲେ। ଏଥିରୁ ଚାରି ଜଣ ଖେଳାଳି ପଦକ ଜିତିଛନ୍ତି। ପ୍ରମୋଦ ଭଗତ ଓ କୃଷ୍ଣା ନାଗର ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସୁହାନ ୟଥିରାଜ ରୌପ୍ୟ ଓ ମନୋଜ ସରକାର କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି।
ପାରା ଅଲିମ୍ପିକ୍ସରେ ୧୬୩ ଦେଶର ୪୫୦୦ ଖେଳାଳି ସାମିଲ୍
ପାରା ଅଲିମ୍ପିକ୍ସରେ ୧୬୩ ଦେଶର ପ୍ରାୟ ୪୫୦୦ ଖେଳାଳି ୨୨ କ୍ରୀଡାର ୪୫୦ ବର୍ଗରେ ଯୋଗ ଦେଇଥିଲେ।