୧୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା, ଚାଷୀ ପରିବାରରୁ ଅଲିମ୍ପିକ୍ସ ଯାତ୍ରା...

Published By : Prameya-News7 Bureau | August 07, 2021 IST

ନୂଆଦିଲ୍ଲୀ ୦୭।୦୮:  ୧୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା। ପହିଲମାନ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିବା ପରେ ଜାଭେଲିନ ଫିଙ୍ଗାରେ ନୀରଜ ଚୋପ୍ରା ଶନିବାର ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ପ୍ରଥମ ଆଥଲେଟ୍ ଭାବେ ଫିଲ୍ଡ ଆଣ୍ଡ ଟ୍ରାକରେ ଅଲିମ୍ପିକ୍ସ ଇତିହାସରେ ନୀରଜ ଭାରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଆଜିର ତାରିଖ ଭାରତ କ୍ରୀଡା ପାଇଁ ସ୍ମରଣୀୟ ମୁହୂର୍ତ୍ତ ପାଲଟିଛି। ୮୭.୫୮ ମିଟର ଜାଭେଲିନ ଫିଙ୍ଗି ନୀରଜ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ଵର୍ଣ୍ଣ ଉପରେ କବଜା କରିଛନ୍ତି। ଏହା ସହିତ ସେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ଜିତିବାରେ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ଵିତୀୟ ଭାରତୀୟ ଆଥଲେଟ୍ ହେବାର ଗୌରବ ଅର୍ଜନ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ସପ୍ତମକୁ ଛୁଇଁଛି। ଏଥିସହ ଭାରତ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ୬ ପଦକୁ ପଛରେ ପକାଇ ଦେଇଛି।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ନିଜର ପ୍ରଥମ ପ୍ରୟାସରେ ୮୬.୬୫ ମିଟରର ଥ୍ରୋ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ନୀରଜ। ସବୁଠୁ ବଡ କଥା ନୀରଜ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୨୦୧୭ର ବିଶ୍ଵ ଚାମ୍ପିଅନ ଜୋହାନେସ ଓ୍ଵେଟରଙ୍କୁ ମାତ୍ ଦେଇଥିଲେ। ଅଲିମ୍ପିକ୍ସ ଇତିହାସରେ ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବି ଆଥଲେଟ୍ ଟ୍ରାକ୍ ଆଣ୍ଡ ଫିଲ୍ପ ପ୍ରତିଯୋଗିତାରେ ପଦକ ଜିତି ନଥିଲେ। ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଏହି ମରୁଡିର ଅନ୍ତ ଘଟାଇ ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି।

ନୀରଜ ଚୋପ୍ରାଙ୍କ ଜୀବନି ସଂପର୍କରେ...

ନୀରଜ ଚୋପ୍ରା ହରିୟାଣାର ପାନିପତ ଜିଲ୍ଲାର ଖାନ୍ଦ୍ରା ଗାଁର ବାସିନ୍ଦା। ୧୯୯୭ ଡିସେମ୍ବର ୨୪ରେ ନୀରଜ ଏକ ଚାଷୀ ପରିବାରରେ ହୋଇଥିଲା। ସେ ଚଣ୍ଡିଗଡରେ ଡିଏଭି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ନୀରଜ ୨୦୧୬ରେ ଆଇଏଏଏଫ ବିଶ୍ଵ ୨୦ ବର୍ଷରୁ କମ ପ୍ରତିଯୋଗିତାରେ ପୋଲାଣ୍ଡରେ ହୋଇଥିବା ଆଇଏଏଏଫ ଚାମ୍ପିଅନଶିପରେ ୮୬.୪୮ ମିଟର ଦୂର ଫିଙ୍ଗି ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ସେନାରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।

୨୦୧୮ରେ ଇଣ୍ଡୋନେସିଆର ଜାକାର୍ତ୍ତାରେ ଏସୀୟ କ୍ରୀଡାର ଆୟୋଜନ ହୋଇଥିଲା। ଏଥିରେ ନୀରଜ ଚୋପ୍ରା ୮୮.୦୬ ମିଟର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏସୀୟ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିବାରେ ଭାରତର ପ୍ରଥମ ଆଥଲେଟ୍ ହେବାର ଗୌରବ ଅର୍ଜନ କରିଥିଲେ। ଏସୀୟ କ୍ରୀଡାରେ ଜାଭେଲିନ ଫିଙ୍ଗାରେ ଭାରତ ଅଦ୍ୟାବଧି କେବଳ ଦୁଇଟି ପଦକ ଜିତିଛି।

୮୮.୦୭ ମିଟର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ହେଲେ ୨୦୧୮ରେ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଥିବା ନୀରଜ ଆହତ ହୋଇଥିଲେ। ଏହା ପରେ କରୋନା ଭାଇରସ୍  ବିଶ୍ଵ ମହାମାରୀ କାରଣରୁ ଜାଭେଲିନ ଫିଙ୍ଗାର କୌଣସି ପ୍ରତିଯୋଗିତାର ଆୟୋଜନ ହୋଇ ପାରିନଥିଲା। ୨୦୨୧ ଇଣ୍ଡିଆନ ଗ୍ରାଁ ପ୍ରିକ୍ସରେ ନୀରଜ ୮୮.୦୭ ମିଟର ଜାଭେଲିନ ଫିଙ୍ଗି ନିଜ ରେକର୍ଡ ଭାଙ୍ଗିଥିଲେ। ଜାଭେଲିନ ଫିଙ୍ଗାରେ ନୀରଜଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି।

ଛୋଟ ବେଳୁ ଦେଖାଇଥିଲେ ଦମ

୨୩ ବର୍ଷୀୟ ନୀରଜ ଆଥଲେଟ୍ ଅଞ୍ଜୁ ବିବି ଜର୍ଜଙ୍କ ପରେ ଦ୍ଵିତୀୟ ଭାରତୀୟ ଆଥଲେଟ ଯିଏ ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ହେଲେ ଅଲିମ୍ପିକ୍ସରେ ଭାରତ ପକ୍ଷରୁ କୌଣସି ଆଥଲେଟ୍ ସ୍ଵର୍ଣ୍ଣ ପଦକ ଜିତିନଥିଲେ। ୨୦୧୬ରେ ଦକ୍ଷିଣ ଏସୀୟ କ୍ରୀଡାରେ ୮୨.୨୩ ମିଟର ଦୂର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ। ଏହା ପରେ ୨୦୧୭ରେ ନୀରଜ ୮୫.୨୩ ମିଟର ଫିଙ୍ଗି ଏସୀୟ ଆଥଲେଟିକ୍ସ ଚାମ୍ପିଅନଶିପରେ ସ୍ଵର୍ଣ୍ଣ ପଦକ ଜିତି ପାରିଥିଲେ।

ନୀରଜଙ୍କ ସଫଳତା

ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ନୀରଜ ଏସୀୟ କ୍ରୀଡା ୨୦୧୮ ଜାକାର୍ତ୍ତାରେ ସ୍ଵର୍ଣ୍ଣ ପଦକ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ ଗୋଲ୍ଡ କୋଷ୍ଟ ସ୍ଵର୍ଣ୍ଣ ପଦକ, ଏସୀୟ ଚାମ୍ପିଅନଶିପ ୨୦୧୭ ଭୁବନେଶ୍ଵର ସ୍ଵର୍ଣ୍ଣ ପଦକ, ଦକ୍ଷିଣ ଏସୀୟ କ୍ରୀଡା ଗୌହ୍ଵାଟୀ ୨୦୧୬ରେ ସ୍ଵର୍ଣ୍ଣ ପଦକ, ବିଶ୍ଵ ଜୁନିୟର ଚାମ୍ପିଅନଶିପ ୨୦୧୬  ସ୍ଵର୍ଣ୍ଣ ପଦକ, ଏସୀୟ ଜୁନିୟର ଚାମ୍ପିଅନଶିପ ୨୦୧୬ରେ  ରୌପ୍ୟ ପଦକ ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.