ପୋଲିସ ପଞ୍ଝାରେ ଗହଣା ଚୋରି ରାକେଟ୍ : ୨ କିଲୋ ସୁନା ଅଳଙ୍କାର ଜବତ, ୫ ଅଟକ
3/10/2023 at 2:20 PM

ବ୍ରହ୍ମପୁର ୩।୧୦: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ପୋଲିସ ପଞ୍ଝାରେ ଗହଣା ଚୋରି ରାକେଟ୍ । ଦୁଇ କିଲୋ ୭୦୦ ଗ୍ରାମ ଗହଣା ଓ ୨୬ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୫ ଜଣ ଅଟକ ଅଛନ୍ତି । ବ୍ରହ୍ମପୁର ନିମଖଣ୍ଡି ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏକ ବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ପୋଲିସ ଏକ ବଡ଼ ଗହଣା ଚୋରି ରାକେଟ୍ର ପର୍ଦ୍ଦାଫାସ୍ କରିଛି । ରାକେଟ୍ର ୫ ସଦସ୍ୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରୁ ୨ କେଜି ୭୦୦ ଗ୍ରାମର ସୁନା ଓ ୨୬ ଲକ୍ଷ ଟଙ୍କା ଜବତ କରିଛି । ଏକାବେଳକେ ଏତେ ପରିମାଣର ଚୋରି ସୁନା ଦେଖି ପୋଲିସ ବି ଜଳକା ହୋଇଯାଇଛି । ତେବେ ତଦନ୍ତରେ ବାଧା ଉପୁଜିବା କାରଣରୁ ଏ ସଂପର୍କରେ ପୋଲିସ ମୁହଁ ଖୋଲୁନାହିଁ ।
ଗତ ୨୧ ତାରିଖରେ ହୋଇଥିବା ଅଭିଯୋଗ ପ୍ରକାରରେ ଲୋଚାପଡ଼ା ନିକଟସ୍ଥ ବିଜୟ ବିହାର ତୃତୀୟ ଲାଇନ୍ରେ ରହୁଥିବା କାଳୀଚରଣ ପଣ୍ଡାଙ୍କ ଘରୁ ୩୦ ଭରି ସୁନା ଚୋରି ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସେଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍ ଅଧାରରେ ପୋଲିସ ଚୋରକୁ ବିଶାଖାପାଟଣାରୁ କାବୁ କରିଥିଲା । ତେବେ ତାଙ୍କୁ ଅଧିକ ପଚରାଉଚରା କରିବାରୁ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଜାଣିବାକୁ ପାଇଥିଲା । ତା’ର ସୂଚନାକୁ ଭିତ୍ତି କରି ପୋଲିସ ବିଭିନ୍ନ ସ୍ଥାନରୁ ୫ ଜଣଙ୍କୁ ଉଠାଇ ନେଇଥିଲା । ସେମାନଙ୍କଠାରୁ ପୋଲିସକୁ ୨ କେଜି ୭ ଶହ ଗ୍ରାମ୍ ସୁନା ଅଳଙ୍କାର ଓ ୨୬ ଲକ୍ଷ ଟଙ୍କା ମିଳିଛି । ତେବେ ଏ ସଂପର୍କରେ ନିମଖଣ୍ଡି ଥାନାଧିକାରୀ ଭାବାନନ୍ଦ ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି ।
You Can Read :