ସୋମବାର ରେକର୍ଡ ଭାଙ୍ଗିଲା ସୁନା ଦର: ୬୪ ହଜାର ପର୍ଯ୍ୟନ୍ତ ବଢିପାରେ ମୂଲ୍ୟ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ସୋମବାର ରେକର୍ଡ ଭାଙ୍ଗିଲା ସୁନା ଦର। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ୱେବ୍‌ସାଇଟ୍‌ ଅନୁସାରେ, ଜାନୁଆରୀ ୯ ତାରିଖରେ ଦିଲ୍ଲୀ ସରଫା ବଜାରରେ ସୁନା ମୂଲ୍ୟ ୭୪୯ ଟଙ୍କା ମହଙ୍ଗା ହୋଇଛି। ଫଳରେ ନୂଆ ମୂଲ୍ୟ ୫୬ ହଜରା ୩୩୬ ହୋଇଛି। ଏହା ପୂର୍ବରୁ ୨୦୨୦ ସୁନା ସବୁଠାରୁ ଅଧିକ ଥିଲା। ୧୦ ଗ୍ରାମ ପ୍ରତି ମୂଲ୍ୟ ୫୬ ୨୦୦ ଟଙ୍କା ହୋଇଥିଲା। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଚଳିତ ବର୍ଷ ସୁନା ମୂଲ୍ୟ ୬୦ ହଜାର ପ୍ରତି ୧୦ ଗ୍ରାମ ଯାଇପାରେ।

ତେବେ କେବଳ ସୁନା ନୁହେଁ ଆଜି ରୁପା ମୂଲ୍ୟରେ ବି ଅହେତୁକ ବୃଦ୍ଧି ହୋଇଛି। ସୋମବାର ରୁପା ୧୧୮୬ ଟଙ୍କା ବଢ଼ି କେଜି ୬୯,୦୭୪ ଟଙ୍କା ହୋଇଛି। ଜାନୁଆରୀ ୬ ତାରିଖରେ ରୁପା ମୂଲ୍ୟ ୬୭,୮୮୮ ଥିଲା।  

୨୦୨୨ ସୁନା-ରୁପା ମୂଲ୍ୟରେ ଅହେତୁକ ବୃଦ୍ଧି

ଗତବର୍ଷ ସୁନା ଓ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୨ରେ ସୁନା ମୂଲ୍ୟ ୬,୫୮୮ ଟଙ୍କା ବଢ଼ି ୧୦ ଗ୍ରାମ ପ୍ରତି ମୂଲ୍ୟ ୪୮,୨୭୯ରୁ ୫୪୮୬୭ ହୋଇଛି। ସେହିଭଳି ରୁପା ମଲ୍ୟ କେଜି ପ୍ରତି ୬୨,୦୩୫ରୁ ବଢ଼ି ୬୮,୦୯୨ ହୋଇଛି। ଅର୍ଥାତ୍ ବର୍ଷକ ଭିତରେ ରୁପା ମୂଲ୍ୟରେ ୬,୦୬୭ ଟଙ୍କା ବୃଦ୍ଧି ହୋଇଛି। ୨୦୨୩ରେ ସୁନା ମୂଲ୍ୟ ୬୪ ହଜାର ପର୍ଯ୍ୟନ୍ତ ଯିବ ବୋଲି ଏକ୍ସପର୍ଟମାନେ କହୁଛନ୍ତି।

ଦେଶ ସ୍ୱାଧୀନ ପରଠାରୁ ୭୫ ବର୍ଷ ଭିତରେ ସୁନା ଦାମ ୬୩୧ ଗୁଣା ବଢ଼ିଛି  

ବିଗତ ୭୫ ବର୍ଷ ଭିତରେ ସୁନା ଓ ରୁପା ମୂଲ୍ୟ ଦ୍ରୁତ ଗତିରେ ବଢ଼ିଛି। ୧୯୪୭ ମସିହାରେ ଯେବେ ଦେଶ ସ୍ୱାଧିନ ହେଲା ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୮.୬୨ ଟଙ୍କା ଥିଲା। ହେଲେ ଏବେ ସୁନା ମୂଲ୍ୟ ୫୬ ହଜାର ଅତିକ୍ରମ କରିଛି। ଅର୍ଥାତ ସେବେଠାରୁ ସୁନା ମୂଲ୍ୟ ୬୩୧ ଗୁଣା(୬୩୧୯୮ ପ୍ରତିଶତ) ବଢ଼ିଛି। ସେହିଭଳି ରୁପା ମୂଲ୍ୟରେ ବି ୬୪୪ ଗୁଣା ବୃଦ୍ଧି ହୋଇଛି। ୧୯୪୭ରେ ରୁପା ମୂଲ୍ୟ କେଜି ପ୍ରତି ୧୦୭ ଟଙ୍କା ଥିଲା। ହେଲେ ଏବେ ୬୯,୦୭୪ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.