ଚଳିତ ସପ୍ତାହରେ ସୁନା ୭୩୨ ଟଙ୍କା ମହଙ୍ଗା, ରୁପା ୨ ହଜାର ଟଙ୍କାରୁ ଅଧିକ ବଢ଼ିଛି

Published By : Prameya-News7 Bureau | July 19, 2025 IST

internet

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଚଳିତ ସପ୍ତାହରେ ସୁନା ମୂଲ୍ୟରେ ୭୩୨ ଟଙ୍କା ବୃଦ୍ଧି ପାଇଛି। ଗତ ସପ୍ତାହର ଶେଷ କାରବାର ଦିନ (ଜୁଲାଇ ୧୧ ତାରିଖ)ରେ ସୁନା ଦର ୯୭,୫୧୧ ଟଙ୍କା ଥିଲା, ଯାହା ଚଳିତ ଶପ୍ତାହ ଶେଷ କାରବାର ଦିନ (ଜୁଲାଇ ୧୮) ରେ ୯୮,୨୪୩ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍, ଗୋଟିଏ ସପ୍ତାହରେ ସୁନା ମୂଲ୍ୟ ୭୩୨ ଟଙ୍କା ବୃଦ୍ଧି ପାଇଛି।

ତେବେ ରୁପା ଠାରୁ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ୧୧ ଜୁଲାଇରେ ରୁପା ୧,୧୦,୨୯୦ ଟଙ୍କା ଥିଲା, ଯାହା ୧୮ ଜୁଲାଇ ସୁଦ୍ଧା ୧,୧୨,୭୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ସପ୍ତାହରେ ରୁପା ମୂଲ୍ୟରେ ୨,୪୧୦ ଟଙ୍କା ବୃଦ୍ଧି ପାଇଛି। ୧୪ ଜୁଲାଇରେ, ରୂପା ୧,୧୩,୮୬୭ ର ସର୍ବକାଳୀନ ସର୍ବାଧିକ ମୂଲ୍ୟ ହାସଲ କରିଥିଲା। ସେହିପରି ସୁନା ମଧ୍ୟ ଜୁନ୍ ୮ ତାରିଖରେ ୯୯,୪୫୪ ର ସର୍ବକାଳୀନ ସର୍ବାଧିକ ମୂଲ୍ୟ ହାସଲ କରିଥିଲା।

କାଲି ବି ବଢ଼ିଛି ସୁନା ଓ ରୁପା ଦର

ଆସନ୍ତାକାଲି ଶୁକ୍ରବାର (୧୮ ଜୁଲାଇ) ସୁନା ଏବଂ ରୁପା ମୂଲ୍ୟରେ ବି ତୀବ୍ର ବୃଦ୍ଧି ଦେଖିବାକୁ ମିଳିଥିଲା। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ  ୭୯୦  ଟଙ୍କା ବୃଦ୍ଧି ହୋଇ ଭରି ୯୮,୨୪୩ ହୋଇଥିଲା। ଏହା ପୂର୍ବଦିନ ସୁନା ମୂଲ୍ୟ ୯୭,୪୫୩ ଟଙ୍କା ଥିଲା।

ସେହିପରି ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୧୭୦୦ ବୃଦ୍ଧି ପାଇ ୧,୧୨,୭୦୦ ହୋଇଥିଲା। ପୂର୍ବରୁ ରୂପା  ୧,୧୧,୦୦୦ ଥିଲା। 

୯ କ୍ୟାରେଟ ସୁନାରେ ବିଆଇଏସ୍‌ ହଲମାର୍କ ବାଧ୍ୟତାମୂଳକ

ଏବେ ୯ କ୍ୟାରେଟ ସୁନାରେ ତିଆରି ଅଳଙ୍କାରରେ ବି ଭାରତୀୟ ମାନକ ବ୍ୟୁରୋ(ବିଆଇଏସ) ହଲ୍‌ ମାର୍କ ବାଧ୍ୟତାମୂଳକ କରାଯାଇଛି। ଏପର୍ଯ୍ୟନ୍ତ ଏହି ହଲ୍‌ ମାର୍କ କେବଳ  ୨୪, ୨୩, ୨୨, ୨୦, ୧୮ ଏବଂ ୧୪ କ୍ୟାରେଟ୍ ସୁନା ଅଳଙ୍କାରରେ ଲାଗୁଥିଲା। ଏବେ ୯ କ୍ୟାରେଟ୍‌ରେ ଲାଗିବ ବୋଲି ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହଲମାର୍କ ସୁନାର ଶୁଦ୍ଧତାକୁ ନିଶ୍ଚିତ କରେ। ତଥାପି, ସୁନାରେ ତିଆରି ଘଣ୍ଟା ଏବଂ କଲମରେ ଆଉ ହଲମାର୍କ ଆବଶ୍ୟକ ନାହିଁ ବୋଲି ବିଆଇଏସ କହିଛି।

ଏନେଇ ଅଲ୍ ଇଣ୍ଡିଆ ଜେମ୍ ଆଣ୍ଡ୍ ଜୁଏଲାରୀ ଡୋମେଷ୍ଟିକ୍ କାଉନସିଲ୍ କହିଛି ଯେ ଏବେ ସମସ୍ତ ଅଳଙ୍କାର ବ୍ୟବସାୟୀ ଏବଂ ହଲମାର୍କିଂ କେନ୍ଦ୍ରଗୁଡ଼ିକୁ BISର ନୂଆ ନିୟମ ପାଳନ କରିବାକୁ ପଡିବ। ନୂଆ ନିୟମ ଅନୁଯାୟୀ, ୯ କ୍ୟାରେଟ୍ ସୁନା (୩୭୫ ପିପିଟି) ମଧ୍ୟ ବାଧ୍ୟତାମୂଳକ ହଲମାର୍କିଂ ପରିସରକୁ ଆସିଛି। ପୂର୍ବରୁ ୯ କ୍ୟାରେଟ୍ ସୁନା ପାଇଁ ଏହା ଆବଶ୍ୟକ ନଥିଲା। କିନ୍ତୁ ଏବେ ଗ୍ରାହକମାନଙ୍କୁ ସୁନାର ଶୁଦ୍ଧତା ବିଷୟରେ ସଠିକ୍ ସୂଚନା ଦେବା ପାଇଁ ଏହାକୁ ହଲମାର୍କିଂ କରିବା ଆବଶ୍ୟକ ରହିଛି ବୋଲି ବିଆଇଏସ୍ କହିଛି। 

୯ କ୍ୟାରେଟ୍ ଗୋଲ୍ଡ ହଲ୍ ମାର୍କ ନିୟମରେ ଏକାଧିକ ଫାଇଦା ହେବ। ଏଥିରେ ମଧ୍ୟବିତ୍ତ ବର୍ଗକୁ ଲାଭ ମିଳିବ। ଏହାର ମୂଲ୍ୟ କମ୍ ହେବ, ଲୋକମାନେ ଶସ୍ତା ବିକଳ୍ପ ପାଇବେ। ସେହିପରି ଶୁଦ୍ଧତା ଗ୍ୟାରେଣ୍ଟି ମଧ୍ୟ ମିଳିବ। ହଲମାର୍କ ୯ କ୍ୟାରେଟ୍ ସୁନାର ୩୭.୫% ଶୁଦ୍ଧତା ଗ୍ୟାରେଣ୍ଟି ରହିବ। ଏଥିରେ ହଲମାର୍କ ଠକେଇକୁ ରୋକିବା ସହିତ ବିଶ୍ୱାସ ବୃଦ୍ଧି ହେବ। ଅଳଙ୍କାର ବ୍ୟବସାୟୀମାନଙ୍କୁ BIS ନିୟମ ପାଳନ କରିବାକୁ ପଡିବ। ହଲମାର୍କ ଯୋଗୁ ୟୁକେ ଏବଂ ୟୁରୋପରେ ବିକ୍ରୟ ସହଜ ହେବ।

ସୂଚନା ଥାଉକି, ହଲମାର୍କିଂ BIS ଆଇନ, ୨୦୧୬ ଅନୁଯାୟୀ କରାଯାଏ। ଏହା ଅଳଙ୍କାର ଏବଂ କଳାକୃତିରେ ମୂଲ୍ୟବାନ ଧାତୁର ପରିମାଣକୁ ପ୍ରମାଣିତ କରେ। ଏଥିରେ ଗ୍ରାହକ ସେମାନଙ୍କର ଅଳଙ୍କାରରେ ସୁନା କେତେ ଶୁଦ୍ଧ ତାହା ଜାଣିପାରନ୍ତି। ହଲମାର୍କିଂ ଗ୍ରାହକମାନଙ୍କୁ ଠକାମିର ଶିକାରରୁ ରକ୍ଷା କରିପାରିବ। ହଲମାର୍କିଂର ୮ଟି ଗ୍ରେଡ୍ ଅଛି। ପ୍ରତ୍ୟେକ ଗ୍ରେଡ୍ ସୁନାର ଶୁଦ୍ଧତାକୁ ସୂଚିତ କରେ। ବର୍ତ୍ତମାନ ଏହି ତାଲିକାରେ ୯କ୍ୟାରେଟ ସୁନା ମଧ୍ୟ ଯୋଡା ଯାଇଛି। ଏହା ଗ୍ରାହକମାନଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବ। 

ଶନିବାର ସୁଦ୍ଧା ଭୁବନେଶ୍ୱର ସମେତ ୪ଟି ମହାନଗରରେ ୧୦ ଗ୍ରାମ ସୁନାର ମୂଲ୍ୟ

• ଦିଲ୍ଲୀ: ୨୪ କ୍ୟାରେଟ୍ ସୁନାର ମୂଲ୍ୟ ₹୯୯,୫୨୦ ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ₹୯୧,୨୫୦
• ମୁମ୍ବାଇ: ୨୪ କ୍ୟାରେଟ୍ ସୁନାର ମୂଲ୍ୟ ₹୯୯,୩୮୦ ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ₹୯୧,୧୦୦
• କୋଲକାତା: ୨୪ କ୍ୟାରେଟ୍ ସୁନାର ମୂଲ୍ୟ ₹୯୯,୩୮୦ ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ₹୯୧,୧୦୦
• ଚେନ୍ନାଇ: ୨୪ କ୍ୟାରେଟ୍ ସୁନାର ମୂଲ୍ୟ ₹୯୯,୩୮୦ ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ₹୯୧,୧୦୦
• ଭୁବନେଶ୍ୱର: ୨୪ କ୍ୟାରେଟ୍ ସୁନାର ମୂଲ୍ୟ ₹୧୦୦,୦୪୦ ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ₹୯୧,୭୦୦

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.