ବେଙ୍ଗାଲୁରୁ ୨୩।୫: କର୍ଣ୍ଣାଟକରେ ଗତ ଦୁଇ ଦିନ ହେଲା ଲାଗି ରହିଥିବା ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବେଙ୍ଗାଲୁରୁ ମଲେଶ୍ୱରରେ ଥିବା ନିହାନ ଜ୍ୱେଲରୀରେ ବର୍ଷା ପାଣି ପଶି ଯାଇଛି। ବର୍ଷାପାଣି ସୁଅରେ ଦୋକାନରୁ ପାଖାପାଖି ଦୁଇ କୋଟି ଟଙ୍କାର ସ୍ୱର୍ଣ୍ଣ ଆଭୂଷଣ ଭାସି ଯାଇଥିବା ଜ୍ୱେଲରୀର ମାଲିକ କହିଛନ୍ତି। ଦୋକାନରେ କାମ କରୁଥିବା କର୍ମଚାରୀମାନେ କହିଛନ୍ତି ଯେ ବର୍ଷା ପାଣି ସହ ଅଳିଆ ଆବର୍ଜନା ମଧ୍ୟ ଦୋକାନ ମଧ୍ୟକୁ ପଶି ଆସିଥିଲା। ଫଳରେ ଦୋକାନ ସଟର ପକାଇ ହୋଇ ନଥିଲା। ଏଣୁ ଅଳଙ୍କାର ଭାସି ଯାଇଥିବା ସେମାନେ କହିଛନ୍ତି।
ତେବେ ଦୋକାନରେ ବର୍ଷା ପାଣି ପଶିବା ପାଇଁ ଦୋକାନ ନିକଟରେ ଚାଲିଥିବା ରାସ୍ତା କାମକୁ ମାଲିକ ଦାୟି କରିଛନ୍ତି। ଦୋକାନ ମାଲିକ ଏ ସମ୍ପର୍କରେ ନିଗମ ଅଧିକାରୀମାନଙ୍କୁ ପୂର୍ବରୁ କହିଥିଲେ। ହେଲେ ଦୋକାନରେ ବର୍ଷା ପାଣି ପଶିବା ବେଳେ ନିଗମ ଅଧିକାରୀଙ୍କୁ କଲ କରିବାରୁ କେହି ଜବାବ ଦେଇ ନଥିଲେ ବୋଲି ଦୋକାନ ମାଲିକ କହିଛନ୍ତି। ଦୋକାନରୁ ବର୍ଷା ପାଣିରେ ୮୦ ପ୍ରତିଶତ ଗହଣା ଭାସି ଯାଇଥିବା ଦୋକାନ ମାଲିକ କହିଛନ୍ତି। ଯାହାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ହେବ ବୋଲି ସେ ଅନୁମାନ କରିଛନ୍ତି।
{"id":791211,"sizeSlug":"full","linkDestination":"none"}
ଦୁଇ ଦିନର ବର୍ଷାରେ ସହରରେ ପ୍ରଚୁର ପରିମାଣରେ ଆବର୍ଜନା ଜମା ହୋଇଯାଇଛି। ଆବର୍ଜନା ସଫା କରିବା ପାଇଁ ନିଗମ କର୍ମଚାରୀ କାମ ଆରମ୍ଭ କରିଛନ୍ତି। ଏବେବି ସହରର ଅନେକ ମୁଖ୍ୟ ସଡ଼କ ଉପରେ ପାଣି ଛିଡା ହୋଇ ରହିଛି। ବର୍ଷା ଯୋଗୁ ଗଛ ପଡିବାର ପ୍ରାୟ ୬୦୦ରୁ ଅଧିକ ଅଭିଯୋଗ ବିବିଏମପିରେ ହୋଇଥିବା ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ ମହାଲକ୍ଷ୍ମୀ ଲେଆଉଟ୍ରେ ଥିବା ୨୦ରୁ ଅଧିକ ଘରେ ପାଣି ଭରି ଯାଇଛି।
ଇଲେକ୍ଟ୍ରୋନିକ ସିଟିରେ ସୋମବାର ମଧ୍ୟ ଜୋର ବର୍ଷା ହୋଇଥିଲା। ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ବର୍ଷାରେ କୁଆପଥର ପଡିଥିଲା। ଏହି ବର୍ଷା ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ଏଥିରେ ଅନେକ ସଡ଼କରେ ପାଣି ହୋଇଯାଇଥିଲା। ଫଳରେ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ଅନେକ ସ୍ଥାନରେ ବାହନ ଚାଳକ ଅଟକି ରହିଥିଲେ। ନିମ୍ନାଞ୍ଚଳରେ ଥିବା ଘରମାନଙ୍କରେ ସ୍ୱିରେଜ ପାଣି ଭରି ଯାଇଥିବା ଜଣାପଡିଛି।
{"id":791212,"sizeSlug":"full","linkDestination":"none"}
କୋଟ୍ଟି ଗେହଲ୍ଲିରେ ସର୍ବାଧିକ ୭୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଡୋଡାଥୋଗୁରୁରେ ୪୨ ମିମି, ସିଂହସାନ୍ଦ୍ରାରେ ୩୪ ମିମି, ବୋମନହଲ୍ଲିରେ ୩୦ ମିମି, ଚୁନଚନକୁପ୍ପେରେ ୨୬ ମିଲିମିଟର ବର୍ଷା ହୋଇଥିବା ବେଳେ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟମ ବର୍ଷା ହୋଇଛି। ଦୁଇ ଦିନ ଧରି ସହରରେ କୁଆପଥର ବର୍ଷାରେ ୪୦୦ରୁ ଅଧିକ ଗଛ ଉପୁଡି ପଡିଛି। ଏଥିରୁ କେବଳ କବ୍ବନ ପାର୍କ ଅଞ୍ଚଳରେ ୫୦ରୁ ଅଧିକ ଗଛ ଉପୁଡି ପଡିଛି।