ଭାରତର ଗୋଲ୍ଡ ମ୍ୟାନ୍‌, ଗାଡ଼ିରେବି ଲଗାଇଛନ୍ତି ସୁନା

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ: ଆମ ଭାରତୀୟଙ୍କର ସୁନା ପ୍ରତି ଦୁର୍ବଳତା ଖୁବ୍‌ ଯଥେଷ୍ଟ। ସୁନା କିଣିବା ତଥା ବ୍ୟବହାର କରିବା ଆମକୁ ବେଶ୍ ପସନ୍ଦ । ପୁଣି ବିବାହ ଉତ୍ସବ ତ’ ସୁନା ବିନା ଅଧୁରା । ଏଥିପାଇଁ ତ’ ସାରା ବିଶ୍ବରେ ଭାରତ ହେଉଛି ଏହି ମୂଲ୍ୟବାନ ଧାତୁର ସବୁଠୁ ବଡ଼ ଗ୍ରାହକ ଦେଶ। ଏହା ଛଡ଼ା ସୁନା ଆମର ଧନ ସମ୍ପତ୍ତିକୁ ମଧ୍ୟ ଦର୍ଶାଇଥାଏ।

ତେବେ କେବଳ ଯେ, ସୁନା ପ୍ରତି ଭାରତୀୟଙ୍କର ହିଁ ଦୁର୍ବଳତା ରହିଛି ତାହା ନୁହେଁ। ଅନ୍ୟ ଦେଶରେ ମଧ୍ୟ ଲୋକେ ଖୁବ୍‌ ପସନ୍ଦ କରନ୍ତି ସୁନା। ଦୁବାଇରେ ତ’ ଲୋକେ କାର୍‌ରେ ମଧ୍ୟ ସୁନା ଖଚିତ କରିଥାନ୍ତି। ଅବଶ୍ୟ ଏହି ପ୍ରଥା ଭାରତରେ ଦେଖିବାକୁ ମିଳିନଥାଏ। ତଥାପି ଆମ ଭାରତରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ସୁନାର ସଉକ ଏତେ ଅଧିକ ଯେ, ସେମାନେ ନିଜ ଗାଡ଼ିରେ ମଧ୍ୟ ସୁନାର ବ୍ୟବହାର କରିଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।

ଆହୁରି ପଢ଼ନ୍ତୁ: ଭାରତୀୟମାନେ ଖାଇବାରେ କମ୍, ଟିଭି ଫ୍ରିଜ୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି: ରିପୋର୍ଟ

ଏଭଳି ସୁନା ପ୍ରେମୀ ହେଉଛନ୍ତି ପୁନେ ପିମ୍ପରୀ-ଛିନ୍ଦଓ୍ବାଡାର ସନି ଓ୍ବାଘଛୁରେ ଏବଂ ମହରାଷ୍ଟ୍ରର ଜଣେ ବ୍ୟକ୍ତି। ସନି ଓ୍ବାଘଛୁରେଙ୍କୁ ଗୋଲ୍ଡ ମ୍ୟାନ୍‌ ଭାବରେ ମଧ୍ୟ ଜଣା। ସନିଙ୍କ ପାଖରେ ଏଭଳି ଅନେକ କାର୍‌ ରହିଛି ଯାହା ସୁନା ଖଚିତ ହୋଇଛି। ସନିଙ୍କର ପ୍ରଥମ କାର୍‌ ହେଉଛି ମର୍ସିଡିଜ୍‌ ବେଞ୍ଜ ଇ-କ୍ଲାସ୍‌। ତେବେ ଏହି କାର୍‌ ସତରେ ସୁନାରେ ଆଚ୍ଛାଦିତ ହୋଇନାହିଁ ଏହା କେବଳ ଏକ ସୁନା ଭଳି ଦେଖାଯାଉଥିବା ଆସ୍ତରଣ। ୨୦୧୨ରେ ଲଞ୍ଚ ହୋଇଥିବା ଏହି କାର୍‌ ଖୁବ୍‌ ଲୋକପ୍ରିୟ ଥିଲା। ଏହା ମର୍ସିଡିଜ୍‌ର ସବୁଠୁ ଲୋକପ୍ରିୟ ମଡେଲ ମଧ୍ୟ।

ଏହାପରେ ନିଜର ଅଡି କ୍ୟୁ୭ରେ ମଧ୍ୟ ସୁନାର ଆସ୍ତରଣ ଲଗାଇଛନ୍ତି ସନି । ଏହି କାର୍‌ ମଧ୍ୟ ଭାରତରେ ଖୁବ୍‌ ଲୋକପ୍ରିୟ ହୋଇଥିଲା। ପୁରୁଣା ଜେନେରେସନର କ୍ୟୁ୭ ଗୋଟିଏ ସମୟରେ ବଲିଉଡ ତାରକାଙ୍କ ବେଶ୍‌ ପସନ୍ଦ ଥିଲା। ଏହା ପରେ ସୁନାର ଆସ୍ତରଣ ଥିବା ତାଙ୍କ କାର୍‌ର ନାଁ ହେଉଛି ଜାଗୁଆର ଏକ୍ସଏଫ୍‌। ସେହିଭଳି ସନିଙ୍କ ପାଖରେ ଏକ ଅଡି ଏଥ୍ରୀ ଏବଂ ରେଞ୍ଚ ରୋଭର ଭୋଗ୍‌ ମଧ୍ୟ ରହିଛି। ଅବଶ୍ୟ ଏଗୁଡ଼ିକୁ ସେ ସୁନା ରଙ୍ଗର କରିନାହାଁନ୍ତି। ହୁଏତ ଆଗାମୀ ସମୟରେ ଏଥିରେ ସୁନାର ଆସ୍ତରଣ ଲଗାଇପାରନ୍ତି।

ଆହୁରି ପଢ଼ନ୍ତୁ: କେଉଁ ରାଜ୍ୟର ଲୋକେ କରୁଛନ୍ତି ସବୁଠାରୁ ଅଧିକ ଓ କମ୍ ଖର୍ଚ୍ଚ? ଓଡ଼ିଶାରେ ପ୍ରତି ବ୍ୟକ୍ତି ମାସିକ ଖର୍ଚ୍ଚ କେତେ ?

ସନିଙ୍କ ବ୍ୟତୀତ ମହରାଷ୍ଟ୍ରରେ ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏକି ନିଜ ରୟାଲ ଏନଫିଲ୍ଡ ବୁଲେଟକୁ ଦେଇ ସୁନାର ଆସ୍ତରଣ। ତେବେ ଏହା ସୁନା ଭଳି ଦେଖାଯାଉଥିଲେବି ଏହା ଏଥିରେ ପିତ୍ତଳ ଏବଂ ସୁନା ଭଳି ଦେଖାଯାଉଥିବା ଏହି ମୋଟରସାଇକେଲର ଅନେକ ଅଂଶ ଯେମିତିକି ଇଣ୍ଡିକେଟର, ହେଡଲ୍ୟାମ୍ପ କଭର, ନମ୍ବର ପ୍ଲେଟ ଆଦିକୁ ପିତ୍ତଳରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।

ସେ ଆହୁରି ମଧ୍ୟ କ୍ରାସ୍ ଗାର୍ଡ, ଫୁଟରେଷ୍ଟ, କ୍ଲଚ, ବ୍ରେକ୍‌ ଲିଭର, ଓଡୋମିଟରକୁ ମଧ୍ୟ ବଦଳାଇଛନ୍ତି। ତେବେ ଏମାନଙ୍କ ବ୍ୟତୀତ କେରଳର ଜଣେ ବ୍ୟବସାୟୀ ବବି ଚେମ୍ମାନୂରଙ୍କ ମଧ୍ୟ ଏକ ରଲ୍ସ ରଏସ ରହିଛି । ଯାହା ସୁନାର ଆଚ୍ଛାଦିତ। ଏମିତିକି ଏହି କାର୍‌ ଭଡ଼ା ପାଇଁ ମଧ୍ୟ ବ୍ୟବହାର ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.