ସୁନା ଆମଦାନୀ ହେଉ ନଥିଲେ ଅନେକ ପୂର୍ବରୁ ୫ ଟ୍ରିଲିୟନ ଡଲାରକୁ ଛୁଅନ୍ତାଣି GDP!
21/11/2023 at 4:10 PM

ନୂଆଦିଲ୍ଲୀ ୨୧।୧୧: ସୁନା ଆମଦାନୀ ଭାରତର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ପିଏମ-ଇଏସି)ର ଅସ୍ଥାୟୀ ସଦସ୍ୟ ନିଲେଶ ଶାହ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ ଦେଶର ଯଦି ସୁନା ଆମଦାନୀ ଅଭ୍ୟାସ ନଥାନ୍ତା ତେବେ ଭାରତ ୫,୦୦୦ ବିଲିୟନ ଡଲାର (୫ ଟ୍ରିଲିୟନ ଡଲାର) ମୋଟ ଜିଡିପି ଟାର୍ଗେଟକୁ ବହୁ ପୂର୍ବରୁ ହାସଲ କରିସାରନ୍ତାଣି। ସେ କହିଛନ୍ତି ଯେ ଗତ ୨୧ ବର୍ଷରେ ଭାରତୀୟ କେବଳ ସୁନା ଆମଦାନୀରେ ୫୦୦ ବିଲିୟନ ଡଲାରର ବ୍ୟୟ କରି ଦେଇଛନ୍ତି।

ଶାହ କହିଛନ୍ତି ଯେ ୫ ଟ୍ରିଲିୟନ ଜିଡିପି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ହାସଲ ଦିଗରେ ଆମେ ସମସ୍ତେ କାମ କରୁଛେ। ତେବେ ଆମେ କେବଳ ଗୋଟିଏ ଅଭ୍ୟାସରୁ ନିଜକୁ ଦୂରରେ ରଖି ବହୁ ପୂର୍ବରୁ ୫,୦୦୦ ବିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ରୂପାନ୍ତରିତ ହୋଇସାରନ୍ତେଣି। ବୋଧ ହୁଏ ଆମେ ସଠିକ ଆର୍ଥିକ ନିବେଶ କରି ନପାରି ଭାରତର ଜିଡିପିର ଏକ ତୃତୀୟାଂଶ ହରାଇ ଦେଇଛେ। ସେ କହିଛନ୍ତି ଯେ ଯଦି ଏହି ବିପୁଳ ଅର୍ଥ ଆମେ ସୁନାରେ ନିବେଶ ନ କରି ଟାଟା, ଅମ୍ବାନୀ, ବିରଳା ଓ ଆଦାନୀଙ୍କ ଭଳି ଉଦ୍ୟୋଗୀଙ୍କ ସଂସ୍ଥାରେ ନିବେଶ କରିଥାନ୍ତେ ଏଥିରୁ କଳ୍ପନା କରନ୍ତୁ ଆଜି ଆମର ଜିଡିପି କେଉଁଠି ଥାନ୍ତା?

ଏଥିରେ କୋଟାକ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶାହ ଅଧିକାରୀକ ତଥ୍ୟକୁ ଆଧାର କରି କହିଛନ୍ତି ଯେ ଭାରତୀୟମାନେ ଗତ ୨୧ ବର୍ଷରେ ସୁନା ଆମଦାନୀ ନିମନ୍ତେ ଏକ ବିଶାଳ ରାଶି ବ୍ୟୟ କରିଦେଇଛନ୍ତି, ଏହା ସହିତ ନିୟମିତ ଭାବେ ସୁନା ତସ୍କରୀର ଖବର ମଧ୍ୟ ଆସୁଛି। ଏଥିରୁ ସୁନା ପାଇଁ ଭାରତୀୟଙ୍କ ଆକର୍ଷଣ କେତେ ତାହା ସହଜରେ ଅନୁମାନ କରାଯାଇ ପାରେ। ଖାସ ଏଥି ଲାଗି ସୁନା ଉପରେ ଏକ ବିଶାଳ ରାଶି ବ୍ୟୟ ହେଉଛି, ଯାହା ଦେଶ ବାହାରକୁ ଚାଲି ଯାଉଛି। ୨୦୨୨ ଆର୍ଥିକ ବର୍ଷରେ ଭାରତ ୩.୪ ଟ୍ରିଲିୟନ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଆମଦାନୀ କରିଥିବାର ଅନୁମାନ କରାଯାଉଛି। ଏହା ପୂର୍ବ ବର୍ଷ ତୁଳନାରେ ପାଖାପାଖି ୩୫ ପ୍ରତିଶତ ଅଧିକ ଥିଲା ଯେତେବେଳେ ଭାରତର ସୁନା ଆମଦାନୀ ୨.୫ଟ୍ରିଲିୟନ ଟଙ୍କାରୁ ଅଧିକ ଥିଲା।
ବେଶି ଦୂର ନୁହେଁ ୫ ଟ୍ରିଲିଅନ୍ର ସ୍ୱପ୍ନ; ପ୍ରଥମ ଥର ପାଇଁ ୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି