୪୩ ହଜାର ଟପିଲା ସୁନା, ରୂପା ଦରରେ ରେକର୍ଡ ବୃଦ୍ଧି
19/02/2020 at 4:45 PM

ନୂଆଦିଲ୍ଲୀ ୧୯।୨: ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ପୁଣି ମହଙ୍ଗା ହେଲା ସୁନା। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟରେ ୭୦୦ ଟଙ୍କା ବୃଦ୍ଧି ସହ ପ୍ରଥମ ଥର ୪୩ ହଜାର ଟଙ୍କାରେ କାରବାର ହେଉଥିବା ଦେଖାଯାଇଛି। ଷ୍ଟାଣ୍ଡାର୍ଡ ସୁନା ଦର ପ୍ରତି ଦଶ ଗ୍ରାମ ୪୩ ହଜାର ୧୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରୂପା ଦର ୬୦୦ ଟଙ୍କା ବୃଦ୍ଧି ହୋଇ ୪୮ହଜାର ୬୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।

ବଜାର ବିଶେଷଜ୍ଞଙ୍କ ଅନୁସାରେ ଚୀନରେ କରୋନା ଭୂତାଣୁ ସଂକ୍ରମଣ ଏବେ ସୁରକ୍ଷିତ ନିବେଶ ଆଡକୁ ଲୋକେ ଢଳିଛନ୍ତି। ଏଣୁ ସୁନାରେ ପୁଣି ନିବେଶ ଏପରି ଦରବୃଦ୍ଧିର କାରଣ ପାଲଟିଛି। ସେପଟେ ଦେଶରେ ଏବେ ବିବାହ ଋତୁ ଆରମ୍ଭ ହୋଇଥିବାରୁ ସୁନାଗହଣା ପ୍ରତି ଚାହିଦା ମଧ୍ୟ ଦରବୃଦ୍ଧିର ଅନ୍ୟ ଏକ କାରଣ ବୋଲି କୁହାଯାଇଛି।

ମଙ୍ଗଳବାର ବ୍ୟବସାୟ ବନ୍ଦ ଥିଲା। ଏଣୁ ଅନ୍ତର୍ଜାତୀୟ ବଜାରରେ ପ୍ରତି ଆଉନ୍ସ ସୁନା ମୂଲ୍ୟ ପ୍ରାୟ ୧ହଜାର ୬୦୦ ଡଲାରକୁ ଛୁଇଁଥିଲା। ସ୍ଥାନୀୟ ବଜାରରେ ଷ୍ଟାଣ୍ଡାର୍ଡ ସୁନା ଦରରେ ୭୦୦ ଟଙ୍କା ବୃଦ୍ଧି ଦେଶରେ ଇତିହାସ ସୃଷ୍ଟି କରିଛି। ଫଳରେ ପ୍ରଥମ ଥର ୪୩ ହଜାର ଟଙ୍କା ପାର କରି ସୁନା ନୂଆ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ରୂପା ଦର ମଧ୍ୟ ନୂଆ ରେକର୍ଡ କାୟମ କରିଛି।