ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଗିରଫ ହେବେନି ବିଜେପି ନେତା ଗୋଲକ ଓ ଭୃଗୁ

Published By : Prameya-News7 Bureau | March 12, 2019 IST

କଟକ ୧୨/୩: ଛତ୍ରପୁର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଆଶ୍ବସ୍ତି ମିଳିଛି। ଏହି ଦୁଇ ଜଣଙ୍କୁ ହାଇକୋର୍ଟ ଆଜି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଏମାନଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ସମନ ଜାରି କରିଥିଲା।

ଗୋଲକ ମହାପାତ୍ର ପ୍ରଥମ ଥର ସମନ ପରେ ଥରେ ଛତ୍ରପୁର ପୋଲିସ ନିକଟରେ ହାଜର ହୋଇଥିଲେ। କିନ୍ତୁ ଦ୍ବିତୀୟ ଥର ସମନ ପରେ ସେ ନିଜର ଅସୁସ୍ଥତା ଦର୍ଶାଇ ଥାନାରେ ହାଜର ହୋଇନଥିଲେ। ସେହିଭଳି ଭୃଗୁ ବକ୍ସିପାତ୍ର ମଧ୍ୟ ସମନ ପାଇବା ପରେ ନିଜ ଓକିଲଙ୍କ ମାଧ୍ୟମରେ ଅସୁସ୍ଥତା ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନଥିଲେ। ତେବେ ଉଭୟ ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ର ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

ଅଦାଲତ ଆଗୁଆ ଜାମିନ ସମ୍ପର୍କରେ ସମ୍ପୂର୍ଣ୍ଣ ଶୁଣାଣି କରିନଥିଲେ ମଧ୍ୟ ଏମାନଙ୍କୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଫଳରେ ଏହି ସମୟ ମଧ୍ୟରେ ପୋଲିସ ଏମାନଙ୍କୁ ଗିରଫ କରିପାରିବ ନାହିଁ। ୨୦୧୭ମସିହା ସେପ୍ଟେମ୍ବର ୧୬ତାରିଖରେ ଲକ୍ଷ୍ମୀଦତ୍ତଙ୍କୁ ତାଙ୍କ ଛତ୍ରପୁର ସ୍ଥିତ ବାସଭବନରେ ଗୋଷ୍ଠୀବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଏଥିରେ ଲକ୍ଷ୍ମୀଦତ୍ତ ଗୁରୁତର ଭାବେ ଆହତ ହୋଇଥିଲେ। ବ୍ରହ୍ମପୁର ମେଡିକାଲକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଡେରାଡୁନରେ ଆତ୍ମଗୋପନ କରିଥିଲେ। ଅଭିଯୁକ୍ତମାନଙ୍କୁ ଫେରାର କରିବା କ୍ଷେତ୍ରରେ ଗୋଳକ ମହାପାତ୍ରଙ୍କ ଭୂମିକା ଥିଲା ବୋଲି ଅଭିଯୋଗ ହୋଇଥିଲା। ଫେବୃୟାରୀ ମାସ ୭ତାରିଖ ଓ ୯ତାରିଖରେ ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଯଥାକ୍ରମେ ହାଜର ହେବା ପାଇଁ ପୋଲିସ ସମନ ଜାରରି କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.