ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା, କଣ୍ଟାବାଞ୍ଜି ଜେଲରେ ଛାନ୍ଭିନ୍
23/12/2022 at 8:39 AM

ବଲାଙ୍ଗୀର ୨୩/୧୨: ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ମାମଲାରେ ସି.ଆଇ.ଡି. ସିବି ଟିମ୍ କଣ୍ଟାବାଞ୍ଜି ଜେଲରେ ଛାନଭିନ କରିଛି । ସାଙ୍ଗରେ ସାଇଣ୍ଟିଫିକ୍ ଏକ୍ସପର୍ଟ ମଧ୍ୟ ଥିଲେ । ୱାର୍ଡ ନମ୍ବର ୧, ଯେଉଁଠାରେ ଗୋବିନ୍ଦ ସାହୁ ରହୁଥିଲେ ସେଠାକୁ ଯାଇଥିଲେ ତଦନ୍ତକାରୀ ଦଳ ।
ଗୋବିନ୍ଦଙ୍କ ମୃତ୍ୟୁ ପରେ ଏହି ୱାର୍ଡକୁ ସିଲ୍ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିବା ପରେ ଏହି ୱାର୍ଡକୁ ଖୋଲାଯାଇଥିଲା। ତଦନ୍ତକାରୀ ଟିମ୍ ଜେଲରେ ବିଭିନ୍ନ ତଥ୍ୟ ,କାଗଜପତ୍ର ଯାଞ୍ଚ କରିଥିଲେ। କିଛି ହାତଲେଖା କାଗଜ , ମେଡିସିନ୍ ଫାଇଲ, ଏଫ.ଆଇ.ଆର୍. କପିକୁ ସିଜ୍ କରାଯାଇଛି। ସେହିପରି ଗୋବିନ୍ଦଙ୍କୁ ପ୍ରତିଦିନ କେଉଁ ଔଷଧ ଖାଇବାକୁ ଦିଆଯାଉଥିଲା ଏସବୁର ତଥ୍ୟ ସିଜ୍ କରାଯାଇଛି।
ଏଥିସହିତ ଜେଲ୍ ର କିଛି ଅନ୍ତେବାସୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସେହିପରି ଜେଲରେ ଲାଗିଥିବା ୧୬ଟି ସିସିଟିଭିର ସ୍ଥାନ ଯାଞ୍ଚ କରାଯାଇଥିବା ବେଳେ ,ଏହାର ଫୁଟେଜ୍ ଦେବା ଲାଗି ଜେଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଘଟଣାର ଗୁରୁତ୍ବ ଦେଖି କ୍ରାଇମବ୍ରାଞ୍ଚ ଆଇ.ଜି. କଣ୍ଟାବାଞ୍ଜିରେ ଅଛନ୍ତି।