ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ
13/03/2023 at 4:15 PM

ଭୁବନେଶ୍ବର ୧୩।୩: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ତଦନ୍ତକୁ ନେଇ ପ୍ରଶ୍ନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ଅପରାଧିକ ଘଟଣାରେ ନିରପେକ୍ଷ ତଦନ୍ତରେ ଚଞ୍ଚକତା କରାଯାଉଛି । ଅଭିଯୁକ୍ତଙ୍କୁ ଖସାଇଦେବାକୁ ତଦନ୍ତକାରୀ ସଂସ୍ଥା ସହଯୋଗ କରୁଛି ।
ଗତ ମାସ ଜାନୁଆରୀ ୨୯ ତାରିଖରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଛି । ୪୫ଦିନରେ ପହଞ୍ଚିଲାଣି ହତ୍ୟାକାଣ୍ଡ କିନ୍ତୁ ଉଦ୍ଦେଶ୍ୟ ସାମ୍ନାକୁ ଆଣିବାରେ କ୍ରାଇମବ୍ରାଞ୍ଚ ବିଫଳ । ଅନେକ ମାମଲାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକଙ୍କ ସଂପୃକ୍ତି ଥିବା ସତ୍ତ୍ବେ ସେମାନଙ୍କ ନାମକୁ ଏଫଆଇଆରରୁ କାଟି ଦିଆଯାଉଛି । ଏତଲାକୁ ପରିବର୍ତ୍ତନ କରୁଛି ତଦନ୍ତକାରୀ ସଂସ୍ଥା । ଅନେକ ମନ୍ତ୍ରୀଙ୍କୁ ଏ ରାଜ୍ୟରେ ବଳିଦାନ ଦେବାକୁ ପଡ଼ୁଛି କିମ୍ବା ଅକାଳରେ ସରକାର ପଡ଼ି କେତେକ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ବିଦା କରିବାକୁ ପଡିଛି । ସେମାନେ କ’ଣ ସମସ୍ତେ ଅପାରଗ, ଅପରାଧୀ ଓ ଦୁର୍ନୀତିଖୋର ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
କଣ୍ଟାବାଞ୍ଝି ଜେଲରେ ଗତ ଡ଼ିସେମ୍ବର ୨୯ରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା କୁହାଗଲା । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି । ନୟାଗଡ଼ ପରି ଯାଜପୁର ସ୍ମିତାରାଣୀ, ମାହାଙ୍ଗା ଡବଲ ମର୍ଡର, ଏସିଏଫ ସୌମ୍ୟରଞ୍ଜନ, କ୍ୟାମେରାମ୍ୟାନ ମାନସ ସ୍ବାଇଁ କିମ୍ବା ନିମାପଡ଼ାରେ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ହତ୍ୟା ଷଡଯନ୍ତ୍ରର ଶିକାର ହୋଇଛନ୍ତି । ଏଥିରେ ଶାସକ ଦଳର ଅନେକ ନେତା ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ହେଲେ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ଏପରିକି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ କେନ୍ଦୁଝର ବିଧାୟକ ଭାଗିରଥି ସେଠୀଙ୍କ ବିରୋଧରେ ଅଭିଯୋଗ ଥିଲେ ମଧ୍ୟ ପୋଲିସ FIR କ’ଣ ପାଇଁ ରଖୁନାହିଁ । ଉଭୟ ମାମଲାରେ କ୍ରାଇମବ୍ରାଞ୍ଚର ବିଶ୍ୱାସନୀୟତାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ । ସରକାର ସ୍ପଷ୍ଟ କରିବେ କି ତାଙ୍କ ତଦନ୍ତକାରୀ ସଂସ୍ଥା କେତେ ସ୍ୱଚ୍ଛ । ନଚେତ୍ CBI ତଦନ୍ତ କରନ୍ତୁ ସରକାର ।କ୍ଷୀର କ୍ଷୀର ଆଉ ପାଣି ପାଣି ହୋଇଯିବ ।