୫୦ ଯାତ୍ରୀଙ୍କୁ ଛାଡ଼ି ଉଡ଼ାଣ ଭରିଲା ବିମାନ, ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ
9/01/2023 at 8:43 PM

ନୂଆଦିଲ୍ଲୀ, ୦୯/୦୧: ୫୦ ଯାତ୍ରୀଙ୍କୁ ଛାଡ଼ି ଉଡ଼ାଣ ଭରିଲା ବିମାନ। ଗୋ ଫାର୍ଷ୍ଟର ଏକ ବିମାନ ଆଜି ସକାଳେ ଉଡ଼ାଣ ଭରିଥିଲା। ବଡ଼ କଥା ହେଉଛି ଯେ ବିମାନଟି ଜଣେ ନୁହେଁ କି ଦୁଇ ଜଣ ନୁହେଁ ପୁରା ୫୦ ଯାତ୍ରୀଙ୍କୁ ଛାଡ଼ି ଉଡ଼ାଣ ଭରିଥିଲା। ଯାହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ କରିଥିଲେ ଏବଂ ବିମାନ କମ୍ପାନୀର ଅବହେଳାକୁ ନେଇ ଟ୍ବିଟ୍ କରିଛନ୍ତି।
ସୂଚନା ଅନୁଯାୟୀ, ଗୋ ଫାର୍ଷ୍ଟର ଜି୮ ୧୧୬ ବିମାନ ସକାଳ ପ୍ରାୟ ୬:୩୦ ରେ ବେଙ୍ଗାଲୁରୁରୁ ଦିଲ୍ଳୀ ପାଇଁ ଉଡ଼ାଣ ଭରିଥିଲା। କିନ୍ତୁ ବିମାନ ୫୦ ରୁ ଅଧିକ ଯାତ୍ରୀଙ୍କୁ ବିମାନ ବନ୍ଦରରେ ହିଁ ଛାଡ଼ି ଉଡ଼ାଣ ଭରିଥିଲା। ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦତ୍ୟ ସିନ୍ଧିଆ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟାଳୟକୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ତେବେ ଗୋ ଫାର୍ଷ୍ଟ ଏୟାରଲାଇନ୍ କିଛି ଟ୍ବିଟର ଉତ୍ତର ଦେଇ ୟୁଜର୍ସଙ୍କୁ ନିଜ ଡିଟେଲ ସେୟାର କରିବାକୁ କହିଛି। ବିମାନ କମ୍ପାନୀ ଟ୍ବିଟ୍ କରି ଏହି ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି।
ଶ୍ରେୟା ସିହ୍ନା ନାମକ ଜଣେ ଯାତ୍ରୀ ଏହାକୁ ସବୁଠୁ ଭୟଙ୍କର ଅନୁଭବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିମାନପାଇଁ ଯାତ୍ରୀ ସକାଳ ୫.୩୫ ରେ ବସ୍ରେ ବସିଥିଲେ କିନ୍ତୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବସ୍ରେ ହିଁ ରହିଥିଲେ। ତିନିଟି ବସ୍ ବିମାନ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ନେବାର ଥିଲା କିନ୍ତୁ ତୃତୀୟ ବସ୍ ଏକ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ଫଳରେ ୫୦ ଯାତ୍ରୀ ପଛରେ ରହିଯାଇଥିଲା। ତେବେ ଏହି ଯାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ସକାଳ ୧୦ ଟାରେ ଏୟାର ଇଣ୍ଡିଆ ବିମାନରେ ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା।