ଇଞ୍ଜିନରେ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ଗୋ ଫାଷ୍ଟ ବିମାନ, ଯାତ୍ରା କରୁଥିଲେ ୯୨ ଯାତ୍ରୀ

Published By : Prameya-News7 Bureau | August 12, 2022 IST

ବେଙ୍ଗାଲୁରୁ ୧୨।୮: ଶୁକ୍ରବାର ବେଙ୍ଗାଲୁରୁରୁ ମାଲଦ୍ବୀପ ଅଭିମୁଖେ ଯାଉଥିବା ଗୋ ଫାଷ୍ଟର ଏକ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଇଞ୍ଜିନ ଅତ୍ୟଧିକ ଗରମ ହେବା ନେଇ ଆଲାର୍ମ ବାଜିବା ପରେ ବିମାନଟିକୁ ତୁରନ୍ତ କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ବିମାନରେ ୯୨ ଜଣ ଯାତ୍ରୀ ଥିଲେ । ତାମିଲନାଡୁ ସହର ଉପରେ ଉଡାଣ ଭରିବା ସମୟରେ ପାଇଲଟଙ୍କୁ ଧୂଆଁ ନେଇ ସୂଚନା ମିଳିଥିଲା । ପିଟିଆଇ ଅନୁସାରେ, ଦୁଇଟି ଇଞ୍ଜିନ ଅତ୍ୟଧିକ ଗରମ ହେବା ପରେ ଆଲାର୍ମ ବନ୍ଦ ହୋଇଯାଇଥିଲା । ଇଞ୍ଜିନିୟରମାନେ ଇଞ୍ଜିନ ଯାଞ୍ଚ କରି ଆଲାର୍ମରେ କିଛି ତ୍ରୁଟି ଥିବା କହିଥିଲେ । ବିମାନ ଉଡାଣ ପାଇଁ ଫିଟ୍ ଥିବା ନେଇ ଘୋଷଣା ମଧ୍ୟ କରିଥିଲେ ।

ଗୋ ଫାଷ୍ଟର ମୁଖପାତ୍ର କହିଛନ୍ତି ଯେ, ଶୁକ୍ରବାର ପାଖାପାଖି ୧୨ଟା ସମୟରେ ବିମାନ ଏୟାରବସ୍ ୩୨୦ ଉଡାଣ ଭରିଥିଲା । ଉଡାଣ ଭରିବାର ପ୍ରାୟ ୧ ଘଣ୍ଟା ପରେ ଇଞ୍ଜିନ ଅତ୍ୟଧିକ ଗରମ ହେବା ନେଇ ଆଲାର୍ମ ବାଜିଥିଲା । ପାଇଲଟ ତୁରନ୍ତ ଏୟାର ଟ୍ରାଫିକ ନିୟନ୍ତ୍ରଣ ସହ ଯୋଗାଯୋଗ କରି ନିକଟସ୍ଥ କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା । ବିମାନ ଅବତରଣ କରିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାର କର୍ମଚାରୀମାନେ ରନୱେ ନିକଟରେ ରହିଥିଲେ ।

ସେ ଆହୁରି କହିଛନ୍ତି ଯେ, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି । ସମଗ୍ର ବିମାନଟିକୁ ଯାଞ୍ଚ କରାଯାଇଛି। ଖୁସିର କଥା ବିମାନରେ ନିଆଁର କୌଣସି ଚିହ୍ନ ନଥିଲା । ଏହାସହ ଗୋ ଫାଷ୍ଟ ଇଞ୍ଜିନିୟରିଂ ଟିମ୍ ବିମାନଟିର ଯାଞ୍ଚ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.