ଜୁନ୍ ଶେଷ ସୁଦ୍ଧା ପୁଣି ବିମାନ ପରିଚାଳନା ଆରମ୍ଭ କରିପାରେ ଗୋ ଫାଷ୍ଟ, ମହଙ୍ଗା ବିମାନ ସେବାରୁ ମିଳିବ ଆଶ୍ବସ୍ତି
15/06/2023 at 7:15 PM

ନୂଆଦିଲ୍ଲୀ, ୧୫/୦୬: ଜୁନ୍ ଶେଷ ସୁଦ୍ଧା ପୁଣି ବିମାନ ପରିଚାଳନା ଆରମ୍ଭ କରିପାରେ ଗୋ ଫାଷ୍ଟ। ଗତ ମାସରେ ନିଜକୁ ଦେବାଳିଆ ଘୋଷିତ କରିଥିବା ବିମାନ କମ୍ପାନି ଗୋ ଫାଷ୍ଟ ଚଳିତ ମାସରେ ଏହାର ଉଡ଼ାଣ ସେବା ଆରମ୍ଭ କରିପାରେ। କମ୍ପାନିର ପୁନଃରୁଦ୍ଧାର ଯୋଜନାକୁ ଅନୁମତି ମିଳିବା ପରେ କମ୍ପାନି ନିଜର ୯୦ ପ୍ରତିଶତ ନିୟମିତ ଉଡ଼ାଣ ଜୁନ୍ ମାସ ଶେଷ ସୁଦ୍ଧା ଆରମ୍ଭ କରିଦେବ।
ମିଳିଥିବା ସୂଚନା ଅନୁଯାୟୀ, ଗୋ ଫାଷ୍ଟ ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏକୁ ଏହାର ପୁନଃରୁଦ୍ଧାର ଯୋଜନା ହସ୍ତାନ୍ତର କରିଛି। ଏହି ହିସାବରେ କମ୍ପାନି ପ୍ରତିଦିନ ୧୫୭ ବିମାନ ପରିଚାଳିତ କରିପାରେ। ଅବଶ୍ୟ ବିମାନ କମ୍ପାନି ପୂର୍ବରୁ ଘରୋଇ ଉଡ଼ାଣ କ୍ଷେତ୍ରରେ ୧୬୭ ବିମାନ ପରିଚାଳିତ କରୁଥିଲା। ତେବେ ଡିଜିସିଏ ଗୋ ଫାଷ୍ଟର ମଞ୍ଜୁରୀ ମିଳିବା ପରେ ଆଗାମୀ ଦୁଇ ସପ୍ତାହ ଭିତରେ ବିମାନ ସେବା ଆରମ୍ଭ କରିଦେବ। ଗୋ ଫାଷ୍ଟର ପୁନଃରୁଦ୍ଧାର ଯୋଜନା ଅନୁଯାୟୀ, ବର୍ତ୍ତମାନ କମ୍ପାନି ପାଖରେ ଉଡ଼ାଣ ଭରିବା ପାଇଁ ୩ ବିମାନ ଏବେବି ରହିଛି। ସେହିଭଳି ପ୍ରତିଦିନ ୧୫୭ ବିମାନ ପରିଚାଳିତ କରିବା ପାଇଁ କମ୍ପାନି ପାଖରେ ଏବେବି ୫୦୦ରୁ ଅଧିକ ପାଇଲଟ୍ ଅଛନ୍ତି।
ଆହୁରି ପଢ଼ନ୍ତୁ: ୩୦ ଦିନ ଭିତରେ ଦିଅ ପୁନଃରୁଦ୍ଧାର ଯୋଜନାର ବିସ୍ତୃତ ରିପୋର୍ଟ: ଗୋ ଫାଷ୍ଟକୁ ଡିଜିସିଏର ଚିଠି
ସୂଚନାଯୋଗ୍ୟ, ମେ ୩ରେ ଗୋ ଫାଷ୍ଟ ଏହାର ବିମାନ ସେବା ବନ୍ଦ କରିଥିଲା। ପ୍ରାଟ୍ ଆଣ୍ଡ୍ ହ୍ବିଟନୀର ଖରାପ ଇଞ୍ଜିନ୍ କାରଣରୁ କମ୍ପାନିର ୫୦ ପ୍ରତିଶତରୁ ଅଧିକ ବିମାନ ଉଡ଼ାଣ ଭରିବାରେ ସକ୍ଷମ ନଥିଲେ। ଏମିତିରେ କମ୍ପାନି ପାଇଁ ପ୍ରତିଦିନର ଖର୍ଚ୍ଚ ଚଳାଇବା ମୁସ୍କିଲ ହୋଇପଡ଼ିଥିଲା। ଆଉ ଯେତେବେଳେ କମ୍ପାନିକୁ ଲାଗିଥିଲା ଯେ, ବିମାନର ପେମେଣ୍ଟ ଡିଫଲ୍ଟ ଯୋଗୁଁ ଦେବାଳିଆ ହୋଇପାରେ କିମ୍ବା ତାହା ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୋଇପାରେ।
ସେତେବେଳେ କମ୍ପାନି ନିଜେ ହିଁ ଏନସିଏଲଟିର ଦ୍ବାରସ୍ଥ ହୋଇଥିଲା ଏବଂ ନିଜ ବିରୋଧରେ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିବା ସହ କିଛି ସମୟ ମାଗିଥିଲା। ଏନସିଏଲଟି ତରଫୁ କମ୍ପାନିର ଏହି ଇଚ୍ଛା ପୂଣ ମଧ୍ୟ ହୋଇଥିଲା। ଦେଶରେ ଗୋ ଫାଷ୍ଟ ଘରୋଇ ଉଡ଼ାଣ କ୍ଷେତ୍ରର ୬.୪ ପ୍ରତିଶତ ସହଭାଗିତା ରହିଛି। କମ୍ପାନିର ବିମାନ ବନ୍ଦ ହେବା ଦ୍ବାରା ବିମାନ ଯାତ୍ରାର ଦାମ୍ରେ ବୃଦ୍ଧି ହୋଇଥିଲା। ସେହିଭଳି ଲୋକଙ୍କୁ ନିଜର ଯାତ୍ରା ଯୋଜନା ପୁଣି ଥରେ କରିବାକୁ ପଡ଼ିଥିଲା।
ଆହୁରି ପଢ଼ନ୍ତୁ: ଗୋ ଫାଷ୍ଟର ଆବେଦନ ସ୍ୱୀକାର କଲା ଏନସିଏଲଟି, ସସପେଣ୍ଡ୍ ହେଲା ବୋର୍ଡ