ନୂଆଦିଲ୍ଲୀ: ବୈଶ୍ୱିକ ମହାମାରୀ କରୋନା ପରେ ଆର୍ଥିକ ବୃଦ୍ଧି ଏବଂ ଶ୍ରମ ଚାହିଦା ବୃଦ୍ଧି ଯୋଗୁଁ ସାରା ଦୁନିଆରେ ୧୫ରୁ ୨୪ ବର୍ଷୀୟ ଯୁବବର୍ଗଙ୍କ ଲାଗି ଶ୍ରମ ବଜାରରେ ସ୍ଥିତି ସୁଧିରିଛି । ସୋମବାର ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ (ଆଇଏଲଓ)ର ସଦ୍ୟତମ ରିପୋର୍ଟ ଗ୍ଲୋବାଲ୍ ଏମ୍ପ୍ଲୟମେଣ୍ଟ ଟ୍ରେଣ୍ଡ୍ସ ଫର୍ ୟୁଥ ୨୦୨୪ରେ ଏହାର ଖୁଲାସା ହୋଇଛି । ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଯୁବବର୍ଗଙ୍କ ବେରୋଜଗାରୀ ହାର ୧୩ ପ୍ରତିଶତ ଅର୍ଥାତ୍ ୬.୪୯ କୋଟି ଲୋକ ଥିଲେ । ଯାହା ୧୫ ବର୍ଷରେ ସର୍ବନିମ୍ନ ଏବଂ ବୈଶ୍ୱିକ ମହାମାରୀ ପୂର୍ବରୁ ୨୦୧୯ର ୧୩.୮ ପ୍ରତିଶତରୁ କମ ଥିଲା । ଚଳିତ ବର୍ଷ କିମ୍ୱା ଆଗାମୀ କିଛି ବର୍ଷରେ ଏହା ଆହୁରି ଖସି ୧୨.୮ ପ୍ରତିଶତ ହେବାର ସମ୍ଭାବନା ରହିଛି ।
ରିପୋର୍ଟରେ କୁହାଯାଇଛି ଯେ ନମନୀୟ ଆର୍ଥିକ ବୃଦ୍ଧି ହାର ଏବଂ ଶ୍ରମ ଚାହିଦାରେ ମଜଭୁତ ବୃଦ୍ଧି ଯୋଗୁଁ ମହାମାରୀ ପରେ ଶ୍ରମ ବଜାରରେ ପ୍ରବେଶ କରିଥିବା ଯୁବକଙ୍କୁ ଲାଭ ମିଳିଛି । ୨୦୨୩ରେ ସାରା ଦୁନିଆରେ ବେରୋଜଗାର ଯୁବକଙ୍କ ମୋଟ ସଂଖ୍ୟା ୨୦୦୦ ମସିହା ଆରମ୍ଭ ପରେ ସବୁଠୁ କମ ରହିଥିଲା । କିନ୍ତୁ ଏଥିରେ ସବୁ କ୍ଷେତ୍ର ଏବଂ ଲିଙ୍ଗ ଆଧାରରେ ସ୍ଥିତି ସମାନ ନାହିଁ ।
ଅରବ ଦେଶ, ପୂର୍ବ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଏବଂ ପ୍ରଶାନ୍ତ କ୍ଷେତ୍ରରେ ଯୁବକଙ୍କ ବେରୋଜଗାରୀ ହାର ୨୦୧୯ ତୁଳନାରେ ୨୦୨୩ରେ ଅଧିକ ଥିଲା । ସେହିପରି ମହିଳାଙ୍କ ମଧ୍ୟରେ ଯୁବ ବେରୋଜଗାରୀ ହାରରେ କମ ହ୍ରାସ୍ ରେକର୍ଡ କରାଯାଇଛି । ୨୦୨୩ ମସିହାରେ ଯୁବ ମହିଳା ଏବଂ ପୁରୁଷଙ୍କ ବେରୋଜଗାରୀ ହାର ପ୍ରାୟ ସମାନ ରହିଥିଲା । ମହିଳାଙ୍କ ବେରୋଜଗାରୀ ହାର ୧୨.୯ ପ୍ରତିଶତ ଏବଂ ପୁରୁଷଙ୍କ ପାଇଁ ବେରୋଜଗାରୀ ହାର ୧୩ ପ୍ରତିଶତ ଥିଲା, ଯାହା ବୈଶ୍ୱିକ ମହାମାରୀ ପୂର୍ବ ବର୍ଷ ତୁଳନାରେ ବିପରୀତ । ସେତେବେଳେ ପୁରୁଷଙ୍କ ବେରୋଜଗାରୀ ହାର ଅଧିକ ଥିଲା ।
ଆଇଏଲଓ ନିର୍ଦ୍ଦେଶକ ଗିଲବର୍ଟ ଏଫ୍ ହୋଙ୍ଗବେ ଏକ ବୟାନ ଜାରି କରିଛନ୍ତି, 'ରିପୋର୍ଟରୁ ଜଣାପଡ଼ିଛି ଯେ ଯୁବବର୍ଗଙ୍କ ପାଇଁ ସୁଯୋଗ ଏବେ ସହଜ ହୋଇଛି । ଅନେକ ଯୁବ ମହିଳା, ଆର୍ଥିକ ରୂପେ ବିପନ୍ନ ଯୁବ ଏବଂ ଅଳ୍ପସଂଖ୍ୟକ ସମୁଦାୟର ଯୁବ ସଂଘର୍ଷରତ ଅଛନ୍ତି । ଶିକ୍ଷା ଏବଂ ଭଲ ନିଯୁକ୍ତିରେ ସମାନ ସୁଯୋଗ ନମିଳିବା କାରଣରୁ ଲକ୍ଷ ଲକ୍ଷ ଯୁବ ନିଜର ଉନ୍ନତ ଭବିଷ୍ୟତରୁ ବଞ୍ଚିତ ହେଉଛନ୍ତି ।' ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କର୍ମଠ ଯୁବକଙ୍କ ମଧ୍ୟରେ ଭଲ ନିଯୁକ୍ତି ହାସଲ କରିବା ପାଇଁ ଉତ୍ସାହରେ ମଧ୍ୟ ହ୍ରାସ ଘଟିଛି । ସାରା ଦୁନିଆରେ ଅଧିକାଂଶ ଯୁବକ ଅଣସଂଗଠିତ ରୋଜଗାରରେ ଅଛନ୍ତି । ଦୀର୍ଘକାଳୀନ ପରିଣାମକୁ ନଜରରେ ରଖି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଆଧୁନିକ ଚାକିରି ଏବଂ ବିନିର୍ମାଣ କ୍ଷେତ୍ରରେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୀମିତ ରହିଛି । ଏହାସହ ମଧ୍ୟମ ଆୟ ଥିବା ଦେଶରେ ଶିକ୍ଷିତ ଯୁବକଙ୍କ ଆବଶ୍ୟକତା ଅନୁଯାୟୀ ଉଚ୍ଚ କୌଶଳ ନିଯୁକ୍ତି ଚାକିରି ସଂଖ୍ୟା ପର୍ଯ୍ୟାପ୍ତ ନାହିଁ ।