ଫୁଲୁଛି ସାଗରର ଛାତି: ଜନବସତି ଆଡକୁ ମାଡି ଆସୁଛି ସମୁଦ୍ର, ଶତାବ୍ଦୀର ଶେଷରେ ଭୟଙ୍କର ପରିଣତି

Published By : Prameya-News7 Bureau | November 10, 2022 IST

ନୂଆଦିଲ୍ଲୀ: ଧୀରେ ଧୀରେ ଫୁଲୁଛି ସାଗରର ଛାତି। ମାଡ଼ି ଆସୁଛି ସମୁଦ୍ର। ଦିନେ ଉତ୍ତାଳ ତରଙ୍ଗ ଧୋଇ ନେବ ଜନବସତି। ଚାରିଆଡ଼େ ପାଣି ଆଉ ପାଣି ତାଣ୍ଡବ। କାରଣ ବୈଜ୍ଞାନିକଙ୍କ ଅନୁମାନ ଠାରୁ ଆହୁରି ତୀବ୍ର ଗତିରେ ଫୁଲୁଛି ସମୁଦ୍ର। ବଡ଼ ବଡ଼ ବରଫ ପାହାଡ଼ ତରଳି ସମୁଦ୍ରକୁ ଦେଉଛି ବଳ।

ଦ୍ରୁତ ଗତିରେ ବରଫ ତରଳିବା ଯୋଗୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି। ଆଉ ଏହା ପରିବେଶ ବିଜ୍ଞାନୀଙ୍କ ପୂର୍ବାନୁମାନ ତୁଳନାରେ ଅଧିକ ଗତିରେ ବଢ଼ିପାରେ ବୋଲି ଏକ ରିପୋର୍ଟରେ ଜଣାପଡ଼ିଛି। କାରଣ ଗ୍ରୀନଲାଣ୍ଡ ବେସିନ୍‌ରେ ଧୀରେ ଧୀରେ ବରଫ ଚାଦର ତରଳି ପତଳା ହେବାରେ ଲାଗିଛି। ଆଉ ଏହିସବୁ ତରଳୁ ଥିବା ବରଫ ସମୁଦ୍ରରେ ମିଶି ଜଳସ୍ତର ବଢାଉଛି। ଜଳବାୟୁ ପରିବର୍ତ୍ତନ ନେଇ COP27 ବୈଠକରେ ଯୋଗ ଦେବା ପାଇଁ ବିଶ୍ୱର ବଡ ବଡ ନେତା ଇଜିପ୍ଟର ଶର୍ମ-ଏ ଶୈଖ୍‌ ସହରର ଏକାଠି ହୋଇଥିଲେ। ଏହି ବୈଠକରେ ଏଭଳି ଚମକାଇ ଦେଲାଭଳି ରିପୋର୍ଟ ସାମ୍ନାକୁ ଆସିଛି।

ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଗ୍ରୀନଲାଣ୍ଡରେ ବିଶାଳ ବରଫଖଣ୍ଡ ତରଳିବା ବିଶ୍ୱସ୍ତରରେ ସମୁଦ୍ରସ୍ତର ବୃଦ୍ଧିର ଆକଳନ ୨୧୦୦ ଠାରୁ ୬ ଗୁଣା ଅଧିକ ହେବ। ଚଳିତ ଶତାବ୍ଦୀର ଶେଷ ଭାଗକୁ ଉତ୍ତରପୂର୍ବ ଗ୍ରୀନଲାଣ୍ଡ ଆଇସ ଷ୍ଟ୍ରୀମ୍‌ ବା NEGIS ସମୁଦ୍ରର ଜଳସ୍ତର ଅଧା ଇଞ୍ଚରୁ ଅଧିକ ବଢିପାରେ। ଗତ ୫୦ ବର୍ଷ ଭିତରେ ଗ୍ରୀନଲାଣ୍ଡରେ ଯେତିକି ବରଫ ଏକତ୍ର ହୋଇଛି, ଚଳିତ ଶତାବ୍ଦୀର ଶେଷ ଭାଗକୁ ସେତିକି ତରଳି ସମୁଦ୍ରରେ ମିଶିବ ବୋଲି ଗବେଷଣାରେ ଜଣାପଡ଼ିଛି। ଜର୍ଣ୍ଣାଲ ନେଚର ନାମକ ଏକ ବିଜ୍ଞାନଧର୍ମୀ ପତ୍ରିକାରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଯାହା ବିଶ୍ୱର ସମସ୍ତ ଉପକୂଳବର୍ତ୍ତୀ ସହରମାନଙ୍କ ପାଇଁ ଭୟର କାରଣ ପାଲଟିଛି।

ଏନେଇ ଆମେରିକାର ଡାରମାଉଥ କଲେଜ ଆର୍ଥ ସାଇନ୍ସର ବିଶିଷ୍ଟ ପ୍ରଫେସର ମୋର୍ଲିଘେମ କହିଛନ୍ତି “ଗତ ଦଶନ୍ଧୀରେ ଅନେକ ଗ୍ଲେସିୟର ତରଳି ପତଳା ହୋଇଯାଇଛି। ଜିପିଏସ୍‌ ଡାଟାରୁ ଏହି ତଥ୍ୟ ମିଳିଛି।”

ବୈଜ୍ଞାନିକମାନେ ଗତ ୧୦ ବର୍ଷ ହେଲା ସାଟେଇଲାଟ ଡାଟା ଏବଂ ନ୍ୟୁମେରିକାଲ ମଡେଲିଂ ସହ ଜିପିଏସ୍ ଡାଟାରୁ ତଥ୍ୟ ସଂଗ୍ରହ କରି ଏପରି ରିପୋର୍ଟ ଦେଇଛନ୍ତି। ଗ୍ରୀନଲାଣ୍ଡ ଆଇସି ମଧ୍ୟକୁ ଉଷ୍ମ ସାଗରର ପ୍ରବାହ ଏହାକୁ ଭୟଙ୍କର ଭାବରେ ତରଳାଉଛି। ଗ୍ରୀନଲାଣ୍ଡ ବରଫଉପକୂଳରୁ ୩୦୦ କିମି ପର୍ଯ୍ୟନ୍ତ ବରଫ ତରଳିବାରେ ଲାଗିଛି ବୋଲି ମୋର୍ଲିଘେମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.