ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ଭାରତର ବୟାନ; ଉତ୍ତେଜନାରୁ ନିବୃତ୍ତ ରହିବାକୁ ଦୁଇ ଦେଶକୁ ଅପିଲ୍

Published By : Prameya-News7 Bureau | April 14, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ମିସାଇଲ୍ ଆକ୍ରମଣ କରିଛି ଇରାନ । ଶନିବାର ବିଳମ୍ବିତ ରାତିରେ ପ୍ରାୟ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି । ଇସ୍ରାଏଲର ସୈନ୍ୟ ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ଦୁଇ ଡଜନରୁ ଅଧିକ ବାଲାଷ୍ଟିକ୍ ମିସାଇଲ୍ ମାଡ଼ ହୋଇଥିବା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଅଭିଯୋଗ କରିଛି । ଏହା ଦ୍ବାରା ଇସ୍ରାଏଲର କିଛି ସୈନ୍ୟ ଠିକଣା କ୍ଷତିଗ୍ରସ୍ତ ହୋଇଛି । ଇରାନର ଆକ୍ରମଣ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜରୁରୀ କ୍ୟାବିନେଟ୍ ବୈଠକ ଡାକିଛନ୍ତି । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରୋକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ଜରୁରୀକାଳୀନ ମିଟିଂ ଡାକିଛି । 

ଇସ୍ରାଏଲ ଉପରେ ଇରାନର ମିସାଇଲ୍ ଆଟାକ୍ ପରେ ଭାରତ ପ୍ରତିକ୍ରିୟା ରଖିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି, ଭାରତ, ଇସ୍ରାଏଲ୍ ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଦ୍ବାରା ଶାନ୍ତି ଏବଂ ସୁରକ୍ଷାକୁ ନେଇ ବିପଦ ସୃଷ୍ଟି ହୋଇଛି । ଏହି ସଂଘର୍ଷରୁ ପଛକୁ ହଟିବା ପାଇଁ ଦୁଇ ଦେଶକୁ ଅପିଲ୍ କରିଛି ଭାରତ । ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବିଦେଶ ମନ୍ତ୍ରାଳୟ । ସେଠାରେ ଥିବା ଭାରତୀୟ ଦୂତାବାସ ସହିତ ସରକାର ସମ୍ପର୍କରେ ରହିଛନ୍ତି ନିଜ ବୟାନରେ କୁହାଯାଇଛି । 

ଇରାନର ମିସାଇଲ୍ ଓ ଡ୍ରୋନ ଆକ୍ରମଣ କଡ଼ା ଜବାବ ଦିଆଯିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି । ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଏବଂ ଅନ୍ୟ ଦେଶ ଜେରୁଜେଲମକୁ ସମର୍ଥନ ଜଣାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଇସ୍ରାଏଲ୍ ଡିଫେନ୍ସ ସିଷ୍ଟମ୍ ପ୍ରସ୍ତୁତ ରହିଛି, ଦେଶ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି ନେତାନ୍ୟାହୁ କହିଛନ୍ତି । 

ସେପଟେ ଜାତିସଂଘ ସୁରକ୍ଷା ପରିଷଦ ମିଟିଂରେ ଇସ୍ରାଏଲ ଉପରେ ଆକ୍ରମଣକୁ ଇରାନ୍ ରାଜନ୍ୟାୟିକ ମାପିଚୁପି ବୟାନ ରଖିଛନ୍ତି । ଏହାଛଡ଼ା ଧମକ ଦେଇ କହିଛନ୍ତି, ଯଦି ଇସ୍ରାଏଲ୍ କୌଣସି ଉସୁକାଇଲା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଏହାର ପରିଣାମ ଭୟଙ୍କର ହେବ । ଏହି ବିବାଦରୁ ଆମେରିକା ଦୂରେଇ ରହିବାକୁ ଚେତାବନୀ ଦେଇଛି ଇରାନ୍ । 

 

  • Drone Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.