ଜାରି ହେଲା ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ-୨୦୨୩’

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ:  ଦୁନିଆରେ ଏବେବି ଏପରି ଅନେକ ଦେଶ ଅଛନ୍ତି ଯେଉଁଠି ଲୋକଙ୍କୁ ଦିନକୁ ଦୁଇ ଓଳା ଖାଇବାକୁ ବି ମିଳୁନି। ସ୍ୱାସ୍ଥ୍ୟ ବର୍ଦ୍ଧକ ଖାଦ୍ୟର କଥା ଉଠିଲେ ମାତ୍ର କିଛି ଦେଶର ଅଧିକାଂଶ ଜନସଂଖ୍ୟା ପୋଷଣ ଯୁକ୍ତ ଆହାର ପାଇ ପାରୁଛନ୍ତି। ଯେଉଁ ଦେଶରେ ପିଲାଙ୍କୁ ପୋଷଣ ଯୁକ୍ତ ଆହାର ମିଳିପାରୁ ନାହିଁ ସେମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ -୨୦୨୩ ରିପୋର୍ଟରେ ଏପରି ଦେଶଙ୍କ ନାମ ଉଲ୍ଲେଖ ରହିଛି ଯେଉଁଠି ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି। ଏହି ଦେଶମାନଙ୍କ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଓ ଭାରତର ନାମ ବି ରହିଛି। 

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ-୨୦୨୩ରେ ଭାରତକୁ ୧୧୧ତମ ସ୍ଥାନରେ ରଖା ଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ନିଜର ପଡୋଶୀ ଦେଶ ଯେପରି ବାଂଲାଦେଶ(୮୧), ପାକିସ୍ତାନ (୧୦୨), ନେପାଳ (୬୯) ଓ ଶ୍ରୀଲଙ୍କା (୬୦)ଠାରୁ ବି ଢେର ପଛରେ ପଡିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତକୁ ମୋଟ ୨୮.୭ ଅଙ୍କ ପ୍ରଦାନ କରାଯାଇଛି, ଯାହା ପରିସ୍ଥିତିର ଜଟିଳତା ଦର୍ଶାଇବାକୁ ଯଥେଷ୍ଟ। ୨୦୨୨ ମସିହାରେ ଭାରତ ହଙ୍ଗର ଇଣ୍ଡେକ୍ସର ୧୦୭ତମ ସ୍ଥାନରେ ଥିଲା। ତେବେ ପୂର୍ବବର୍ଷ ତୁଳନାରେ ଦେଶର ପରିସ୍ଥିତି ଅଧିକ ଖରାପ ହୋଇଛି, ଯେଉଁଥି ପାଇଁ ୪ଟି ସ୍ଥାନ ତଳକୁ ଖସି ୧୧୧ତମ ସ୍ଥାନକୁ ପହଞ୍ଚିଛି। 

ତେବେ ଭାରତ ଇଣ୍ଡେକ୍ସରେ ମୋଜାମ୍ବିକ, ଆଫଗାନିସ୍ତାନ, ଚାଡ, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ ଉପରକୁ ରହିଛି। ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକରେ ଅପପୁଷ୍ଟି ହାର ୪୮.୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ରିପୋର୍ଟ ଅନୁସାରେ ଭାରତରେ ବି ଅପପୁଷ୍ଟି ପରିସ୍ଥିତି ଅତ୍ୟନ୍ତ ଗୁରୁତର। ପିଲାଙ୍କଠାରେ ୱେଷ୍ଟିଂ ହାର ୧୮.୭ ପ୍ରତିଶତ ରିପୋର୍ଟ କରାଯାଇଛି, ଯାହା ବିଶ୍ୱରେ ସବୁଠୁ ଅଧିକ। ଏହି ପିଲାମାନେ ସେମାନଙ୍କ ଉଚ୍ଚତା ଅନୁସାରେ ଅନେକ ପତଳା। ଭାରତରେ ୧୫ରୁ ୨୪ ବର୍ଷ ବୟଷ୍କା ମହିଳାଙ୍କ ଠାରେ ଏନିମିୟା ପ୍ରସାର ୫୮.୧ ପ୍ରତିଶତ ରେକର୍ଡ କରାଯାଇଛି। 

୧୫ରୁ ୨୪ ବର୍ଷ ଆୟୁବର୍ଗର ଅଧାରୁ ଅଧିକ ମହିଳା ରକ୍ତାଭାବର ଶିକାର। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ ଅନୁସାରେ ଭାରତର ୧୬.୬ପ୍ରତିଶତ ଜନସଂଖ୍ୟା ଅପପୁଷ୍ଟିର ଶିକାର। ୫ ବର୍ଷରୁ କମ ଆୟୁର ୩୫.୫ ପ୍ରତିଶତ ପିଲା ବୟସ ଦୃଷ୍ଟିରୁ ବାଙ୍ଗରା। ସେହିପରି ଦେଶରେ ୪ ବର୍ଷରୁ କମ ବୟସର ପିଲାଙ୍କ ମୃତ୍ୟୁ ହାର ୩.୧ ପ୍ରତିଶତ ରେକର୍ଡ ହୋଇଛି। ଏହି ତଥ୍ୟ ଦେଶରେ ଅପପୁଷ୍ଟିର ଗୁରୁତର ପରିସ୍ଥିତିକୁ ଦର୍ଶାଉଛି। 

ତେବେ ଗତ ୨ ବର୍ଷ ହେଲା ଭାରତ ସରକାର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସକୁ ଅସ୍ୱୀକାର କରିଆସୁଛନ୍ତି। ସରକାରଙ୍କ ଅନୁସାରେ ଏହି ରିପୋର୍ଟରେ ଯେଉଁ ମାପ ବା ମେଟ୍ରିକ୍ସର ଉପଯୋଗ କରାଯାଉଛି ତାହା ଏହାକୁ ସନ୍ଦିଗ୍ଧ କରୁଛି। ତେବେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଦେଶଦୁନିଆରେ ଅନାହାର ଓ ଅପପୁଷ୍ଟି ମାପିବାକୂ ଓ ଟ୍ରାକ୍ କରିବାକୁ ଏକ ଟୁଲମାତ୍ର। ରିପୋର୍ଟ ଅନୁସାରେ ୯ଟି ଦେଶର ଭୋକ ଓ ଅନାହାର ପରିସ୍ଥିତି ଅତ୍ୟନ୍ତ ଜଟିଳ। ଏଥିରେ ବୁରୁନ୍ଦି, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ୍, କଙ୍ଗୋ ରିପବ୍ଲିକ, ଲେସୋଥୋ, ମାଡାଗାସ୍କର, ନାଇଜର, ସୋମାଲିଆ, ଦକ୍ଷିଣ ସୁଦାନ ଓ ୟେମେନ ଆଦି ଦେଶ ଅଛନ୍ତି। 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଅନୁସାରେ ଭାରତରେ ଅପପୁଷ୍ଟି ଯୋଗୁ ପ୍ରତି ବର୍ଷ ୫ ବର୍ଷରୁ କମ ବୟଷ୍କ ପାଖାପାଖି ୧୦ ଲକ୍ଷରୁ ଅଧିକ ପିଲା ପ୍ରାଣ ହରାଉଛନ୍ତି। ସେହିପରି ଦେଶର ଅଧା ଜନସଂଖ୍ୟା ପେଟପୁରା ପୋଷଣ ଆହାର ନେବାକୁ ଅକ୍ଷମ। ୱାର୍ଲଡୋମିଟର ଅନୁସାରେ ଭାରତର ୧୪.୩୭ ପ୍ରତିଶତ ଜନସଂଖ୍ୟା ଅପପୁଷ୍ଟିର ଶିକାର ଯେଉଁମାନଙ୍କ ସଂଖ୍ୟା ୧୬.୧ କୋଟି ବୋଲି କୁହାଯାଇଛି। ଦେଶରେ ୫ ବର୍ଷରୁ କମ ବୟସର ୩ କୋଟି ପିଲା ଅପପୁଷ୍ଟିର ଶିକାର। 

ଭାରତର ୭୪ ପ୍ରତିଶତ ଜନସଂଖ୍ୟା ସ୍ୱାସ୍ଥ୍ୟକର ଆହାର ଖର୍ଚ୍ଚ ତୁଲାଇବାକୁ ଅସମର୍ଥ। ଭାରତୀୟ ଆହାରରେ ପ୍ରାୟତଃ ଆଇରନ, ଭିଟାମିନ-ଏ ଓ ଜିଙ୍କ ଭଳି ଆବଶ୍ୟକ ପୋଷକ ତତ୍ୱର ଅଭାବ ରହୁଛି। ଏହା ଛଡା ଭାରତରେ ପ୍ରତି ୧ ହଜାର ଲୋକଙ୍କ ଲାଗି ୦.୭୩ ଡାକ୍ତର ଥିବା ବେଳେ ୧.୭୪ ପ୍ରତିଶତ ନର୍ସ ଅଛନ୍ତି। ଏଥି ପାଇଁ ଡବ୍ଲୁଏଚଓ ଭାରତକୁ ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର ଓ ୩ ଜଣ ନର୍ସ ଲାଗି ସୁପାରିଶ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.