ଟିକସ ଦିଅ, କଳା ସୁନାକୁ ଧଳା କରି ଦିଅ

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ,୩୧/୭: ବେଆଇନ ଭାବେ ସୁନା ମହଜୁଦ ରଖିଥିବା ଭାରତୀୟଙ୍କ ପାଇଁ ଏକ ସର୍ବକ୍ଷମା ଯୋଜନା ଆଣିବା ପାଇଁ ବିଚାର କରୁଛି ଅର୍ଥ ମନ୍ତ୍ରାଳୟ । ଟିକସ ଖିଲାପିକୁ ନିୟନ୍ତ୍ରଣ କରିବା ପାଇଁ ତଥା ଆମଦାନି ଉପରୁ ନିର୍ଭରତା କମାଇବା ପାଇଁ ଏହି ଯୋଜନା ଉପରେ ବିଚାର ହେଉଛି । ଏକ ବିଶେଷ ସୂତ୍ରରୁ ଏହା ଜଣାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରାଯାଇଛି । ଏହା ଅଧୀନରେ ସରକାର ଲୋକଙ୍କୁ ସେମାନଙ୍କ ଅଘୋଷିତ ସୁନା ବିଷୟରେ ଜଣାଇବା ପାଇଁ କହିବେ । ଟିକସ କର୍ତ୍ତୃପକ୍ଷଙ୍କୁ ନିଜ ଅଘୋଷିତ ସୁନା ବିଷୟରେ ଜଣାଇ ତଥା ଟିକସ ଓ ଜରିମାନା ଦେଇ ଭାରତୀୟମାନେ ନିଜକୁ ସ୍ୱଚ୍ଛ ପ୍ରମାଣିତ କରିପାରିବେ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଯୋଜନା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ସରକାର ସଂପୃକ୍ତ ଅଧିକାରୀମାନଙ୍କଠାରୁ ଏହା ଉପରେ ମତାମତ ସଂଗ୍ରହ କରୁଥିବା ଅଧିକାରୀଜଣକ କହିଛନ୍ତି । ୨୦୧୫ରେ ସରକାର ଏକ ଯୋଜନା ଆଣିଥିଲେ ।

ଭାରତୀୟ ପରିବାର ଏବଂ ସଂସ୍ଥାନଗୁଡିକ ଦ୍ୱାରା ମହଜୁଦ ରଖାଯାଇଥିବା ପ୍ରାୟ ୨୫,୦୦୦ ଟନ୍‌ ସୁନାକୁ ବଜାରକୁ ଆଣିବା ପାଇଁ ଏ ସ୍କିମ୍‌ ଅଣାଯାଇଥିଲା । ସୁନାକୁ ନିବେଶ ଭାବେ ବ୍ୟବହାର କରିବା ପାଇଁ ସରକାର ଭାରତୀୟଙ୍କୁ ବିକଳ୍ପ ଦେଇଥିଲେ । କିନ୍ତୁ ଏହି ଯୋଜନା ବିଫଳ ହୋଇଥିଲା । ଲୋକେ ସୁନାକୁ ନିଜଠାରୁ ଦୂରେଇବାକୁ ଚାହିଁଲେନି । ଅଧିକାଂଶ ଭାରତୀୟ ଅଳଙ୍କାର ଆକାରରେ ସୁନା ଗଚ୍ଛିତ ରଖନ୍ତି ଏବଂ ବିଶେଷ ମୁହୂର୍ତ୍ତରେ ପିନ୍ଧିଥାନ୍ତି । ଆଉ ଅନେକ ଭାରତୀୟ ଟିକସ କର୍ତ୍ତୃପକ୍ଷଙ୍କ ଡରରେ ଏହାକୁ ଲୁଚାଇ ରଖିଥାନ୍ତି । ସୂତ୍ରରୁ ଜଣାଯାଇଛି, ଯେଉଁମାନେ ମହଜୁଦ ରଖିଥିବା ସୁନା ବିଷୟରେ ସୂଚନା ଦେବେ ସେମାନଙ୍କୁ ସେମାନଙ୍କର କିଛି ପରିମାଣର ବୈଧ ସୁନାକୁ ସରକାରଙ୍କ ନିକଟରେ କିଛି ବର୍ଷ ପାଇଁ ଜମା କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ, ବେଆଇନ ଭାବେ ମହଜୁଦ ରଖିଥିବା ଲୋକେ ଜରିମାନା ଏବଂ ଟିକସ ଦେଇ ଆଇନମୂଳକ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେ । ଗତବର୍ଷ ଅର୍ଥ ମନ୍ତ୍ରାଳୟ ଏଭଳି ଏକ ଯୋଜନା ଉପରେ ବିଚାର କରିଥିଲା । ତେବେ ଉକ୍ତ ସମୟରେ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.