ଆର୍ମି ଅଫିସର କହି ଫେସବୁକରେ ବାଇକ ବିକ୍ରିର ମେସେଜ ଛାଡି ଯୁବକଙ୍କଠୁ ଠକି ନେଲେ ୫୩ ହଜାର ଟଙ୍କା

Published By : Prameya-News7 Bureau | September 26, 2021 IST

ମାଲକାନଗିରି ୨୬।୦୯: ପୁଣି ଦେଖିବାକୁ ମିଳିଛି ଆଉ ଏକ ଅନଲାଇନ ଠକେଇ ଘଟଣା। ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ନିଜର ଏକ ଦାମୀ ବାଇକ୍‌କୁ କମ ମୂଲ୍ୟରେ ବିକ୍ରି କରିବା ପାଇଁ ଫେସବୁକରେ ବାଇକର ଫଟୋ ସହ ମେସେଜ ଛାଡିଥିଲେ କଲିକତାର ଜଣେ ଯୁବକ। ଏହି ମେସେଜକୁ ଦେଖି କମ ମୂଲ୍ୟରେ ଏକ ବାଇକ ମିଳୁଥିବା ଲୋଭରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ଜଗନ୍ନାଥ ଭୂମିୟା ତାଙ୍କ ସହ ଯୋଗାଯୋଗ କରିଥିଲେ। ଅନଲାଇନ୍‌ରେ ଗାଡି କାଗଜପତ୍ର ଅରିନ୍ଦମ ରାୟ ଓ ସେ ଜଣେ ଆର୍ମି ବିଭାଗର କର୍ମଚାରୀ ବୋଲି ପରିଚୟ ମିଳିବାରୁ ଜଗନ୍ନାଥ ବାଇକ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ସେ ଯୁବକ ରମେଶ ନାମରେ ଥିବା ଏକ ଆକାଉଣ୍ଟ ନମ୍ବରକୁ ଟଙ୍କା ପଠାଇବା ପାଇଁ କହିବାରୁ ଜଗନ୍ନାଥ କ୍ରମାଗତ ଭାବେ ସେ ଆକାଉଣ୍ଟକୁ ୫୨ ହଜାର ୮୫୪ ଟଙ୍କା ପଠାଇଥିଲେ। ଟଙ୍କା ପଠାଇବା ପରେ ସେ  ବାଇକ ନ ଦେବାରୁ ତୁରନ୍ତ ବାଇକ ପଠାଅ ବୋଲି ଜଗନ୍ନାଥ  କହିଥିଲେ। ହେଲେ ଉକ୍ତ ଯୁବକ ମୁଁ ଜଣେ ଆର୍ମି ବିଭାଗର କର୍ମଚାରୀ, ଇଚ୍ଛା କଲେ ତୁମ ଜୀବନ ବରବାଦ କରି ଦେବି। ତୁମକୁ ବିଭିନ୍ନ କେସ୍‌ରେ ଫସାଇ ଦେବି, ତୁମେ କେଉଁଠି ଚାକିରି ପାଇ ପାରିବ ନାହିଁ। ଯଦି ଭବିଷ୍ୟତ ଭଲ ଚାହୁଁଛ ତେବେ ସେହି ଆକାଉଣ୍ଟରେ ଆଉ ୨୧ ହଜାର ଟଙ୍କା ଜମାକର। ନଚେତ୍ ଭଲ ହେବ ନାହିଁ। ମୁଁ ଜଣେ ଗରିବ ଯୁବକ, ଆଉ ଟଙ୍କା ଦେଇ ପାରିବି ନାହିଁ । ମୁଁ ଘଟଣା  ବିଷୟରେ ପୋଲିସକୁ ଜଣାଇବି ବୋଲି ଜଗନ୍ନାଥ କହିଥିଲେ। ତୁମ ପୋଲିସ ମୋ ଅଣ୍ଡରରେ, ମୋର କିଛି ହେବ ନାହିଁ, କେସ୍ କରିବୁ ଯଦି କର ବୋଲି ସେ ଯୁବକ ଜଗନ୍ନାଥଙ୍କୁ ଧମକ ଦେଇଥିଲେ। ଆଜି ଘଟଣା ସଂପର୍କରେ ଜଗନ୍ନାଥ ଭୂମିୟା ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.