ନୂଆଦିଲ୍ଲୀ: ସ୍କୁଲ ଓ ୟୁନିଭର୍ସିଟିରୁ ମହିଳାଙ୍କୁ ବ୍ୟାନ୍ କରିବା ପରେ ନାରୀ ଶିକ୍ଷା ନେଇ ବିବୃତ୍ତି ଜାରି କରିଛି ତାଲିବାନ। କହିଛି ଦେଶରେ ମହିଳାଙ୍କ ଶିକ୍ଷାକୁ ବ୍ୟାନ୍ କରାଯାଇ ନାହିଁ ବରଂ ସ୍ଥଗିତ ରଖାଯାଇଛି। ଅର୍ଥାତ୍ ତାଲିବାନ ରାଜ୍ରେ ନାରୀ ଶିକ୍ଷା ପ୍ରତି ଏବେ ବି ସମ୍ଭାବନା ରହିଛି।
୨୦୨୨ ଡିସେମ୍ବର ମାସରେ ତାଲିବାନ ଦେଶର ସମସ୍ତ ମହିଳାଙ୍କୁ ୟୁନିଭର୍ସିଟି ଓ କଲେଜ୍ ଯିବାକୁ ଉପରେ ବ୍ୟାନ ଲଗାଇଥିଲା। ପରବର୍ତ୍ତି ନିଷ୍ପତ୍ତି ନ ଆସିବା ଯାଏ ମହିଳାମାନେ କଲେଜ୍ କି ୟୁନିଭର୍ସିଟି ଯାଇପାରିବେ ନାହିଁ ବୋଲି ତାଲିବାନ କହିଥିଲେ।
ହେଲେ ଜାନୁଆରୀ ଶେଷ ହେବା ଆଡ଼କୁ ଯାଉଥିବା ବେଳେ ମହିଳାଙ୍କ ଶିକ୍ଷା ପାଇଁ ତାଲିବାନ ସରକାରଙ୍କର ପକ୍ଷରୁ କୌଣସି ନୂଆ ଘୋଷଣା କରାଯାଇ ନାହିଁ। ଷଷ୍ଠ ଶ୍ରେଣୀ ପରେ ମହିଳାଙ୍କ ଶିକ୍ଷ ଉପରେ ବ୍ୟାନ ଲଗାଇଥିବାରୁ ଦେଶରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା।
ହେଲେ ଏବେ ମହିଳାଙ୍କ ଶିକ୍ଷା ସ୍ଥଗିତ ନେଇ ତାଲିବାନ ପକ୍ଷରୁ ଜାରି ହୋଇଥିବା ବୃବିତ୍ତିକୁ ନେଇ ଏହାର ପ୍ରବକ୍ତା କହିଛନ୍ତି “ ମୁଁ ଏହା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ମହିଳା ଶିକ୍ଷା ପାଇଁ କୌଣସି ସ୍ଥାୟୀ ବ୍ୟାନ୍ ନାହିଁ। ଯେପର୍ଯ୍ୟନ୍ତ ଏଥିପାଇଁ ସୁବ୍ୟବସ୍ଥା ଓ ପରିବେଶ ତିଆରି କରା ନଯାଇଛି ସେ ପର୍ଯ୍ୟନ୍ତ ମହିଳା ଶିକ୍ଷାକୁ ସ୍ଥଗିତ ରଖାଯାଇଛି।”
ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଖବର ଅନୁସାରେ ତାଲିବାନ ପ୍ରବକ୍ତା ସୁହେଲ ଶାହୀନି ଏପରି କହିଛନ୍ତି। ତେବେ ଏଥିପାଇଁ ଯେତେଶୀଘ୍ର ହୋଇପାରିବ କାମ ଚାଲିଛି ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। ସେ ଆହୁରି କହିଛନ୍ତି “ମହିଳା ଶିକ୍ଷା ବିରୋଧ ନୁହେଁ ହେଲେ ଆମେ ଚାହୁଁଛୁ ମହିଳାମାନେ ଆମର ମୂଲ୍ୟ ବୋଧ ଓ ନିୟନ ଭିତରେ ରହି ଶିକ୍ଷାଗ୍ରହଣ କରନ୍ତୁ।” ଇଣ୍ଡିପେଣ୍ଡେଣ୍ଟକୁ ଏପରି କହିଛନ୍ତି ସୁହେହଲ ଶାହୀନି। ତେବେ କାହିଁକି ତାଲିବାନ ସରକାର ହଠାତ୍ ମହିଳାଙ୍କ ଶିକ୍ଷା ବନ୍ଦ କରିଦେଲେ ସେ ନେଇ କିନ୍ତୁ କିଛି କୁହାଯାଇ ନାହିଁ।