ପ୍ରେମ ସମ୍ପର୍କକୁ ନେଇ ବରଯାତ୍ରୀ ବାହାରିବା ପୂର୍ବରୁ ବର ଉପରକୁ ଏସିଡ୍ ମାଡକଲେ ଯୁବତୀ, ଯୁବକ ଗୁରୁତର

Published By : Prameya-News7 Bureau | April 24, 2024 IST

ବଲିଆ ୨୪।୪: ଉତ୍ତରପ୍ରଦେଶ ବଲିଆରୁ ଏକ ଚାଞ୍ଚଲ୍ୟକର ଖବର ଆସୁଛି। ଏକ ବିବାହ  ନିମନ୍ତେ ବରଯାତ୍ରୀ ବାହାରୁଥିବା ବେଳେ ବର ଉପରକୁ ଜଣେ ଯୁବତୀ ଏସିଡ ମାଡ଼ କରିଛନ୍ତି। ଫଳରେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାମ ରାକେଶ ବିନ୍ଦ ଓ ଏସିଡ ମାଡ଼ କରିଥିବା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡିଛି। ଗ୍ରାମର ମହିଳାମାନେ ଯୁବତୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। 

ଏହି ଘଟଣା ବଲିଆ ବାଂସଡିହ ଥାନା ଡୁମରୀ ଗାଁରେ ଘଟିଛି। ସୂଚନା ଅନୁସାରେ ରାକେଶ ବିନ୍ଦର ଜନୈକ ଯୁବତୀଙ୍କ ସହ ଅନେକ ବର୍ଷରୁ ପ୍ରେମ ସମ୍ପର୍କ ଥିଲା। ଯୁବତୀ ତାଙ୍କ ଉପରେ ବିବାହ ନିମନ୍ତେ ଚାପ ପକାଉଥିଲେ। ହେଲେ ରାକେଶ ତାଙ୍କୁ ଟାଳି ଚାଲିଥିଲେ। ଏହାକୁ ନେଇ ଅନେକ ଥର ଥାନା ଓ ପଞ୍ଚାୟତ ମଧ୍ୟ ହୋଇଥିଲା। ହେଲେ ରାକେଶ ଯୁବତୀଙ୍କୁ ବିବାହ କରିବା ବଦଳେ ପରିବାର ଲୋକେ ସ୍ଥିର କରିଥିବା ସ୍ଥାନରେ ବିବାହ କରିବାକୁ ବରଯାତ୍ରୀଙ୍କ ସହ ବାହାରିଥିବା ବେଳେ ଏହି ଅଘଟଣ ଘଟିଛି। 

ଅସନ୍ତୁଷ୍ଟ ଯୁବତୀ ଓଢଣାରେ ଆସି ବରଯାତ୍ରୀ ଗହଣରେ ବରବେଶ ହୋଇଥିବା ରାକେଶଙ୍କ ଉପରକୁ ଜ୍ୱଳନଶୀଳ ପଦାର୍ଥ ଫିଙ୍ଗିଦେଇଥିଲେ। ଫଳରେ ରାକେଶ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ବରଯାତ୍ରୀ ବାହାରିବାର ଉତ୍ସାହ କୋଳାହଳରେ ପରିଣତ ହୋଇଥିଲା। ଲୋକେ ବରକୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିବା ବେଳେ ବରଯାତ୍ରୀରେ ଯାଉଥିହା ମହିଳାମାନେ ଯୁବତୀଙ୍କୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଯୁବତୀଙ୍କୁ ଗିରଫ କରିଛି। ଏହି ଘଟଣାରେ ରାଜ ବିନ୍ଦ ନାମକ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଯୁବତୀଙ୍କୁ ପଚରା ଉଚରା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.