ଗଜପତିରୁ ଯୁବତୀଙ୍କୁ ନେଇ ଦିଲ୍ଲୀରେ ବିକ୍ରି, ଜୋର ଜବରଦସ୍ତି ବିବାହ କରାଇବା ଭଳି ସଙ୍ଗୀନ ଅଭିଯୋଗ
24/08/2022 at 1:38 PM

ମୋହନା ୨୪।୮: ଜଣେ ଯୁବତୀଙ୍କୁ ଘରୁ ନେଇ ଦିଲ୍ଲୀରେ ବିକ୍ରି କରିବା ସହ ତାର ବିବାହ କରାଇଦେବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମାଣିକପୁର ଗ୍ରାମରୁ । ଯୁବତୀ ଜଣଙ୍କ ମାଣିକପୁର ଗ୍ରାମର ପଞ୍ଚୁ ଶବରଙ୍କ ଝିଅ ଶଶୀ ଶବର । ତାଙ୍କ ବୟସ ୧୮ ବର୍ଷ ବୋଲି ଜଣାପଡିଛି । ପଞ୍ଚୁଙ୍କ ଅଭିଯୋଗ ଅନୁସାରେ ମୋହନା ପୋଲିସ ଥାନା କେସ୍ ନଂ ୧୫୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ, ମାଣିକପୁର ଗ୍ରାମର ସୁଧୀର ପାଇକଙ୍କ ଘରକୁ ଗଞ୍ଜାମ ଜିଲ୍ଲା କୁରୁବା ଗ୍ରାମର ସୁଭଦ୍ରା ନାମକ ଜଣେ ମହିଳା ଅନେକ ସମୟରେ ଆସନ୍ତି । ଗତ ୧୧ ତାରିଖ ଦିନ ସୁଭଦ୍ରା ମାଣିକପୁର ଆସିଥିଲେ । ସେହି ସମୟରେ ପଞ୍ଚୁଙ୍କ ଘରେ ଝିଅ ଶଶୀଙ୍କ ସମେତ ତିନି ପୁଅ ଏବଂ ପଞ୍ଚୁଙ୍କ ବୁଢ଼ୀ ମା ଥିଲେ । ପଞ୍ଚୁ କୌଣସି କାମରେ ଶ୍ବଶୁର ଘର ଗ୍ରାମ ତେନ୍ତୁଳିଖୁଣ୍ଟି ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ସୁଭଦ୍ରା ଶଶୀକୁ ନିଜ ସାଙ୍ଗରେ ନେଇଯାଇଥିଲେ । ଏଥିରେ ସୁଧୀର ତାଙ୍କୁ ସହଯୋଗ ମଧ୍ୟ କରିଥିଲେ ।
ଗତ ୧୬ ତାରିଖରେ ପଞ୍ଚୁ ଘରକୁ ଫେରିବା ପରେ ଝିଅକୁ ଖୋଜାଖୋଜି କରିଥିଲେ । ପରେ ସେହିଦିନ ହିଁ ଝିଅ ଶଶୀ ମାଣିକପୁର ଅଙ୍ଗନୱାଡି ଦିଦି ମମତା ଭୂୟାଁଙ୍କୁ ଫୋନ୍ କରି ସୁଭଦ୍ରା ତାକୁ ଘରୁ ନେଇଯିବା ସହ ଜୋର ଜବରଦସ୍ତ ଦିଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ କରେଇ ଦେଇଥିବା କହିଥିଲେ । ଏହାସହ ସୁଭଦ୍ରା ବ୍ରହ୍ମପୁର ଅଞ୍ଚଳରୁ ଅନ୍ୟ ଜଣେ ଝିଅଙ୍କୁ ଆଣିବା ପାଇଁ ଯାଇଥିବା କହିଥିଲେ । ପରେ ସୁଧୀରର ପୁତୁରା ରଞ୍ଜିତର ମୋବାଇଲକୁ ସୁଭଦ୍ରା ଶଶୀର କିଛି ବିବାହ ଫଟୋ ପଠାଇଥଲା । ସମସ୍ତ ଘଟଣା ଜାଣିବା ପରେ ପଞ୍ଚୁ ଶବର ମୋହନା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ଆଇପିସିର ଧାରା ୩୬୩ ଅପହରଣ, ୩୬୬ ବିବାହ କରାଇବା ଉଦ୍ଦେଶ୍ୟରେ ଅପହରଣ / ୩୪ ଭଳି ସଙ୍ଗୀନ ଦଫା ଲଗାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।