‘ମୁଁ ପଢ଼ିବାକୁ ଚାହୁଛି’... ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଛାତ୍ରୀ, ୪୮ ଘଣ୍ଟା ମଧ୍ୟରେ ହେଲା ପୂରଣ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଳୀ, ୧୨/୧୨: ମୁଁ ପଢ଼ିବାକୁ ଚାହୁଛି... ମତେ ସାହାଯ୍ୟର ଆବଶ୍ୟକତା ରହିଛି। ଏଭଳି କହି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଛାତ୍ରୀ। ଆଉ ଛାତ୍ରୀଙ୍କ ଇଚ୍ଛା ବି ପୂରଣ କଲେ ମୁଖ୍ୟମନ୍ତ୍ରୀ। ଏଭଳି ଏକ ଖବର ଆସିଛି ଝାଡ଼ଖଣ୍ଡରୁ। ଯେଉଁଠାରେ ଜଣେ ଛାତ୍ରୀ ଜନ ସମ୍ବାଦ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଆଉ ମାତ୍ର ୪୮ ଘଣ୍ଟାରେ ଛାତ୍ରୀ ଏବଂ ତାଙ୍କ ପୂରା ପରିବାରଙ୍କୁ ଅନେକ ସରକାରୀ ଯୋଜନାରେ ଯୋଡ଼ା ଯାଇଛି। ଆଉ ମୁଖ୍ୟମନ୍ତ୍ରୀ ତାଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇବା ସହ ପାଠ ପଢ଼ି ଆଗକୁ ବଢ଼ିବା ପାଇଁ କହିଛନ୍ତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପାଠ ପଢ଼ିବା ପାଇଁ ସାହାଯ୍ୟ ମାଗିଥିବା ତିଲଦାଙ୍ଗ ପଞ୍ଚାୟତର ଛାତ୍ରୀ ବେବୀ କୁମାରୀଙ୍କୁ ସରକାରୀ ସାହାଯ୍ୟ ମିଳିଛି। ତାଙ୍କୁ ସାବିତ୍ରୀ ବାଈ ଫୁଲେ କିଶୋରୀ ସମୃଦ୍ଧି ଯୋଜନା ଏବଂ ତାଙ୍କ ଭଉଣୀଙ୍କୁ କଲ୍ୟାଣ ବିଭାଗର ଛାତ୍ରବୃତି, ମା’ ଲଲିତା ଦେବୀଙ୍କୁ ଛେଳି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ପଶୁଧନ ବିକାଶ ଯୋଜନା ସହ ଯୋଡ଼ା ଯାଇଛି।

ବେବୀଙ୍କ ବାପା ଇନ୍ଦ୍ରେଶ ରାମଙ୍କୁ ମୁଖ୍ୟମନ୍ତ୍ରୀ ରୋଜଗାର ସୃଜନ ଯୋଜନା ଅନୁଯାୟୀ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ତାଙ୍କର ସାନ ଝିଅ ରିମଝିମ୍‌ର ନାମ ନାମାଙ୍କନ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ କରାଯାଇଛି। ଗୁହାଳ ପାଇଁ ମଧ୍ୟ ସହାୟତା ମିଳିଛି। ତେବେ ସରକାରୀ ସହାୟତା ମିଳିବା ପରେ ବେବୀ କୁମାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବେବୀ ପାଠ ପଢ଼ି ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.