ଚାକିରୀ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ, ସନ୍ଦେହ ଘେରରେ ସୁରକ୍ଷାକର୍ମୀଙ୍କ ଭୂମିକା

Published By : Prameya-News7 Bureau | July 09, 2020 IST

ମେଣ୍ଢାଶାଳ, ୦୯|୦୭: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଚାକିରୀ ଦେବାକୁ ଡାକି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣଙ୍କ ମେଣ୍ଡାଶାଳ ଫାଣ୍ଡିରେ ଏତଲା ଦେଇଛନ୍ତି । ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଛତାବର ଅଞ୍ଚଳର ଲିଲି (ଛଦ୍ମନାମ ୩୦ ବର୍ଷ) ଲକ୍‌ଡାଉନ୍‌ ଓ କରୋନା କଟକଣାରେ ଚାକିରୀ ହରାଇଥିଲେ। ଅରିଶଲ ଗାଁର ପ୍ରଶାନ୍ତ କୁମାର ଜେନା ତାଙ୍କୁ ଚାକିରି ଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ । ପ୍ରଶାନ୍ତ ଗତ ୬ ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜକୁ ସାକ୍ଷତକାର ପାଇଁ ଡାକିଥିଲେ । ଚାକିରୀ କରିବା ଆଶାରେ ଲିଲି ତାଙ୍କ ପୁଅକୁ ନେଇ ଉକ୍ତ କଲେଜ ଫାଟକ ପାଖରେ ପହଞ୍ଚିଥିଲେ । ଏହି ସମୟରେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀମାନେ ପୁଅକୁ ଅଟକାଇ ଥିଲେ । ଲିଲିକୁ ଏକୁଟିଆ ଯିବାକୁ କହିଥିଲେ । ସେମାନଙ୍କ କଥା ମାନି ଲିଲି ୩ ମହଲା ଉପରେ ଥିବା ରୁମ୍‌କୁ ଯାଇଥିଲେ ।

ଅଭିଯୁକ୍ତ ଏହି ସମୟରେ ଲିଲିଙ୍କୁ ଏକୁଟିଆ ପାଇ ତାଙ୍କ ମୁହଁରେ ଗାମୁଛା ବାନ୍ଧି ଦୁଷ୍କର୍ମ କରିଥିଲେ ବୋଲି ସେ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପାଇବା ପରେ ଉକ୍ତ ଘଟଣାରେ କେତେ ସତ୍ୟାସତ୍ୟ ରହିଛି ପୁଲିସ ତାହାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.