ନିଆଁରେ ପୋଡି ହୋଇ ଚାଲିଗଲା ଯୁବତୀଙ୍କ ଜୀବନ, ସନ୍ଦେହରେ ମୃତ୍ୟୁର କାରଣ
16/08/2020 at 4:29 PM

ଭଦ୍ରକ ୧୬।୮: ନିଆଁରେ ପୋଡି ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଲଙ୍ଗ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବତୀଙ୍କ ନାଁ ଶାନ୍ତିଲତା ବେହେରା ।

ସୂଚନା ଅନୁଯାୟୀ ମୃତକଙ୍କ ପରିବାର ଲୋକେ ଚାଷ କାମ ପାଇଁ ବିଲକୁ ଯାଇଥିଲେ । ସ୍ଥାନୀୟ ଲୋକେ ଘର ଭିତରୁ ଶବ୍ଦ ଶୁଣି ଦୌଡି ଆସିଥିଲେ । ଦେଖିଥିଲେ ଯେ ଘର ଭିତରେ କେହି ଜଳି ଯାଉଛନ୍ତି । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଓ ପରିବାର ଲୋକେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଶାନ୍ତିଲତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଯୁବତୀଙ୍କ ଦେହରେ କେମିତି ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।