ସମ୍ବଲପୁର ୧୧।୫: ନିଖୋଜର ୩୬ ଘଣ୍ଟା ପରେ ବି ମିଳିନି ଛାତ୍ରୀଙ୍କ ପତ୍ତା । ସମ୍ବଲପୁର ବୁର୍ଲା ଅଠରହଜାର ସାଇଫନ୍ ଭାସିଯାଇ ଯୁବତୀ ନିଖୋଜ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ନିଖୋଜ ଛାତ୍ରୀ ନିଶା ଝାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହାନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।
ମଙ୍ଗଳବାର ରାତିର ଅନ୍ଧାରରେ ସର୍ଚ୍ଚ ଅପରେସନ୍ରେ ବାଧା ସୃଷ୍ଟି ହେବାରୁ ସନ୍ଧାନ କାର୍ଯ୍ୟ ବନ୍ଦ କରାଯାଇଥିଲା । ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପୃଥକ୍ ପୃଥକ୍ ସ୍ଥାନରେ ମହାନଦୀର ବହୁ ଦୂର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ଯୁବତୀଙ୍କ କୌଣସି ପତ୍ତା ମିଳିନାହିଁ । ଶେଷରେ ନିରାଶ ହୋଇ ଫେରିଆସିଥିଲେ ଅଗ୍ନିଶମ ଟିମ୍ । ଗୁରୁବାର ପୁଣି ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି ।
ଅନ୍ୟପଟେ ନିଖୋଜ ଯୁବତୀ ନିଶା ଝାଙ୍କ ପରିବାର ଲୋକେ ବୁର୍ଲାରେ ପହଞ୍ଚି ପୋଲିସ ସହିତ ଦୀର୍ଘ ସମୟ ଧରି ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଘଟଣାସ୍ଥଳକୁ ଯାଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିବା ଅଞ୍ଚଳକୁ ମଧ୍ୟ ଯାଇ ଦେଖିଥିଲେ । ନିଶା କିଭଳି ସୁସ୍ଥ ଏବଂ ସୁରକ୍ଷିତ ଭାବେ ଉଦ୍ଧାର ହେବେ ସେନେଇ ପରିବାର ଲୋକ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସାଙ୍ଗରେ ଥିବା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଉଲ୍ଲେଖଯୋଗ୍ୟ ଯେ, ଝାରସୁଗୁଡ଼ା ଅଞ୍ଚଳର ନିଶା ଝା ସମ୍ବଲପୁର ତାଙ୍କ ଭଉଣୀଙ୍କ ନିକଟକୁ ବୁଲିବାକୁ ଆସିଥିଲେ । ସନ୍ଧ୍ୟା ସମୟରେ ସମ୍ବଲପୁରର ଜଣେ ପୁରୁଷ ବନ୍ଧୁଙ୍କ ସହିତ ବୁର୍ଲା ଅଠରହଜାର ରାସ୍ତାରେ ଥିବା ସାଇଫନ୍କୁ ବୁଲିବାକୁ ଯାଇଥିଲେ । ସାଇଫନ୍ରେ ଉଭୟେ ଫଟୋ ଉଠାଉଥିବା ସମୟରେ ପାଣିସ୍ରୋତରେ ନିଶା ଭାସିଯାଇଥିବା ସାଙ୍ଗରେ ଥିବା ତାଙ୍କ ପୁରୁଷ ବନ୍ଧୁ ପୋଲିସକୁ ସୂଚନା ଦେଇଛନ୍ତି ।