ନାବାଳିକା ପ୍ରତି ଇଏ କି ନୃସଂଶତା ? ଅସଦାଚରଣକୁ ବିରୋଧ କରିବାରୁ ତଣ୍ଟି କାଟିଦେଲା ଯୁବକ

Published By : Prameya-News7 Bureau | November 28, 2020 IST

ବଲିୟା ୨୮/୧୧ : ମହିଳାଙ୍କ ପ୍ରତି ଅପରାଧ ଥମିବାର ନାଁ ନେଉନାହିଁ। ରାଜସ୍ଥାନ, ଉତ୍ତର ପ୍ରଦେଶରୁ ପ୍ରତିଦିନ ମହିଳାଙ୍କ ପର୍ତ୍ତି ହେଉଥିବା ଅପରାଧ ଓ ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସୁଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅପରାଧ ଥମୁନି। ଉତ୍ତର ପ୍ରଦେଶ ବଲିୟାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ନାବାଳିକାଙ୍କୁ ଗାଁର କିଛି ଯୁବକ ଡାକି ଅସଦାଚରଣ କରିବାକୁ ପ୍ରୟାସ କରିଥିଲେ। ନାବାଳିକା ବିରୋଧ କରିବାରୁ ପ୍ରଥମେ ନାବାଳିକାଙ୍କ ହାତ ଆଙ୍ଗୁଠି କାଟି ଦେଇଥିଲେ ଓ ପରେ ବେକ କାଟିଦେଲେ।

ଉତ୍ତର ପ୍ରଦେଶ ବଲିୟାରେ ପୁଣିଥରେ ଯୁବତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସିକନ୍ଦରପୁର ଥାନା ଅନ୍ତର୍ଗତ କୁଡିୟାପୁର ଗାଁରେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ନାବାଳିକାଙ୍କୁ ସେହି ଗାଁର ଜଣେ ଯୁବକ କ୍ରୁର ଭାବେ ହତ୍ୟା କରିଛି। ନାବାଳିକା ପରିବା ଆଣିବାକୁ କ୍ଷେତକୁ ଯାଇଥିଲେ। ସେଠାରେ ଗାଁର ଜଣେ ଯୁବକ ତାଙ୍କ ସହ ଅସଦାଚରଣ ପ୍ରୟାସ କରିଥିଲା। ଯୁବକ ନାବାଳିକାଙ୍କୁ ନିଜ ପାଖକୁ ଡାକୁଥିଲା କିନ୍ତୁ ସେ ଯାଇନଥିଲେ। ସେ ନ ଯିବାରୁ ଯୁବକ ଜଣକ ରାଗିଯାଇ ନାବାଳିକାଙ୍କୁ ଆକ୍ରମଣ କରିଥିଲା। ସେ ପ୍ରଥମେ ନାବାଳିକାଙ୍କ ହାତ ଆଙ୍ଗୁଠି କାଟି ଦେଲା। ତାପରେ ନାବାଳିକାଙ୍କ ବେକ କାଟି ଦେଇଥିଲା ଯାହାଫଳରେ ନାବାଳିକାଙ୍କ ମୃତ୍ୟୁ ହୋଇଛି।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ନାବାଳିକାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଏବଂ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ତେବେ ନାବାଳିକା ଓ ଯୁବତୀଙ୍କ ପ୍ରତି ହେଉଥିବା ଏହି ନୃସଂଶତା କେବେ ଥମିବ, କେବେ ଯୁବତୀମାନେ ସୁରକ୍ଷିତ ରହିବେ ସେନେଇ ପ୍ରଶ୍ନ ଉଠୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.