ନିଆଳି ଅନର କିଲିଂ ଘଟଣାରେ ପୋଲିସର ଆକ୍ସନ
22/05/2018 at 9:49 AM

ନିଆଳି ଅନର କିଲିଂ ଘଟଣାରେ ପୋଲିସର ଆକ୍ସନ । ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ପୋଲିସ ଆକ୍ସନକୁ ଆସିଛି । ମୃତ ନାବାଳିକାଙ୍କ ପରିବାରର ୫ ଜଣଙ୍କୁ ଥାନାରେ ଅଟକ ରଖିଛି ନିଆଳି ପୋଲିସ । ବଡ ବାପା, ବଡ ମା’, ତାଙ୍କ ଦୁଇ ପୁଅ ଏବଂ ସାନ ବୋହୂଙ୍କୁ ହେପାଜତକୁ ନେଇ ଛାନଭିନ କରୁଛି । ବଡ ବାପା ଅର୍ଜୁନ ଓଝା, ସ୍ତ୍ରୀ କୁନି ଓଝା, ବଡ ପୁଅ ଅରୁଣ ଓଝା, ସାନ ପୁଅ ଅଭିମନ୍ୟୁ ଓଝା ଓ ତାଙ୍କ ସ୍ତ୍ରୀ ବିନିତା ଓଝାଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି । ଏହା ସହ ଶବ ସତ୍କାର କରାଯାଇଥିବା ମଶାଣିକୁ ଯାଇ ପାଉଁଶ ଓ ହାଡ ସଂଗ୍ରହ କରିଛି ପୋଲିସ । ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ ପଚରାଉଚରା କରିଛି । ନିଆଳି ଥାନା ଅଁଳୋ ଗାଁରେ ୧୬ ବର୍ଷର ନାବାଳିକାକୁ ତାଙ୍କ ପରିବାର ଲୋକେ ସମ୍ମାନ ପାଇଁ ହତ୍ୟା କରିଥିବା ଅଭିଯୋଗ ଆସିଥିଲା । ପ୍ରଥମେ ନ୍ୟୁଜ ସେଭେନ ଏହି ଖବରକୁ ଲୋକ ଲୋଚନକୁ ଆଣିଥିଲେ । ନ୍ୟୁଜ ସେଭେନ୍ ଟିମ୍ ଅଁଳୋ ଗାଁରେ ପହଞ୍ଚି ଘଟଣାର ସତ୍ୟତା ଅନୁସନ୍ଧାନ ପାଇଁ ଚେଷ୍ଟା କରିଥିଲା । ଖବର ପ୍ରସାରଣର ଘଣ୍ଟାଏ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ନାବାଳିକାଙ୍କ ବଡ ବାପା, ବଡ ମା, ତାଙ୍କ ଦୁଇ ପୁଅ ଏବଂ ସାନ ବୋହୂକୁ ଥାନାକୁ ଆଣି ପଚରା ଉଚଳା ଚଳାଇଛି ।
ପ୍ରେମ ଜନିତ କାରଣରୁ ଘରର ଇଜ୍ଜତ ପାଇଁ ବଡ ବାପା ପୁଅ ଭାଇମାନେ ମିଶି ନାବାଳିକାଙ୍କୁ ହତ୍ୟା କରିଥିବା ଗାଁ ଲୋକେ କହୁଛନ୍ତି । ଅଁଳୋ ଗାଁର ନକୂଳ ଓଝାଙ୍କ ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ତାଙ୍କ ସ୍ତ୍ରୀ ସାବିତ୍ରୀ ଓଝା ମାନସିକ ବିକାରଗସ୍ତ । ତେଣୁ ସାବିତ୍ରୀ ଓ ଏକମାତ୍ର ଝିଅ ତାଙ୍କ ବଡ ବାପା ଅର୍ଜୁନ ଓଝାଙ୍କ ଘରେ ରହୁଥିଲେ । ଗତ ୨ ଦିନ ତଳେ ନାବାଳିକାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା । ଗାଁରେ ଯାତ୍ରା ଚାଲିଥିବା ବେଳେ ସମସ୍ତେ ଯାତ୍ରା ଦେଖି ସକାଳୁ ଘରେ ଶୋଇଥିଲେ । ଝିଅ ରୋଶେଇ କରିବା ପାଇଁ ଯାଇଥିଲା । କିନ୍ତୁ କିଛି ସମୟ ପରେ ହଠାତ ତାର ବାନ୍ତି ହୋଇଥିଲା । ଏହା ପରେ ଘର ଲୋକେ ତାକୁ ଡାକ୍ତରଖାନା ନେଇଥିଲେ । ମେଡିକାଲରେ ନାବାଳିକାର ମୃତ୍ୟୁ ହୋଇଥିବା ପରିବାର ଲୋକେ କହୁଛନ୍ତି । ତେବେ ଗାଁ ଲୋକେ ନାବାଳିକାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । କାହାରିକୁ ନଜାଣାଇ ତରବରିଆ ଭାବେ ମୃତ ଦେହକୁ ବାଇକରେ ବସାଇ ନେଇ ଗାଁ ମଶାଣୀରେ ପୋଡିଦେଇଥିଲେ । ତେଣୁ ନାବାଳିକାଙ୍କ ବଡବାପା ଓ ତାଙ୍କ ୨ ପୁଅ ତାଙ୍କୁ ମାରି ପୋଡିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଗାଁ ଲୋକେ ନ୍ୟୁଜ ସେଭେନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନ୍ୟୁଜ ସେଭେନ ଟିମ ପହଞ୍ଚି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଠା କରିଥିଲା । ପ୍ରାୟଘଣ୍ଟାଏ ଧରି ଖବର ପ୍ରସାରଣ ପରେ ସ୍ଥାନୀୟ ନିଆଳି ଥାନା ଆଇଆଇସି ପହଞ୍ଚି ପୁରା ପରିବାରକୁ ଗାଡିରେ ବସାଇ ଥାନାକୁ ନେଇଛନ୍ତି । ନାବାଳିକାର ସେହି ଗାଁର ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଥିବା କଥା ସ୍ବୀକାର କରିଛନ୍ତି ନାବାଳିକାର ବଡ ମା କୁନି ଓଝା । ଏତେ ସବୁ ଘଟଣା ଘଟିଯାଇଥିଲେ ବି ପୋଲିସ ପାଖରେ କିପରି ଖବର ନଥିଲା ତାକୁ ନେଇ ଚର୍ଚ୍ଚା । ଆଜି ଗ୍ରାମବାସୀ ମୁହଁ ଖୋଲିବା ପରେ ଘଟଣାସ୍ଥଳରେ ପହଞ୍ଚି ପରିବାରର ୫ ଜଣଙ୍କୁ ହେପାଜତକୁ ନେଇଛି ନିଆଳି ଥାନା ପୋଲିସ ।