ରାଜଧାନୀରେ ଚାଞ୍ଚଲ୍ୟ : ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ
8/03/2023 at 2:22 PM

ବାରଙ୍ଗ ୮।୩: ରାଜଧାନୀରେ ଚାଞ୍ଚଲ୍ୟ । ଚଳନ୍ତା କାର୍ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରେସ୍ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀ ଜଣକ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ରୀ । ସ୍ଥାନୀୟ ଏକ ରେଷ୍ଟୁରାଣ୍ଟରେ କାମ ସାରି ଫେରୁଥିବା ବେଳେ ବଳ ପୂର୍ବକ ଦୁଷ୍କର୍ମର ଶିକାର ହୋଇଛନ୍ତି । ମାମଲାରେ ଅଭିଯୁକ୍ତ ସତ୍ୟ ନାରାୟଣ ସାହୁଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ଜଣେ ଯୁବତୀଙ୍କୁ କାର୍ ଭିତରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଯୁବତୀଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ସେ ଗଜପତିନଗର ସ୍ଥିତ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି । ମଙ୍ଗଳବାର ରାତି ସମୟରେ କାମ ସାରି ଘରକୁ ଫେରିବା ପାଇଁ ସୈନିକ ସ୍କୁଲ ନିକଟରେ ଅପେକ୍ଷା କରିଥିଲେ । ଏହି ସମୟରେ ଧିରିକୁଟ ସାହିର ସତ୍ୟ ନାରାୟଣ ସାହୁ କାର୍ରେ ଛାଡି ଦେବାକୁ କହିଥିଲେ । ଯୁବତୀଙ୍କ ରୁମ୍ ମେଟ୍ ଆସି ନଥିବାରୁ ରାତିରେ ସେହି ସ୍ଥାନରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢିବାରୁ ଯୁବତୀ ସତ୍ୟଙ୍କ ଗାଡ଼ିରେ ବସିଥିଲେ । କିଛି ବାଟ ଆସିବା ପରେ ସତ୍ୟ ପ୍ରେସ୍ କଲୋନୀର ନିଛାଟିଆ ସ୍ଥାନରେ ଗାଡ଼ି ରଖି ବଳ ପୂର୍ବକ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ନିର୍ଦ୍ଧୁମ ଛେଚି ମୈତ୍ରୀ ବିହାର ପୋଲିସକୁ ହସ୍ତାନ୍ତର କରିଥିଲେ । ଏନେଇ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ସତ୍ୟଙ୍କୁ ଗିରଫ କରିଛି ।