କୋଣାର୍କ: ବନ୍ଦଘରେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନଧରି ଗଣଦୁଷ୍କର୍ମ, ଗୁରୁତର ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | October 17, 2018 IST

କୋଣାର୍କ ୧୭/୧୦ : ଦୀର୍ଘ ଦଶ ଦିନ ଧରି ଗଣଦୁଷ୍କର୍ମର ଶିକାର ହେଉଥିବା ଜଣେ ୨୫ ବର୍ଷ ବୟସ୍କା ବଙ୍ଗୀୟ ଯୁବତୀଙ୍କୁ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ବନ୍ଦଘରୁ କୋଣାର୍କ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି | କୋଣାର୍କ ଅଂଚଳର ସୁବାସ ବେହେରା ନାମକ ଯୁବକ କୋଲକାତାର ହାୱଡା ଅଂଚଳର ଏହି ଯୁବତୀଙ୍କୁ ଆଣି ୧୦ ଦିନ ତଳେ ଏହି ଘରେ ରଖିଥିଲା | ଘରଟିକୁ ଏକ ଅଘୋଷିତ ଲଜ ବୋଲି ମଧ୍ୟ କୁହାଯାଉଛି | ତେବେ ଏହି ଘରେ ଯୁବତୀଙ୍କୁ ବାନ୍ଧି ଗତ ୧୦ ଦିନ ହେଲା ପ୍ରତ୍ୟେକ ଦିନ ୧୦ରୁ ୧୫ ଜଣ ଯୁବକ ଗଣଦୁଷ୍କର୍ମ କରିଆସୁଥିଲେ | ଆଜି ଯୁବତୀ ଜଣକ କୌଶଳ କ୍ରମେ ବନ୍ଧନରୁ ମୁକୁଳି ଘରର ଛାତ ଉପରକୁ ଆସି ସେଠାରୁ କାଗଜରେ ସାହାଯ୍ୟ ପାଇଁ ଲେଖି ତଳକୁ ପକେଇଥିଲେ | ଜଣେ ମହିଳା କାଗଜ ପାଇବା ପରେ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବିଭାଗ ସହାୟତାରେ ଘରର କବାଟ ଭାଙ୍ଗି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା | ପ୍ରଥମେ ଯୁବତୀଙ୍କୁ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ଯୁବତୀଙ୍କୁ ଆଣି ଏଠାରେ ରଖିଥିବା ସୁବାସ ବେହେରାକୁ ପୋଲିସ ଖୋଜୁଥିବା ବେଳେ ତାର ପତ୍ତା ମିଳୁନାହିଁ | ବିଶ୍ୱ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ଏଭଳି ଘଟଣା ବାରମ୍ବାର ଘଟି ଆସୁଛି | ପୋଲିସ ଜାଣି ନଜାଣିଲା ଭଳି ପ୍ରତ୍ୟେକ ଘଟଣାରେ ନୀରବତା ଅବଲମ୍ବନ କରୁଛି | ଏହି ଘଟଣା ପରେ ବିଶ୍ୱ ପର୍ଯ୍ୟଟନ ସ୍ଥଳ କୋଣାର୍କର ଛବି ଖରାପ ହେବା ଆଶଙ୍କା ଉପୁଜିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.