ଭାରତରେ ସାମିଲ ହେବା ଲାଗି ମୁହଁ ଖୋଲିଲେ ପାକ୍ ଅଧିକୃତ ଗିଲଗିଟ୍ ଓ ବାଲ୍ଟିସ୍ତାନବାସୀ, କହିଲେ ଆମେବି ଭାରତର ଅବିଛେଦ୍ୟ ଅଙ୍ଗ
7/08/2019 at 10:16 PM

ନୂଆଦିଲ୍ଲୀ : କାଶ୍ମୀରରୁ ସମ୍ବିଧାନର ୩୭୦ ଧାରା ହଟିବା ପରେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ଦୁଇ ପୃଥକ ପ୍ରଦେଶରେ ପରିଣତ ହୋଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍ ଓ ବାଲ୍ଟିସ୍ତାନ ଉଭୟ ନିଜକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ସହ ଭାରତୀୟ ସମ୍ବିଧାନରେ ସେମାନଙ୍କର ପ୍ରତିନିଧିତ୍ୱ ଦାବି କରିଛନ୍ତି। ଗିଲଗିଟ୍ ରେ ଲୋକଙ୍କ ଅଧିକାର ନିମନ୍ତେ ସଂଘର୍ଷ କରୁଥିବା ସେଙ୍ଗ ଏଚ୍. ସେରିଂ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସମ୍ପର୍କ କରିଥିବାବେଳେ ଦାବି ସମ୍ପର୍କରେ ସୂଚିତ କରିଛନ୍ତି। ତେବେ ଏହି ଦୁଇ ପ୍ରଦେଶର ଦାବି ପାକିସ୍ତାନର ଇମ୍ରାନ ସରକାରଙ୍କ ନିମନ୍ତେ ନୂଆ ସମସ୍ୟା ସୃଷ୍ଟି କରିଛି।

ପାକିସ୍ତାନ ଅନଧିକୃତ ଭାବେ ଗିଲଗିଟ୍ ଓ ବାଲ୍ଟିସ୍ତାନ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରୁଛି। ତେବେ ଅବିଭକ୍ତ କାଶ୍ମୀରର ଏହି ଦୁଇଟି ଅଞ୍ଚଳ ନିଜକୁ ଲଦ୍ଦାଖର ବିସ୍ତାର ବୋଲି ଏବେ କହିବା ସହ ଭାରତୀୟ ସଂସଦରେ ସେମାନଙ୍କ ପ୍ରତିନିଧିତ୍ୱ ଦାବି କରୁଛନ୍ତି। ଭାରତୀୟ ସଂଘ ଓ ସମ୍ବିଧାନିକ ବ୍ୟବସ୍ଥା ଆଧାରରେ ସେମାନେ ନିଜ ପାଇଁ ଏହି ଦାବି କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଦାବିକୁ ସ୍ୱୀକାର କରୁଥିବା ସେରିଂ କହିଛନ୍ତି। ଜମ୍ମୁ-କାଶ୍ମୀର ଓ ଲଦ୍ଦାଖକୁ ଦୁଇଟି ପୃଥକ ପ୍ରଦେଶରେ ଆବଣ୍ଟିତ କରାଯାଇଥିବାରୁ ଉଭୟ କେନ୍ଦ୍ର ଶାସିତ ପ୍ରଦେଶର ସଂରଖିତ ଆଶନରେ ଗିଲଗିଟ୍ ଓ ବାଲ୍ଟିସ୍ତାନର ଆସନ ରଖିବା ଲାଗି ଦାବି କରାଯାଇଛି। କେବଳ ଏତିକି ନୁହେଁ ଦେଶର ରାଜ୍ୟସଭା ଓ ଲୋକସଭାରେ ମଧ୍ୟ ସେମାନଙ୍କ ପ୍ରତିନିଧିତ୍ୱ ଦାବି କରିଛନ୍ତି।

ସୂଚନା ଯୋଗ୍ୟଯେ ଅନୁଚ୍ଛେଦ ୩୭୦ ହଟାଇବାକୁ ସଂସଦରେ ଆଲୋଚନା ବେଳେ ପାକ୍ ଅଧିକୃତ କାଶ୍ମୀର ଚର୍ଚ୍ଚା ମଧ୍ୟ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀରର ଆଲୋଚନା ହେଉଥିବାର ଅର୍ଥ ପିଓକେ ମଧ୍ୟ ସମ୍ପୃକ୍ତ ବୋଲି କହିଥିଲେ। ତେବେ ସଂସଦରେ ଏ ନେଇ ବିଧେୟ ପାରିତ ହୋଇ ଆଇନରେ ପରିଣତ ହୋଇଥିବା ବେଳେ ଗିଲଗିଟ୍ ଓ ବାଲ୍ଟିସ୍ତାନଙ୍କ ଦାବି ପ୍ରତି ଭାରତ କିଭଳି ମନଭାବ ପ୍ରଦର୍ଶନ କରୁଛି ତା ଉପରେ ଏବେ ନଜର ରହିଛି ସମଗ୍ର ପିଓକେର ।