୧୦ ଦିନ ଭିତରେ ନୂଆ ଦଳ ଗଢ଼ିବେ ଗୁଲାମ ନବୀ ଆଜାଦ
11/09/2022 at 2:54 PM

ଶ୍ରୀନଗର: କଂଗ୍ରେସ ଠାରୁ ଅଲଗା ହେବା ପରେ ଗୁଲାମ ନବୀ ଆଜାଦ କେବେ ନିଜର ଦଳ ଗଠନ କରିବେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା। ହେଲେ ଆଜି(ସେପ୍ଟେମ୍ବର ୧୧) ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଜାଦ। ଆସନ୍ତା ୧୦ ଦିନ ଭିତରେ ସେ ନୂଆ ଦଳ ଗଠନ କରିବେ ବୋଲି ଆଜାଦ କହିଛନ୍ତି। ଜାମ୍ମୁର ବାରାମୁଲାରେ ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ଗୁଲାମ ନବୀ।
ଏହା ପୂର୍ବରୁ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଜାମ୍ମୁ-କାଶ୍ମୀରକୁ ପୁଣିଥରେ ଏକ ରାଜ୍ୟରେ ପରିଣତ କରିବା ପାଇଁ ଏକ ନୂଆ ଦଳ ଗଠନ କରିବେ ବୋଲି ସେ କହିଥିଲେ। କଂଗ୍ରେସରୁ ଇସ୍ତଫା ଦେବା ବେଳେ ସେ କହିଥିଲେ “ମୁଁ ମୋ ଦଳର ନାଁ ଠିକ୍ କରି ନାହିଁ। ତେବେ ସମସ୍ତେ ଯେମିତି ବୁଝିପାରିବେ ସେମିତି ଗୋଟେ ହିନ୍ଦୁସ୍ତାନୀ ନାଁ ମୋ ଦଳର ଦେବି।”
ତାଙ୍କ ଦଳ କାଶ୍ମୀରର ଅଧିକାର ପାଇଁ ଲଢ଼ିବ। ଭାଗ ଭାଗ ହୋଇଯାଇଥିବା କେନ୍ଦ୍ର ଶାସିତ ଅଞ୍ଚଳକୁ ପୁଣିଥରେ ରାଜ୍ୟରେ ପରିଣତ କରିବାରେ ତାଙ୍କ ଦଳର ମୁଖ୍ୟ ଆଭିମୁଖ୍ୟ ରହିବ ବୋଲି ଆଜାଦ କହିଛନ୍ତି।
କଂଗ୍ରସରୁ ଇସ୍ତଫା ଦେବା ପରେ ପ୍ରଥମ କରି ଜାମ୍ମୁର ସୈନିକ ସ୍କୁଲ୍ରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ” କଂଗ୍ରେସ ପାର୍ଟିରୁ ଇସ୍ତଫା ଦେବା ପରେ ଅନେକ ଲୋକ ମୂଳ କଂଗ୍ରେସରୁ ଇସ୍ତଫା ଦେବା ସହ ହ୍ୱାଟ୍ସଆପ୍ ଓ ଅନ୍ୟାନ୍ୟ ମାଧ୍ୟମରେ ମୋତେ ଭଲପାଇବା ପଠାଉଛନ୍ତି। କଂଗ୍ରେସରେ ମୁଁ ୫୩ ବର୍ଷ ବିଭିନ୍ନ ପଦପଦବୀରେ ବି ଏତେ ଭଲପାଇବା ପାଇନାହିଁ। ମୁଁ ଏବେ କୌଣସି ପଦରେ ନାହିଁ ତଥାପି ମୋତେ ଯେତେ ଭଲପାଇବା ମିଳିଛି ପଦବୀରେ ଥାଇ ସେତିକି ମିଳୁନଥିଲା।”