ନୂଆ ଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ; କହିଲେ, ଧାରା ୩୭୦ ଆମ ଦଳର ପ୍ରସଙ୍ଗ ହେବନି

Published By : Prameya-News7 Bureau | September 26, 2022 IST

ଶ୍ରୀନଗର: ନୂଆ ଦଳ ଘୋଷଣା କଲେ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ତାଙ୍କ ଦଳର ନା ରହିଛି 'ଡେମୋକ୍ରାଟିକ ଆଜାଦ୍ ପାର୍ଟି'। ସୋମବାର ସେ ତାଙ୍କ ଦଳର ନାଁ ଘୋଷଣା କରିବା ସହ ଦଳୀୟ ପତାକା ବି ଉନ୍ନୋଚନ କରିଛନ୍ତି।

ମାସକ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଜାମ୍ମୁ-କାଶ୍ମୀର ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି କହିଥିଲେ ଗୁଲାମ ନବୀ ଆଜାଦ। ମାସକ ପରେ ସୋମବାର ସେ ଦଳର ନାଁ ଘୋଷଣା କରିଛନ୍ତି।

ଏହି ଅବସରରେ ସାମ୍ବାଦିକ ସମ୍ମିଳନୀ କରି ଆଜାଦ କହିଛନ୍ତି "ସ୍ଥାନୀୟ ଓ ଜାତୀୟ ଗଣମାଧ୍ୟମ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଆମର ସ୍ୱାଧିନ ବିଚାରଧାରା ଓ ଆଦର୍ଶବାନ ଗଣତାନ୍ତ୍ରିକ ଦଳ ହେବ। ଆମେ ନିର୍ବାଚନରେ ଧାରା ୩୭୦ ଉଚ୍ଛେଦକୁ ପ୍ରସଙ୍ଗ କରିବୁ ନାହିଁ। ବର୍ତ୍ତମାନ ଆମର ଦଳକୁ ପଞ୍ଜିକରଣ କରିବା ଆମର ପ୍ରଥମ ଗୁରୁତ୍ୱ ହେବ । କାରଣ ନିର୍ବାଚନ କେଉଁ ମୁହୂର୍ତ୍ତରେ ବି ହୋଇପାରେ। ଆମେ ଆମର ରାଜନୈତିକ କାର୍ଯ୍ୟ ଜାରି ରଖିବୁ।"

ଜାମ୍ମୁରେ ସାମ୍ବାଦିକ ସମ୍ମିଲନୀ କରି ଦଳୀୟ ପତାକାର ରଙ୍ଗ ନୀଳ, ଧଳା ଓ ହଳଦିଆ ରହିବ ବୋଲି ଆଜାଦ କହିଛନ୍ତି। ସେ କହିଛନ୍ତି " ମୋ ନୂଆ ଦଳର ନାମକରଣ ପାଇଁ ପାଖାପାଖି ୧୫୦୦ ନାଁ ଉର୍ଦ୍ଦୁ ଓ ସଂସ୍କୃତରେ ସଜେସନ ଆସିଥିଲା। ତେବେ ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ହିନ୍ଦୁସ୍ତାନୀ। ଆମେ ଏକ ଗଣତାନ୍ତ୍ରୀକ, ଶାନ୍ତିପୂର୍ଣ୍ଣ ଓ ସ୍ୱାଧିନ ନାଁ ଚାହୁଁଥିଲୁ।"

ଆଜାଦ ତାଙ୍କର ନୂଆ ଦଳ ଗଠନ କରିବା ପୂର୍ବରୁ ଗତକାଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆଜି ଦଳର ନାଁ ଘୋଷଣା ହୋଇଛି। ତାଙ୍କ ଦଳ ଧର୍ମ କି ଜାତି ନାଁରେ ଚାଲିବ ନାହିଁ ବୋଲି ଆଜାଦ୍ କହିଛନ୍ତି।

ସେ କହିଛନ୍ତି "ନୂଆ ଦଳ ଗଠନ କରିବା ପାଇଁ ଆମେ କୌଣସି ରାଜନୈତିକ ଦଳର ପରାମର୍ଶ ନେଇନଥିଲୁ। ମୋ ଦଳ ଗାନ୍ଧୀଜୀଙ୍କର ବିଚାରଧାରା ଚାଲିବ।" ଏହା ପୂର୍ବରୁ ଜାମ୍ମୁରେ ଏକ ପବ୍ଲିକ୍‌ ରାଲିରେ ଯୋଗ ଦେଇ ଆଜାଦ ପୁଣିଥରେ ଜାମ୍ମୁ-କାଶ୍ମୀରକୁ ରାଜ୍ୟରେ ପରିଣତ କରିବା କଥା କହିଥିଲେ। ଏହା ତାଙ୍କର ପ୍ରଥମ ଗୁରୁତ୍ୱ ହେବ ବୋଲି ସେ କହିଥିଲେ।  

ସୂଚନା ଥାଉକି, ୭୩ ବର୍ଷୀୟ ଆଜାଦ ଅଗଷ୍ଟ ୨୬ ତାରିଖରେ କଂଗ୍ରେସ ଛାଡ଼ିଥିଲେ। ଦଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୋନିଆ କୌଣସି ନିଷ୍ପତ୍ତି ନେଉ ନାହାନ୍ତି। ରାହୁଲଙ୍କ ପିଏ ଓ ଚାଟୁକାର ନେତାମାନେ ଦଳୀୟ ନିଷ୍ପତ୍ତି ନେଉଛନ୍ତି ବୋଲି ଆଜାଦ ଅଭିଯୋଗ କରି ସୋନିଆଙ୍କୁ ଚିଠି ଲେଖିବା ପରେ ଦଳ ଛାଡିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.