ଡାକ୍ତରଖାନାରେ ସାମ୍ବାଦିକ ବିକ୍ରମଙ୍କ ମୃତ୍ୟୁ, ଭାଣେଜୀଙ୍କୁ ରକ୍ଷା କରିବାକୁ ଯାଇ ଖାଇଥିଲେ ଦୁର୍ବୃତ୍ତଙ୍କ ଗୁଳି

Published By : Prameya-News7 Bureau | July 22, 2020 IST

ଗାଜିଆବାଦ ୨୨।୦୭: ଦିଲ୍ଲୀ ଗାଜିଆବାଦର ବିଜୟନଗରଠାରେ ସାମ୍ବାଦିକ ବିକ୍ରମ ଜୋଶୀଙ୍କୁ ହତ୍ୟା । ତାଙ୍କର ୨ ଝିଅଙ୍କ ସମ୍ମୁଖରେ ଗୁଳିମାରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତ ସୋମବାର ରାତିରେ ଦୁଇ ଝିଅଙ୍କ ସହିତ ବାଇକରେ ଯାଉଥିବାବେଳେ କିଛି ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ । ବିକ୍ରମଙ୍କ ମୁଣ୍ଡରେ ଗୁଳି ଚଳାଇଥିବା ପରେ ତାଙ୍କୁ ଏକ କାର୍ ଧକ୍କା ଦେଇଥିବା ସିସିଟିଭି ଚିତ୍ରରୁ ଦେଖାଯାଉଛି। ଏହି ସମୟରେ ଦୁଇ ଝିଅ ଜୀବନ ବିକଳରେ ଦୌଡ଼ୁଥିବା ଓ ପରେ ଲୋକଙ୍କୁ ସାହାଯ୍ୟ ମାଗୁଥିବା ଦେଖାଯାଉଛି। ଗୁରୁତର ଅବସ୍ଥାରେ ବିକ୍ରମଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ୯ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବିକ୍ରମଙ୍କ ଭାଣେଜୀଙ୍କୁ କିଛି ଅସାମାଜିକ ବ୍ୟକ୍ତି ହଇରାଣ ହରକତ କରିବା ସହ କମେଣ୍ଟ ମଧ୍ୟ ମାରିଥିଲେ । ଯାହାକୁ ବିକ୍ରମ ବିରୋଧ କରିଥିଲେ । ଏପରିକି ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ । ବିକ୍ରମ ପୋଲିସରେ ଅଭିଯୋଗ କରିବାରୁ ସୋମବାର ଦିନ ରାତି ଯାଉଥିବା ସମୟରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ । ବିକ୍ରମଙ୍କ ଅତି ନିକଟତରୁ ମୁଣ୍ଡ ଗୁଳିମାଡ କରିଥିଲେ । ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲା । ତେବେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ତାଙ୍କର ଏବେ ମୃତ୍ୟୁ ହୋଇଯାଇଛି ।

ପୁରା ଘଟଣାକ୍ରମ ସିସିଟିଭିରେ କଏଦ ହୋଇଯାଇଛି । ପରିଜନଙ୍କ ଅଭିଯୋଗକୁ ପୋଲିସ ଖାମ୍‌ଖିଆଲୀ ଭାବେ ନେଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । କାର୍ଯ୍ୟରେ ଅବେହଳା ଅଭିଯୋଗରେ ସ୍ଥାନୀୟ ଥାନାଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏହା ମଧ୍ୟରେ ପୋଲିସ ବିକ୍ରମ ଜୋଷୀଙ୍କ ହତ୍ୟା ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି । ଗାଜିଆବାଦ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହାର ତଦନ୍ତ ଚାଲିଛି । ମାମଲାର ତଦନ୍ତ ପାଇଁ ୬ଟି ଟିମ୍‌ ଗଠନ କରାଯାଇଛି । ପୁଲିସରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରିଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.