ପ୍ରେମିକାର ପ୍ରତିଶୋଧ: ପ୍ରେମିକ ବାହାଘର ପରେ ଘରେ ପଶି କନ୍ୟାର ଚୁଟି କାଟିଦେଲେ, ଆଖିରେ ପକାଇଦେଲେ ଫେବିକ୍ୱିକ୍
2/12/2020 at 2:56 PM

ନାଳନ୍ଦା ୦୨/୧୨ : ବିହାରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ପ୍ରେମିକା ନିଆରା ଢଙ୍ଗରେ ନିଜ ପ୍ରେମିକ ଠାରୁ ପ୍ରତିଶୋଧ ନେଇଛି। ନାଳନ୍ଦା ଜିଲ୍ଲା ଭାଗନବିଗହା ଥାନା ଅଞ୍ଚଳରେ ପ୍ରେମିକା ନିଜ ପ୍ରେମିକର ବାହାଘରକୁ ନେଇ ରାଗିଯାଇ ଘରେ ପଶି କନ୍ୟା ଉପରେ ହମଲା କରିଥିଲେ। ଶୋଇଥିବା ଅବସ୍ଥାରେ ସେ ନବବିବାହିତା କନ୍ୟାର ଚୁଟି କାଟିଦେଇଥିଲେ ଏବଂ ଆଖିରେ ଫେବିକ୍ୱିକ୍ ପକାଇଦେଇଥିଲେ। ଏହା ଦେଖି କନ୍ୟା ପାଟି କରିବାରୁ ଘର ଲୋକ ପ୍ରେମିକାକୁ ଧରି ଛେଚିଥିଲେ ଓ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ। ଘଟଣା ଭାଗନବିଗହା ଥାନା ଅନ୍ତର୍ଗତ ମୋରା ତାଲାବ ଗାଁର। ଘଟଣା ସମ୍ପର୍କରେ ସୂଚନା ପାଇ ଡିଏସପି ସଞ୍ଜୟ କୁମାର ଗାଁରେ ପହଞ୍ଚିଥିଲେ ଓ ମାମଲା ସମ୍ପର୍କରେ ପଚାରି ବୁଝିଥିଲେ। ଘଟଣା ପରେ ପୋଲିସ ଗାଁରେ କ୍ୟାମ୍ପ କରିଛି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୧ ତାରିଖରେ ଗୋପାଳରାମଙ୍କ ବାହାଘର ଶେଖପୁରା ଜିଲ୍ଲାରେ ହୋଇଥିଲା। ବାହାଘର ପରେ ସେ କନ୍ୟା ବିଦା କରି ନିଜ ଘରକୁ ଆଣିବା ପରେ ତାଙ୍କ ପ୍ରେମିକାଙ୍କ ଗୋଡ ରକ୍ତ ମୁଣ୍ଡକୁ ଚଢି ଯାଇଥିଲା। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ ଘରକୁ ଯାଇଥିଲେ।
ପ୍ରେମିକା ଭଉଣୀ ତାଙ୍କ ସାଙ୍ଗ ବୋଲି ଘରଲୋକେ ସନ୍ଦେହ ମଧ୍ୟ କରିନଥିଲେ। ଘର ଲୋକ ହାଲିଆ ହୋଇ ଶୋଇ ପଡ଼ିଥିଲେ। ଏହି ମଉକାର ଫାଇଦା ଉଠାଇ ପ୍ରେମିକା କୋଠରୀ ଭତରକୁ ପସିଯାଇଥିଲେ। ସେତେବେଳେ କନ୍ୟା ବି ଶୋଇ ପଡିଥିଲା। ସେ କନ୍ୟାର ଚୁଟି କାଟି ତା ଆଖିରେ ଫେବିକ୍ୱିକ୍ ପକାଇ ଦେଇଥିଲେ। ଆଖିରେ ଫେବିକ୍ୱିକ୍ ପକାଇବା ପରେ କନ୍ୟା ଯନ୍ତ୍ରଣାରେ ଚିଲ୍ଲେଇ ଥିଲେ। ପାଟି ଶୁଣି ଘରଲୋକ ଉଠିପଡ଼ିଥିଲେ ଓ ପ୍ରେମିକାକୁ ଧରି ନିରଧୂମ ଛେଚିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ହେପାଜତକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଛି। ନବ ବିବାହିତା କନ୍ୟାକୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ତାଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି।