ଜର୍ମାନୀ ପୁରୁଷ ହକି ବିଶ୍ଵ କପ୍ ଚାମ୍ପିଅନ, ବେଲଜିୟମର ଆଶା ଧୂଳିସାତ
29/01/2023 at 9:06 PM

ଭୁବନେଶ୍ଵର: ଜର୍ମାନୀ ମୁଣ୍ଡରେ ବିଜୟ ମୁକୁଟ। ପୁରୁଷ ହକି ବିଶ୍ଵ କପ୍ ୨୦୨୩ରେ ଚାମ୍ପିଅନ ହେଲା ଜର୍ମାନୀ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଜର୍ମାନୀ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମକୁ ହରାଇଛି। ମ୍ୟାଚ୍ ୩-୩ରେ ଅମୀମାସିଂତ ରହିବା ପରେ ପେନାଲ୍ଟି ସୁଟଆଉଟ୍(୫-୪)ରେ ଜର୍ମାନୀ ବିଜୟ ହାସଲ କରିଛି। ଏଥିସହ ଜର୍ମାନୀ ତୃତୀୟ ଥର ପୁରୁଷ ହକି ବିଶ୍ଵ କପ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଅନ୍ୟପଟେ ବେଲଜିୟମର ଦ୍ଵିତୀୟ ବିଶ୍ଵ କପ୍ ଟ୍ରଫି ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ଜର୍ମାନୀ ୨୦୦୨ ଏବଂ ୨୦୦୬ରେ ବିଶ୍ଵ ଚାମ୍ପିଅନ ହୋଇଥିଲା।
Wunderbar 🤩
— Hockey India (@TheHockeyIndia) January 29, 2023
Germany defeats Belgium in penalty shootouts to win the FIH Odisha Hockey Men's World Cup 2023 in a fairytale ending for the comeback kings.
🇩🇪 GER 3:3 BEL 🇧🇪 (SO 5-4)#IndiaKaGame #HockeyIndia #StarsBecomeLegends #HockeyWorldCup #GERvsBEL
ଫାଇନାଲ୍ ମୁକାବିଲାରେ ଦୁଇ ଶକ୍ତିଶାଳୀ ଜର୍ମାନୀ ଏବଂ ବେଲଜିୟମ କେହି କାହାରିକୁ ବାଟ ଛାଡି ନଥିଲେ। ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ଫାଇନାଲ୍ ମ୍ୟାଚ୍ ଫାଇନାଲ୍ ମ୍ୟାଚ୍ ପରି ହୋଇଥିଲା। ଆଉ ଶେଷରେ ବାଜି ମାରି ନେଇଛି ଜର୍ମାନୀ। ଗତ ଥର ବେଲଜିୟମ ଚାମ୍ପିଅନ ହୋଇଥିବା ବେଳେ ଏଥର ଫାଇନାଲ୍ ଖେଳିଥିଲେ ହେଁ ଦ୍ଵିତୀୟ ଥର ଟାଇଟଲ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ଜର୍ମାନୀ ତୃତୀୟ ଥର ହକି ବିଶ୍ଵ କପ୍ର ବିଜୟ ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଛି।
ମ୍ୟାଚ୍ ଆରମ୍ଭରେ ବେଲଜିୟମ ଏବଂ ଜର୍ମାନୀ ଦମଦାର ପ୍ରଦର୍ଶନ କରିଥିଲା। ୫ମ ମିନିଟ୍ରେ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଜର୍ମାନୀ ଗୋଲ୍ ଦେଇ ପାରିନଥିଲା। ତେବେ ୯ତମ ମିନିଟ୍ରେ ଭାନ ଉବେଲ୍ ଫ୍ଲୋରେଣ୍ଟ ଗୋଲ୍ ଦେଇ ବେଲଜିୟମକୁ ୧-୦ରେ ଆଗୁଆ କରିଥିଲେ। ଏହାର ଗୋଟିଏ ମିନିଟ୍ ପରେ କସିନ୍ସ ତାଙ୍ଗୁଏ ଗୋଲ୍ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ।
ଦ୍ଵିତୀୟ କ୍ଵାର୍ଟରରେ ଜର୍ମାନୀ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ହେଁ ମିଳିଥିବା ୩ଟି ପେନାଲ୍ଟି ସୁଟଆଉଟ୍କୁ ଗୋଟିଏ ହେଲେ ଗୋଲ୍ରେ ପରିଣତ କରି ପାରିନଥିଲା। ଏହି ସମୟରେ ବେଲଜିୟମକୁ ଗୋଟିଏ ପେନାଲଟି ମିଳିଥିଲା। ତେବେ ଦ୍ଵିତୀୟ କ୍ଵାର୍ଟରରେ ୨୮ତମ ମିନିଟ୍ରେ ଓ୍ଵେଲେନ ନିକଲାସ ଗୋଲ୍ ଦେଇ ଜର୍ମାନୀକୁ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ତଥାପି ଦ୍ଵିତୀୟ କ୍ଵାର୍ଟର ସୁଦ୍ଧା ବେଲଜିୟମ ୨-୧ରେ ଆଗୁଆ ରହିଥିଲା।
ତୃତୀୟ କ୍ଵାର୍ଟରରେ ଜର୍ମାନୀ ଭଲ ପ୍ରଦର୍ଶନ କରିଥିଲା। ପେଇଲାଟ୍ ଗୋଞ୍ଜାଲୋ ୪୦ତମ ମିନିଟ୍ରେ ମିଳିଥିବା ପେନାଲ୍ଟିକୁ ଗୋଲ୍ରେ ପରିଣତ କରି ମ୍ୟାଚ୍କୁ ୨-୨ରେ ସମାନ ସ୍ତରକୁ ଆଣିଥିଲେ। ଏହି କ୍ଵାର୍ଟରରେ ଜର୍ମାନୀକୁ ଦୁଇଟି ପେନାଲ୍ଟି ମିଳିଥିଲା। ଦଳ ଏଥିରୁ ଗୋଟିଏ ଗୋଲ୍ରେ ପରିଣତ କରି ପାରିଥିଲା।
ଚତୁର୍ଥ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା। ୪୭ତମ ମିନିଟ୍ରେ ଗ୍ରାମବୁସ ମ୍ୟାଟ୍ସ ଗୋଲ୍ ଦେଇ ଜର୍ମାନୀକୁ ୩-୨ରେ ଅଗ୍ରଣୀ କରାଇଥିଲେ। ଏହାପରେ ଜର୍ମାନୀ ଗୋଲ୍ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା ବେଲଜିୟମ। ୫୭ତମ ଏବଂ ୫୮ତମ ମିନିଟ୍ରେ ଦଳକୁ ଦୁଇଟି ପେନାଲ୍ଟି ମିଳିଥିଲା। ଆଉ ୫୮ତମ ମିନିଟ୍ରେ ବୁନ୍ ଟମ୍ ଗୋଲ୍ ଦେଇ ବେଲଜିୟମକୁ ମ୍ୟାଚ୍ରେ ସମାନ ସ୍ତରକୁ ଆଣିଥିଲେ। ଚତୁର୍ଥ କ୍ଵାର୍ଟର ପରେ ମ୍ୟାଚ୍ ୩-୩ରେ ଅମୀମାଂସିତ ରହିବା ପରେ ପେନାଲ୍ଟି ସୁଟଆଉଟ୍ର ସାହାରା ନିଆଯାଇଥିଲା। ଏଥିରେ ଜର୍ମାନୀ ୫-୪ରେ ବେଲଜିୟମକୁ ମାତ୍ ଦେବାରେ ସଫଳ ହୋଇଛି।