ଭାରତକୁ ୧ ବିଲିୟନ ୟୁରୋ ଯୋଗାଇବ ଜର୍ମାନୀ, ସବୁଜ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ହେବ ବିନିଯୋଗ

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଳୀ, ୧/୧୨: ସବୁଜ ଶକ୍ତି ପ୍ରକଳ୍ପ ପାଇଁ ଭାରତକୁ 8,440 କୋଟି ଟଙ୍କା ପ୍ରଦାନ କରିବାକୁ ଏକ ପ୍ରସ୍ତାବ ଘୋଷଣା କରିଛି ଜର୍ମାନୀ। ଡିସେମ୍ବରରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲିନା ବେରବୋକଙ୍କ ଭାରତ ଗସ୍ତ ପୂର୍ବରୁ ଏହି ଘୋଷଣା କରାଯାଇଛି।

ଗତ ମେ’ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜର୍ମାନ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ମଧ୍ୟରେ ସବୁଜ ଏବଂ ସ୍ଥିର ବିକାଶ ପାଇଁ ହୋଇଥିବା ଚୁକ୍ତିର ପୃଷ୍ଠଭୂମିରେ ଏହି ଘୋଷଣା କରାଯାଇଛି। ଚକ୍ତି ସ୍ବାକ୍ଷରିତ ହେବା ପରେ ଜର୍ମାନ ଚାନ୍ସେଲର ୨୦୩୦ ସୁଦ୍ଧା ୧୦ ବିଲିୟନ ଡଲାର ସହାୟତା ଘୋଷଣା କରିଥିଲେ।  

ଏହି ସମ୍ବନ୍ଧରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜର୍ମାନ ଆମ୍ବାସଡର ଫିଲିପ ଆକରମାନ୍ ବୁଧବାର କହିଛନ୍ତି ଯେ, ଉଭୟ ଦେଶ ପକ୍ଷରୁ ଆସନ୍ତା ୮ ବର୍ଷ ମଧ୍ୟରେ ୨୦ ରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପ ଉପରେ କାମ କରିବା ନେଇ ଚୁକ୍ତି ହୋଇଛି ଏବଂ ଏଥିପାଇଁ ଉଭୟ ଦେଶ ଫଣ୍ଡିଂ ଉପରେ ରାଜି ହୋଇଛନ୍ତି।

୧୦ ପ୍ରତିଶତ ଅନୁଦାନ ଏବଂ ୯୦ ପ୍ରତିଶତ ଋଣ ଆକାରରେ ମିଳିବାକୁ ଥିବା ଏହି ଅର୍ଥ ନବୀକରଣ ଯୋଗ୍ୟ ଶକ୍ତି, ସ୍ମାର୍ଟ ସହରରେ ସ୍ଥାୟୀ ସହରୀ ବିକାଶ ଏବଂ ପ୍ରାକୃତିକ ସମ୍ପଦର ନିରନ୍ତର ବ୍ୟବହାର କ୍ଷେତ୍ରରେ ଭାରତର ପ୍ରୟାସକୁ ସମର୍ଥନ କରିବ। KfW ଡେଭଲପମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଏହି ଋଣ କମ୍ ସୁଧରେ ଯୋଗାଇଦେବ। ୨.୭୫% ରୁ ୩.୨୫% ମଧ୍ୟରେ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଯୋଗାଇଦେବ ବୋଲି କହିଛନ୍ତି ଜର୍ମାନ ଆମ୍ବାସଡର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.