ଜର୍ଜଙ୍କ କଂଗ୍ରେସ ଲିଙ୍କ୍: ବିଜେପି କହିଲା ରାହୁଲଙ୍କ ସହ ଥିଲେ ବିଲିୟନେୟାରଙ୍କ ପାଖ ଲୋକ
18/02/2023 at 7:53 PM

ନୂଆଦିଲ୍ଲୀ: ଆମେରିକା ବ୍ୟବସାୟୀ ଜର୍ଜ ସୋରୋସ ଓ ଭାରତର ଗଣତନ୍ତ୍ର ଉପରେ ତାଙ୍କର ବୟାନକୁ ନେଇ ବର୍ତ୍ତମାନ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏପଟେ ବିଜେପି କଂଗ୍ରେସକୁ ସୋରୋଙ୍କ ସହ ଯୋଡିଛି। ବିଜେପି କର୍ମୀଙ୍କ ସୋସିଆଲ ମିଡିଆରେ ‘ସୋରୋସ ଗ୍ୟାଙ୍ଗ’ ହ୍ୟାସ୍ ଟ୍ୟାଗ୍ ଟ୍ରେଣ୍ଡ ହେଉଛି।
ଆଦାନୀ ଗ୍ରୁପ୍କୁ ନେଇ ଜର୍ଜ ସୋରୋସ ‘ଗଣତନ୍ତ୍ରର ପୁନରୁଦ୍ଧାର’ କଥା କହିଥିଲେ। ଏହାପରେ ବିବାଦ ଥମିବାର ନାଁ ନେଉ ନାହିଁ। ତେବେ କଂଗ୍ରେସ ନିଜକୁ ଏଥିରୁ ଦୂରେଇ ରଖିଥିବା ବେଳେ ବିଜେପି କିନ୍ତୁ କଂଗ୍ରେସକୁ ସୋରୋସଙ୍କ ସହ ଯୋଡ଼ିଛି। ବିଜେପି ନେତାମାନେ ସଲିଲ ଶେଟ୍ଟୀଙ୍କର ଏକ ଫୋଟ ଶେୟାର କରିଛନ୍ତି। ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହେଉ ପଦଯାତ୍ରା କରୁଥିବାର ଦେଖାଯାଉଛି। ସଲିଲ ହେଉଛନ୍ତି ସୋରୋସ ପାଣ୍ଠି ଯୋଗାଉଥିବା ଏନ୍ଜିଓ ସଂସ୍ଥା ‘ଓପନ ସୋସାଇଟି ଫାଉଣ୍ଡେସନ’ର ଗ୍ଲୋବାଲ ଭାଇସ ପ୍ରେସିଡେଣ୍ଟ।
ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ସଲିଲ
ଗୌରବ ଭାଟିଆ ଓ ଶେହେଜାଦ ପୁନାୱାଲାଙ୍କ ଭଳି ବିଜେପି ନେତା ସଲିଲଙ୍କର ଏହି ଫଟୋ ଶେୟାର କରିବା ସହ କଂଗ୍ରେସ ସହ ଥିବା ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସଲିଲ ପୂର୍ବରୁ କେନ୍ଦ୍ରର ବିଭିନ୍ନ ଯୋଜନା ବିରୋଧରେ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହିଥିଲେ। ସେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍ ହେବା ସହ ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ସମର୍ଥନରେ ଓକିଲାତି କରିଥିଲେ ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି। ସଲିଲଙ୍କର ପୁରୁଣା ଟ୍ୱିଟ୍ଗୁଡ଼ିକୁ ବାହାର କରି ବିଜେପି ଏଭଳି ଟାର୍ଗେଟ୍ କରିଛି।
ବିଜେପି ଏତେ ଦୁର୍ବଳ ବୋଲି ଜାଣିନଥିଲି: ଚିଦାମ୍ବରମ
ତେବେ ଜର୍ଜ ସୋରୋଙ୍କର ମନ୍ତବ୍ୟ ଉପରେ ଶନିବାର କଂଗ୍ରେସ ନେତା ପି. ଚିଦାମ୍ବରମ୍ ପ୍ରତିକ୍ରିୟା ଦେଇ ଅସହମିତ ପ୍ରକାଶ କରିଛନ୍ତି। ମୁଁ ଜର୍ଜ ସୋସୋରଙ୍କ ମନ୍ତବ୍ୟରେ ଏକମତ ନୁହେଁ। ତେବେ ଗଣତାନ୍ତ୍ରିକ ଉପାୟର ନିର୍ବାଚିତ ହୋଇଥିବା ସରକାରଙ୍କୁ ଗଡ଼ାଇବା ଉଦ୍ୟମ କରିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଚିଦାମ୍ବରମ କହିଛନ୍ତି।
ସେ କହିଛନ୍ତି ” ଭାରତ ସରକାରରେ କିଏ ରହିବେ କିଏ ବାହାରିଯିବେ ତାହା ଲୋକମାନେ ନିଷ୍ପତ୍ତି ନେବେ। କିନ୍ତୁ ମୁଁ ଜାଣି ନଥିଲେ ଯେ ମୋଦୀ ସରକାର ଏତେ ଦୁର୍ବଳ ଯେ ଜଣେ ୯୨ ବର୍ଷୀୟ ଧନୀ ବିଦେଶୀ ବ୍ୟକ୍ତି କଥାରେ ଏହା ଭାଙ୍ଗିଯିବ ବୋଲି।”
ସୋରୋସଙ୍କୁ ବିପଦ ବୋଲି କହିଲେ ଜୟଶଙ୍କର
ସୋରୋସଙ୍କ ଉପରେ ଟିପ୍ପଣୀ କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କୁ ବୃଦ୍ଧ, ଧନୀ,ମତଲବୀ ଓ ଭୟଙ୍କର ବୋଲି କହିଛନ୍ତି। କାରଣ କଣ ହୁଏ ନା ଏମିତି ଲୋକ, ଏମିତି ଦୃଷ୍ଟିକୋଣ ଓ ଏମିତି ସଂସ୍ଥା ରହେ ସେମାନେ ନିଜର ଅର୍ଥକୁ ନିଜ ସ୍ୱାର୍ଥ ସାଧନ ଦିଗରେ ବ୍ୟବହାର କରନ୍ତି ବୋଲି ଜୟଶଙ୍କର କହିଛନ୍ତି।
ସୂଚନା ଥାଉକି ସଲିଲ ଓପନ ସୋସାଇଟି ଫାଉଣ୍ଡେସନର ଗ୍ଲୋବାଲ ଭାଇସ ପ୍ରେସିଡଣ୍ଟେ ହେବା ପୂର୍ବରୁ ମାନବାଧିକାର ପାଇଁ ଲଢ଼ୁଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାସ୍ନାଲର ସାଧାରଣ ସମ୍ପାଦକ ରହିସାରିଛନ୍ତି। ଓପନ ସୋସାଇଟି ଫାଉଣ୍ଡେସନ ଏକ ଏନ୍ଜିଓ ସଂସ୍ଥା। ଜୋର୍ଜ ସୋରୋସ ଏହାକୁ ସ୍ଥାପନା କରିବା ସହ ଏହାର ଚେୟାରମ୍ୟାନ ବି ଅଛନ୍ତି।