ମହାନଦୀ ବନ୍ୟା ପ୍ରଭାବ, ଗେଙ୍ଗୁଟି ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ

Published By : Prameya-News7 Bureau | August 17, 2022 IST

ଚଣ୍ଡିଖୋଲ, ୧୭/୦୮: ହୀରାକୁଦରୁ ୪୦ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆ ପଂଚାୟତରେ ଗେଙ୍ଗୁଟି ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପଟୁଣିଆ ପଂଚାୟତରେ ପୂର୍ବରୁ ଲଗାଣ ବର୍ଷା ଏବେ ବନ୍ୟାଜଳ ଆସିବା ଫଳରେ ଚାଷ ଜମିରେ ବନ୍ୟା ଜଳ ଜମି ରହିଥିବାରୁ ଫସଲ ବେଶ ପ୍ରଭାବିତ ହୋଇଛି ।

ପଟୁଣିଆ ପଂଚାୟତର ଚାଷୀମାନେ ଏକର ଏକର ଚାଷ ଜମିରେ ଧାନ, ନଳିତା ଓ ଆଖୁ ଚାଷ କରିଥିଲେ ସୁଦ୍ଧା ବନ୍ୟାଜଳ ଚାଷ ଜମିରେ ମାଡିଯିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଯେଉଁଥି ପାଇଁ ଚିନ୍ତାରେ ଚାଷୀକୁଳ । ଆଗକୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଗାଁରେ ବନ୍ୟାଜଳ ପଶିବା ସହ ରାସ୍ତା ଘାଟ ଜଳମଗ୍ନ ହେବାର ଆଶଙ୍କା ରହିଛି । ଯେଉଁଥିପାଇଁ ଭୟଭୀତ ଅବସ୍ଥାରେ ଲୋକେ ରହିଛନ୍ତି । ବନ୍ୟା ଆସିଲେ ପଟୁଣିଆ ପଂଚାୟତ ବେଶ ପ୍ରଭାବିତ ହୋଇଥାଏ । ବିଭିନ୍ନ ସମୟରେ ଘାଇ ସୃଷ୍ଟି ହେଉଥିବାରୁ ଜଳବନ୍ଦୀରେ ଲୋକଙ୍କୁ ନାକେଦମ ହେବାକୁ ପଡୁଛି । ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.