Corona ଯୋଗୁ ଅଟକିଲା ଜେନେଭା ମୋଟର ସୋ-2020
28/02/2020 at 6:24 PM

ମୁମ୍ବାଇ : ମାର୍ଚ୍ଚ ୫ରୁ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜେନେଭା ମୋଟର ସୋ ଚଳିତ ବର୍ଷ ବାତିଲ ହୋଇଛି। ଶୁକ୍ରବାର ଏକ ଅଧିକାରିକ ବାର୍ତ୍ତାରେ ଆୟୋଜକ ଏହି ସୂଚନା ଦେଇଛନ୍ତି। ଉପୁଜିଥିବା କରୋନା ସଂକ୍ରମଣ ଯୋଗୁ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ଆୟୋଜକ କହିଛନ୍ତି। ଜେନେଭା ମୋଟର ସୋ ଏକ ବାର୍ଷିକ ଭବ୍ୟ କାର୍ଯ୍ୟକ୍ରମ। କେବଳ ଦେଶବିଦେଶର ମୋଟର କମ୍ପାନୀମାନେ ନୁହନ୍ତି ବହୁ ସଂଖ୍ୟାରେ ପରିଦର୍ଶକଙ୍କର ମଧ୍ୟ କାର୍ଯ୍ୟକ୍ରମକୁ ଆସିଥାନ୍ତି। ହେଲେ ଉପୁଜିଥିବା ସ୍ୱାସ୍ଥ୍ୟଗତ ସଙ୍କଟ ଲାଗି ଚଳିତବର୍ଷ ଏହାକୁ ବାତିଲ କରାଯାଉଥିବା ଆୟୋଜକ କହିଛନ୍ତି।

ଚଳିତବର୍ଷ ଏହି ମୋଟର ସୋର ୯୦ତମ ସଂସ୍କରଣ ଅନୁଷ୍ଠିତ ହେବାର ଥିଲା। ଏଥିଲାଗି ଖୁବ୍ ଶୀଘ୍ର ଆୟୋଜକ ଗଣମାଧ୍ୟମଙ୍କୁ ଆମନ୍ତ୍ରିତ କରିବେ ବୋଲି ଆଶା କରାଯାଉଥିବା ବେଳେ ଏହାକୁ ବାତିଲ କରାଯାଇଛି। କରୋନା ସଂକ୍ରମଣ ଯୋଗୁ ସ୍ୱିଜରଲ୍ୟାଣ୍ଡ ଫେଡେରାଲ ଅଫିସ ଅଫ ହେଲଥ୍ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ କୌଣସି ସାର୍ବଜନିକ ଆୟୋଜନ ଉପରେ ରୋକ ଲଗାଇଛନ୍ତି। ମୋଟର ସୋ ଆୟୋଜନ ପୂର୍ବରୁ ସରକାରଙ୍କ କଟକଣା ଜାରି ହେବା ଏହି ସୋ ଲାଗି ବାଧକ ପାଲଟିଛି।

ସ୍ୱିଜରଲ୍ୟାଣ୍ଡରେ କରୋନା ସଂକ୍ରମଣର ଏପର୍ଯ୍ୟନ୍ତ ୧୫ଟି ଅଭିଯୋଗ ମିଳିଲାଣି। ଏଥିରେ ଜେନେଭା, ଜୁରିକ୍, ଟିସିନୋ ଓ ବାଡରେ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏଣୁ ସତର୍କତା ସ୍ୱରୂପ ସ୍ୱାସ୍ଥ୍ୟ ବିଭାଗ ଏହି କଟକଣା ଜାରି କରିଛନ୍ତି। ଦେଶରେ ସିଓଭିଡି-୧୯ ପଜେଟିଭ ଚିହ୍ନଟ ଲୋକେ ବିଦେଶରୁ ସଂକ୍ରମଣ ଆଣିଥିବା ସରକାରୀ ଭାବେ କୁହାଯାଇଛି। ପଡୋଶୀ ଦେଶ ଇଟାଲୀରେ ଶୁକ୍ରବାର ସକାଳ ସୁଦ୍ଧା ୬୬୫ଟି କରୋନା ମାମଲା ଚିହ୍ନଟ କରିଛି। ଏଣୁ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତି କାରଣରୁ ଜେନେଭା ମୋଟର ସୋ ବାତିଲ କରିବାକୁ ବାଧ୍ୟ ହେଉଥିବା ଫାଉଣ୍ଡେସନ ବୋର୍ଡର ଅଧ୍ୟକ୍ଷ ମୋରିସ ବୁର୍ଜିତିନୀ କହିଛନ୍ତି।