ଭୁବନେଶ୍ଵର: ୨୦୨୪ ନିର୍ବାଚନରେ ଓଡ଼ିଶା ଦେଖିବ ଷ୍ଟାର ୱାର୍ । କାରଣ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଓଲିଉଡ୍ ଷ୍ଟାରକୁ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ବିଶେଷକରି ବିଜେଡି ଛାଡି ବିଜେପିରେ ଓଡ଼ିଆ ସିନେ ଜଗତର ବଡ ଅଭିନେତା କୁହାଯାଉଥିବା ସିଦ୍ଧାନ୍ତ, ଅନୁଭବ, ଆକାଶ ଅରିନ୍ଦମଙ୍କୁ ନିଜ ଦଳରେ ସାମିଲ କରିଛି । ଏଥି ମଧ୍ୟରୁ କିଛି କଳାକାରଙ୍କୁ ଟିକେଟ୍ ବି ଦେଇଛି । ଆଉ ସେପଟେ ବିଜେଡି ମଧ୍ୟ ବାବୁସାନ୍, ଅମ୍ଲାନ, ପ୍ରକୃତି, ଭୂମିକା , ପପୁ ପମଙ୍କ ଭଳି କଳାକାରଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛି । ସେପଟେ କଂଗ୍ରେସ, ଅଭିନେତା ମନୋଜ ମିଶ୍ରଙ୍କୁ ସାଂସଦ ପ୍ରାର୍ଥୀ କରିବା ଷ୍ଟାର ଲଢେଇ ଜୋରଦାର ହେବାକୁ ଯାଉଛି ।
Also read: ନିର୍ବାଚନ ପାଇଁ ରାଜନୈତିକ ଦଳର ନୂଆ ରଣକୌଶଳ, କିଏ କର୍ମୀଙ୍କୁ ନେଇ ବୈଠକ କରୁଛି ତ କିଏ ଗ୍ରାଉଣ୍ଡରେ ବୁହାଉଛି ଝାଳ
ଏଥର ନିର୍ବାଚନରେ ଦେଖିବାକୁ ମିଳିବ କି ଷ୍ଟାର ୱାର ? ସଭାରେ ଲୋକ ଜୁଟାଇବାକୁ ଓଡ଼ିଆ ହିରୋ , ହିରୋଇନଙ୍କ ଉପରେ ଭରସା କରିବେ କି ବିଜେଡି, ବିଜେପି ଓ କଂଗ୍ରେସ ? ନିର୍ବାଚନୀ ପ୍ରଚାର ମୈଦାନରେ କଣ ଓଲିଉଡ ଷ୍ଟାରଙ୍କ ଭିତରେ ହେବ ମୁକାବିଲା । ବିଜେପି- ବିଜେଡିର ଛକାପଞ୍ଛା ଓ ରଣନୀତିକୁ ଦେଖିଲେ ଲାଗୁଛି ଏହି ଦୁଇଦଳ ଓଲିଉଡ ଆକ୍ଟରଙ୍କୁ ନିର୍ବାଚନରେ ପ୍ରଚାର କାମରେ ଲଗାଇକୁ କରୁଛନ୍ତି ବ୍ଲୁ ପ୍ରିଣ୍ଟ । ଓଡ଼ିଆ ସିନେ ଜଗତର ବଡ଼ବଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶଦାସ ନାୟକ ଓ ଅରିନ୍ଦମ ରାୟ ବିଜେପିରେ ସାମିଲ ହେବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି ।
ସିଦ୍ଧାନ୍ତ ମହାପାତ୍ର ଓ ଆକାଶଦାସ ନାୟକଙ୍କୁ ବିଜେପି ଟିକେଟ ଦେଇସାରିଛି । ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କୁ ବି ବିଜେପି କୌଣସି ନା କୌଣସି ଆସନରୁ ଲଢ଼ାଇବାକୁ ମିଶାଣ ଫେଡାଣ କରୁଛି। ସବୁଠୁ ବଡକଥା ହେଉଛି ଓଲିଉଡର ଏହି ୪ ହେଭିଓେଟ ଆକ୍ଟର ଆଗରୁ ବିଜେଡିରେ ଥିଲେ । ସେମାନଙ୍କ ଭିତରୁ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ୨ଥର ସାଂସଦ ଥିବାବେଳେ ଅନୁଭବ ମହାନ୍ତି କେନ୍ଦ୍ରାପଡାରୁ ସାଂସଦ ହୋଇଥିଲେ । ଆକାଶ ଦାସ ନାୟକ ବି କୋରେଇରୁ ବିଜେଡି ବିଧାୟକ ଭାବେ ଜିତିଥିଲେ । ହେଲେ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଏହି ୪ ମେଗାଷ୍ଟାର ଏବେ ବିଜେପିରେ ।
ହି ୪ ମେଗାଷ୍ଟାରଙ୍କୁ ଛାଡି ଅଭିନେତା ଶ୍ରୀତମ ଦାସ, ଅଭିନେତ୍ରୀ ପିଙ୍କି ପ୍ରଧାନ, ହାସ୍ୟ ଅଭିନେତା ହରିଙ୍କ ଭଳି ଅନେକ କଳାକାର ବହୁଦିନ ଧରି ବିଜେପିରେ ଅଛନ୍ତି । ଏମାନେ ବିଜେପି ପାଇଁ କ୍ରାଉଡ ପୁଲର ହେବେ ବୋଲି ଦଳ ଆଶା ରଖିଛି । ଏହା ସହ ଏହି ଆକ୍ଟର ମାନଙ୍କ କ୍ରେଜ୍ କୁ ଉପଯୋଗ କରି ଦଳ କିଛି ସିଟ୍ ହାତେଇନେବାକୁ ବି ବ୍ଲୁପ୍ରିଣ୍ଟ କରିଥିବା କୁହାଯାଉଛି ।
ସେପଟେ ବିଜେପିକୁ ମାତ୍ ଦେବାକୁ ବିଜେଡି ମେଗା ପ୍ଲାନ ପ୍ରସ୍ତୁତ କରୁଛି । ଓଲିଉଡର ଅନେକ ବଛାବଛା କଳାକାରଙ୍କୁ ନବୀନ ନିବାସକୁ ଡାକି ଦଳର ପ୍ରଚାର ପ୍ରସାରରେ ସେମାନଙ୍କ ଯୋଗଦାନ ପାଇଂ ଏକ ଲମ୍ବା ତାଲିକା ବନାଇଛି ବିଜେଡି । ବିଶେଷକରି ଚକୋଲେଟ ହିରୋ ବାବୁସାନ୍, ଅମ୍ଳାନ ଦାସ, ପ୍ରକୃତି ମିଶ୍ର, ଭୂମିକା, ଶଙ୍କର, ଗୁଡୁ , ପ୍ରଜ୍ଞା, ପପୁ ପମପମ୍ ଆଦି ହିରୋ ହିରୋଇନ୍ ଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବା ସହ ସୋସିଆଲ ମିଡିଆରେ ଇନଫ୍ଲୁଏନସର ଭାବେ କାମ କରିବାକୁ ରଣନୀତି ବନାଇଛି ବିଜେଡି । ଯଦିବା ଏଥର ବିଜେଡି କୌଣସି ଓଲିଉଡ ହିରୋ- ହିରୋଇନ୍ ଙ୍କୁ ସିଧା ସଳଖ ନିର୍ବାଚନୀ ମୈଦାନକୁ ଓହ୍ଲାଇ ନାହିଁ ତଥାପି ବିଜେପିର ଷ୍ଟାରକାଷ୍ଟକୁ ମାତ୍ ଦେବାକୁ ବିଜେଡି ଓଲିଉଡର ବହୁସଂଖ୍ୟାରେ କଳାକାରଙ୍କୁ ଘମାଘୋଟ ପ୍ରଚାରରେ ଲଗାଇବ ବୋଲି ଜଣା ପଡିଛି । ଏଭଳି ହେଲେ ଏଥର ନିର୍ବାଚନ ମୈଦାନରେ ଷ୍ଟାରକାଷ୍ଟ ଲଢେଇ ଜୋରଦାର ହେବ ବୋଲି ଆକଳନ କରାଯାଉଛି ।
ସେପଟେ କଂଗ୍ରେସ ବି କିଛି ଓଲିଉଡ କଳାକାରଙ୍କୁ ନେଇ ପ୍ରଚାର କରିବ ବୋଲି ଯୋଜନା କରୁଛି। ବଲାଙ୍ଗିର ଲୋକସଭା ଆସନରୁ ଏଥର ଓଲିଉଡ ତଥା ବଲିଉଡ୍ ଆକ୍ଟର ମନୋଜ ମିଶ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଫିଲ୍ମଷ୍ଟାରମାନେ ବିଭିନ୍ନ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ନୂଆକଥା ନୁହେଁ। କିନ୍ତୁ ଏଥର ପୁରା ଷ୍ଟାର ୱାର ହେବା ଭଳି ସ୍ଥିତି ।